ଓଡ଼ିଶା ସରକାର, ଗେଟ୍‌ସ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର

ଗେଟ୍‌ସଙ୍କ ପ୍ରଯୁକ୍ତିର ଲାଭ ଚାଷୀଙ୍କୁ ମିଳିବ

ଭୁବନେଶ୍ବର: ରାଜ୍ୟ କୃଷି, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ବିଲ୍‌-ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଜରିଆରେ କୃଷିକୁ ଚିