ସ୍ମୃତିରେ ଦେବାଶିଷ

ବର୍ଷେ ତଳେ ଆଜିର ଦିନରେ କରୋନାରେ ଜୀବନ ଯାଇଥିଲା

୨୦୨୧, ଜୁନ ୧୮ ତାରିଖ। ରାଜ୍ୟ ହରାଇଥିଲା ପୁଲିସ ବିଭାଗର ଜଣେ ଦକ୍ଷ ତଥା ପ୍ରଭାବଶାଳୀ ବରିଷ୍ଠ ଆଇପିଏସ୍ ଅଫିସର ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ। କରୋନା ଭାଇରାସ୍ ଏହି ପ୍ରଚଣ୍ଡ ପ୍ରତିଭାବାନ୍ ଅଧିକାରୀଙ୍କୁ ସବୁ ଦିନ ପାଇଁ ନେଇ ଯାଇଥିଲା ଦୁନିଆରୁ। ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଏଡିଜି ପାହ୍ୟାର ଅଧିକାରୀ ଡକ୍ଟର ଦେବାଶିଷ ପାଣିଗ୍ରାହୀ କରୋନା ସଂକ୍ରମିତ ହେବା ପରେ ତାଙ୍କୁ କିଛି ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ‌ପରେ ତାଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ସେ ମାତ୍ର ୫୬ ବର୍ଷ ବୟସରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ। ୧୯୬୫ରେ ବାଲେଶ୍ବରରେ ଜନ୍ମିତ ଦେବାଶିଷ କେବଳ ଯେ ଜ‌ଣେ ଦକ୍ଷ ପୁଲିସ ଅଧିକାରୀ ନଥିଲେ, ଜଣେ ଲେଖକ, ଗୀତିକାର ଭାବେ ସେ ବେଶ୍ ଲୋକପ୍ରିୟ ଥିଲେ। ନିଜର ବୃତ୍ତିଗତ ଏବଂ ସାମାଜିକ ଜୀବନ ପ୍ରତି ପ୍ରତିଶ୍ରୁତିବଦ୍ଧ ଦେବାଶିଷଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପ୍ରତି ସ୍ବତନ୍ତ୍ର ଶ୍ରଦ୍ଧା ନିବେଦନ।

ନିଜେ ନିଜକୁ ଭୁଲାଇବାକୁ ଚେଷ୍ଟା କରି ମୁଁ ଚାଲିଛି…

ଏମିତି କାହିଁକି ହେଲା, କେମିତି ହେଲା… ତା’ର ଉତ୍ତର କିଛି ନାହିଁ। ଜୀବନରେ କ’ଣ ମିଳିଲାନି, କ’ଣ ହରାଇ ବସିଲୁ, ତାହାକୁ ନ ଭାବି, କ’ଣ ପାଇଛୁ, ସେଥିପାଇଁ ଭଗବାନଙ୍କୁ କୃତଜ୍ଞତା ଜଣାଇ ଜୀବନ ବଂଚିବାକୁ ହେବ। ଏ ଯେଉଁ ବ୍ୟକ୍ତିଗତ କ୍ଷତି ଘଟିଲା, ତାହାକୁ କୌଣସି ବାଟରେ ବି ପୂରଣ କରି ହେବ ନାହିଁ। ବୁଝାଇବା ବି କଷ୍ଟ। ସେ ଥିଲେ ଜଣେ ସାଧାରଣ ଜୀବନ ପ୍ରତି ସମର୍ପିତ ବ୍ୟକ୍ତି। ନିଜ ବୃତ୍ତିକୁ ଭଲ ପାଉଥିଲେ। ସାହିତ୍ୟକୁ ଭଲ ପାଉଥିଲେ। ଲୋକଙ୍କ ସହ ରହିବାକୁ ଭଲ ପାଉଥିଲେ। ନିଜର ମୂଲ୍ୟବୋଧକୁ ନେଇ କେବେ ସେ ବୁଝାମଣା କରୁ ନଥିଲେ। ଉଚ୍ଚ ଆଦର୍ଶ ଆଉ ନୈତିକତାକୁ ନେଇ ସେ ଜୀବନ ଜୀଉଁଥିଲେ। ସେ ତ ଭଗବାନଙ୍କ ଆଶୀର୍ବାଦ ପାଇଥିଲେ। ତାଙ୍କୁ ବୁଝି ତାଙ୍କ ସହ ତାଳ ଦେଇ ଚାଲିବାକୁ ଆମେ ଚେଷ୍ଟା କରୁଥିଲୁ। ସେ ଯେଉଁ ସମୟରେ ହସ୍ପିଟାଲରେ ଭର୍ତ୍ତି ହେଲେ, ଆମେ ହଠାତ୍ କିଛି ଜାଣି ବି ପାରି ନଥିଲୁ। ଯେଉଁ ଇଂଜେକସନ୍ ହସ୍ପିଟାଲରେ ନେବାକୁ ଲୋକ ଯାଉଛନ୍ତି ଏବଂ ଇଂଜେକସନ୍ ନେଇ ଫେରୁଛନ୍ତି, ସେଇଥିପାଇଁ ସେ ହସ୍ପିଟାଲକୁ ଯାଇଥିଲେ। ନ ଜାଣି ନ ଜାଣି ଘଟଣା ଚରମସୀମାରେ ପହଞ୍ଚି ଯାଇଥିଲା। ଯେବେ ଅନୁଭବ କଲି, କଥା ଖରାପ ଆଡ଼କୁ ଯାଉଛି, ସେତେବେଳେ ଆଉ ତାଙ୍କ ସହିତ କଥା ହେବାର ସୁଯୋଗ ବି ନଥିଲା। ମଣିଷ ଜନ୍ମ ହେଇଛି ତ ଦିନେ ନା ଦିନେ ଯିବ। ଆମ ‌ହାତରେ ତ କିଛି ନାହିଁ। କଟକରେ ବେଶି ଦିନ ରହିବା ଅସମ୍ଭବ ଥିଲା। ତେଣୁ ସେଠୁ ଯେତେ‌ଶିଘ୍ର ଭୁବନେଶ୍ବର ଚାଲି ଆସିଲୁ। କଲେଜ ବି ବଦଳି ଗଲା। ପରିବେଶ ବଦଳାଇ ଆମେ ଚାଲିଛୁ। ନିଜେ ନିଜକୁ ଭୁଲେଇବାକୁ ଚେଷ୍ଟା କରି ମୁଁ ଚାଲିଛି। ଜୀବନ ତ ଏମିତି ଚାଲିବ…।
ପ୍ରାଧ୍ୟାପିକା ଡକ୍ଟର ଝୁମ୍‌କି ରଥ
(ସ୍ବର୍ଗତ ଦେବାଶିଷ ପାଣିଗ୍ରାହୀଙ୍କ ପତ୍ନୀ)

ତାଙ୍କ ସାହିତ୍ୟରେ ବାସ୍ତବ ଅନୁଭବ ସହ ଦର୍ଶନର ମିଳନ ହେଉଥିଲା

ଜଣେ ସୁଦକ୍ଷ ପୁଲିସ ଅଧିକାରୀ ସହିତ ଜଣେ ବିଶିଷ୍ଟ ସାହିତ୍ୟିକ ଭାବରେ ଡକ୍ଟର ଦେବାଶିଷ ପାଣିଗ୍ରାହୀ ଥିଲେ ଖ୍ୟାତି ସମ୍ପନ୍ନ। ଉତ୍କଳ ବାଣୀଭଣ୍ଡାରକୁ ସମୃଦ୍ଧକରି ସେ ଉପହାର ଦେଇଛନ୍ତି ନଅଟି କ୍ଷୁଦ୍ରଗଳ୍ପ ସଂକଳନ ଓ ସାତଟି ଉପନ୍ୟାସ। ତାଙ୍କ ଲେଖନୀ ପ୍ରସୂତ ଅନେକ କବିତା ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଛି। ତାଙ୍କ ଦ୍ୱାରା ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ତଥାକଥିତ’ ପାଇଁ ୨୦୦୨ ମସିହାରେ ସେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ମୌଳିକ କଥା ସାହିତ୍ୟର ରଚୟିତା ଡକ୍ଟର ପାଣିଗ୍ରାହୀ ନିଜ ଜୀବନର ବାସ୍ତବ ଅନୁଭବରେ ଦର୍ଶନକୁ ମିଳନ କରାଇ ତାଙ୍କ ଲେଖନକୁ ଅମୃତସ୍ରାବୀ କରାଇ ପାରିଥିଲେ। ତାଙ୍କ ଦ୍ୱାରା ରଚିତ ଅଧାଲେଖା ଗଳ୍ପଟିଏ ପରି ସେ ସିନା ଅଧା ବୟସରେ ଇହଧାମ ତ୍ୟାଗ କରିଛନ୍ତି ମାତ୍ର ତାଙ୍କ କୃତି କୀର୍ତ୍ତିରାଜିରେ ସେ ସଦା ଅମର। ତାଙ୍କ ଦ୍ୱାରା ରଚିତ ‘ଦେବୀ’ ଏକ କ୍ଷୁଦ୍ର ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ପ୍ରେମ ଯେ କେତେ ସ୍ୱର୍ଗୀୟ ସେ ତାହା ଅତ୍ୟନ୍ତ ମାର୍ମିକ ଭାବେ ରୂପାୟିତ କରିଛନ୍ତି। ପ୍ରତି ରଚନା ଗୁଡିକରେ ପ୍ରତି ଚରିତ୍ରଗୁଡିକୁ ସେ ଖୁବ ନିକଟରୁ ଭେଟିଛନ୍ତି ଏବଂ ରୂପାୟିତ କରିଛନ୍ତି। ତେଣୁ ତାଙ୍କ ରଚନାଗୁଡିକ ସୁଖପାଠ୍ୟ। ତାଙ୍କ ମର ଶରୀର ସିନା ମାଟିରେ ମିଶିଯାଇଛି ମାତ୍ର ତାଙ୍କର କୃତିରେ ସେ ଚିର ଜାଜୁଲ୍ୟମାନ ସ୍ମୃତିରେ ସ୍ମୃତିରେ ପ୍ରତିବିମ୍ବିତ ହୋଇ।
କୁନଲତା ତ୍ରିପାଠୀ, ଲେଖିକା

ସେ ଥିଲେ ମୋ’ ଗୁରୁ; ତାଙ୍କ ବିୟୋଗ ମୋ’ ପାଇଁ ଅପୂରଣୀୟ କ୍ଷତି

ମୁଁ ଭାରତୀୟ ପୁଲିସ ସେବା (ଆଇପିଏସ୍)ରେ ଯୋଗ ଦେଲି ୧୯୯୭ରେ। ଆଇପିଏସ୍ ଅଧିକାରୀଙ୍କୁ ବିଧିବଦ୍ଧ ଦାୟିତ୍ବ ଦିଆଯିବା ପୂର୍ବରୁ ତାଲିମ ଦିଆଯାଏ। ମୋ’ର ସେହି ତାଲିମ ଆରମ୍ଭ ହୋଇଥିଲା ପୁରୀ ଜିଲ୍ଲାରୁ ଏବଂ ସେହି ସମୟରେ ପୁରୀ ଜିଲ୍ଲା ଏସ୍‌.ପି. ଥିଲେ ଦେବାଶିଷ ପାଣିଗ୍ରାହୀ। ସିଧାସଳଖ କହିଲେ ମୁଁ ତାଙ୍କ ନିକଟରୁ ଆରମ୍ଭ କରିଥିଲା ପୁଲିସ ସେବାର ଶିକ୍ଷା ଏବଂ ସେ ଥିଲେ ମୋ’ ଗୁରୁ। ସେହି ସମୟରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ସ୍ଥିତି ମୁକାବିଲା ହେଉ କି ପୁରୀ ରଥଯାତ୍ରା ପରିଚାଳନା, ଭିଆଇପି ମୁଭ୍‌ମେଣ୍ଟ ଇତ୍ୟାଦି ଶିଖିବାର ସୁଯୋଗ ମିଳିଥିଲା ମୋତେ ସାର୍‌ଙ୍କ ଠାରୁ। ସାର୍‌ ଜଣେ ସଫଳ ପୁଲିସ ଅଧିକାରୀ ଥିଲେ। ଏବଂ ତାଙ୍କ ସଫଳତାର କାରଣ ହେଉଛି ଯେ ସେ ଜଣେ ଅତ୍ୟନ୍ତ ଭଲ ମଣିଷ, ଦରଦୀ, ସମ୍ବେଦନଶୀଳ ମଣିଷ ଥିଲେ। ବିଭାଗର ସହଯୋଗୀ ଏବଂ କର୍ମଚାରୀଙ୍କ ସମସ୍ୟା ସମାଧାନ ପ୍ରତି ଗୁରୁତ୍ବ ଦେଉଥିଲେ। ତାଙ୍କର ପ୍ରଚଣ୍ଡ ବୃତ୍ତିଗତ ଦକ୍ଷତା ଥିଲା।

ପୁଲିସ ଆଇନକାନୁନରେ ବିଶେଷ ଜ୍ଞାନ ଥିଲା। ଯେହେତୁ ସେ ପୁରୀ, ଗଂଜାମ, କଟକ, ଖୋର୍ଦ୍ଧା, କେନ୍ଦୁଝର ଭଳି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଏସ୍‌ପି ଭାବେ କାମ କରିଥିଲେ, ତାଙ୍କର ବାସ୍ତବ ଅଭିଜ୍ଞତା ବି ଅତୁଳନୀୟ ଥିଲା। ମୁଁ ବି ପୁରୀ ଏସ୍‌ପି ଭାବେ କାର୍ଯ୍ୟ କରିଥିଲି। ୨୦୧୬ ନବ‌କଳେବର ପାଇଁ ବହୁ ପୂର୍ବରୁ ବିଭିନ୍ନ ଯୋଜନା ସାର୍‌ଙ୍କ ସହ ଏକାଠି କରିବାର ସୁଯୋଗ ମିଳିଥିଲା। ସାର୍ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ବ ଦେଉଥିଲେ। ଏବଂ ସେହିଠାରୁ ହିଁ ବିଭିନ୍ନ ଥାନାକୁ ଫୋନ୍ କରି ତାହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିଲେ। ଫଳରେ ଥାନା ଅଧିକାରୀମାନଙ୍କ ଭୟ ରହୁଥିଲା। ଲୋକଙ୍କ ସମସ୍ୟା ସମାଧାନ ସହଜରେ ହୋଇ ଯାଉଥିଲା। କୌଣସି ଅପରାଧ ଘଟିଲେ, ସେହି ଅପରାଧର କିଭଳି ପର୍ଦ୍ଦାଫାସ ହେବ, ତା’ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେଉଥିଲେ। ନିଜେ ତାହାର ଅନୁଧ୍ୟାନ କରୁଥିଲେ।

ବିଭିନ୍ନ ବିଭାଗ ମଧ୍ୟରେ ଯୋଗାଯୋଗ ରକ୍ଷାରେ ସାର୍ ଧୂରନ୍ଧର ଥିଲେ। ତାହା ବି ଥିଲା ତାଙ୍କ ବୃତ୍ତିଗତ ସଫଳତାର ଅନ୍ୟତମ କାରଣ। ସେ ଜଣେ ପ୍ରତିଭା ସଂପନ୍ନ ବ୍ୟକ୍ତି ତ ଥିଲେ, ତା’ ସହିତ ଜଣେ ଧାର୍ମିକ ତଥା ଆଧ୍ୟାତ୍ମିକ ବ୍ୟକ୍ତି ବି ଥିଲେ। ମାନବ ସେବାକୁ ମାଧବ ସେବା ଭାବେ ସେ ଗ୍ରହଣ କରି ନେଇଥିଲେ। ମୋ’ ଚାକିରି ଜୀବନ ତାଙ୍କରି ପାଖରୁ ଆରମ୍ଭ ହୋଇଛି। ୨୦୧୨ରେ ସେ ସେ ପୁଲିସ ବିଭାଗର ଆଇଜି (ଆଧୁନିକୀକରଣ) ଭା‌ବେ କାର୍ଯ୍ୟ କରୁଥିବା ବେଳେ ମୁଁ ସେହି ବିଭାଗରେ ଡିଆଇଜି ଭାବେ କାର୍ଯ୍ୟ କରୁଥିଲି। ବ୍ୟକ୍ତିଗତ ସମସ୍ୟାରେ ତାଙ୍କ ପରାମର୍ଶ ନେଉଥିଲି। ତାଙ୍କର ବିୟୋଗ ମୋ’ ପାଇଁ ଏକ ଅପୂରଣୀୟ କ୍ଷତି।
ଅସିତ ପାଣିଗ୍ରାହୀ, ଆଇଜି, ଭିଜିଲାନ୍‌ସ

ସ୍ବର ରହି ଯାଇଛି, ଶବ୍ଦ ଚାଲି ଯାଇଛି…

ଦିବଙ୍ଗତ ଦେବାଶିଷ ପାଣିଗ୍ରାହୀ ସୃଜନ କ୍ଷେତ୍ରରେ ଜଣେ ଗାଳ୍ପିକ ରୂପେ ପରିଚିତ ଥିଲେ ବି ଗୀତ ରଚନା କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ଥିଲା। ତତ୍କାଳୀନ ସାର୍ଥକ ମ୍ୟୁଜିକ ପାଇଁ ସେ କେତୋଟି ଗୀତ ରଚନା କରିଥିଲେ। ଧାନ କିଆରୀର ମାଟିର ଗନ୍ଧରେ…., ଏଇ ସହରର ରାଜପଥ ଧାରେ.. ଆଦି ଗୀତ ଆଜି ବି ସ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରେ।
ତାଙ୍କ ଗୀତର ବିଶେଷତ୍ବ ଥିଲା, ମାଟି ଓ ଗାଁକୁ ଝୁରି ହେବା… ସହରୀ ଜୀବନର ଚାକଚକ୍ୟ ଭିତରେ ଥିବା ନିସଂଗତାର ଚିତ୍ରଣ। ତଥାକଥିତ ବ୍ୟବସାୟିକ ଗୀତ ସେ ଲେଖୁ ନଥିଲେ। ବରଂ ନିଜ ମନକୁ ଶାନ୍ତି ଦେବା ପାଇଁ ସେ ଗୀତ ଲେଖୁଥିଲେ। ଯେଉଁଥି ପାଇଁ ତାଙ୍କ ଲେଖା ଗୀତର ସଂଖ୍ୟା ସ୍ବଳ୍ପ ହେଲେ ବି ପ୍ରଭାବଶାଳୀ। ଦେବାଶିଷଙ୍କ ଧର୍ମପତ୍ନୀ ଅଧ୍ୟାପିକା ଝୁମ୍‌କୀ ରଥ ଜଣେ ଶାସ୍ତ୍ରୀୟ ଗାୟିକା, ଉଚ୍ଚକୋଟୀର ଏବଂ ରୁଚିପୂର୍ଣ୍ଣ। ସଂଗୀତ ପ୍ରତି ଉଭୟଙ୍କର ସ୍ବତନ୍ତ୍ର ଭଲ ପାଇବା ଥିଲା। ଜଣେ ଶବ୍ଦ ହେଲେ ଆଉ ଜଣେ ତାର ସ୍ବର। ସ୍ବର ରହି ଯାଇଛି… ଶବ୍ଦ ଚାଲି ଯାଇଛି। ଦେବାଶିଷଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି।
ବିଜୟ ମଲ୍ଲ, ବିଶିଷ୍ଟ ଗୀତିକାର

ସମ୍ବନ୍ଧିତ ଖବର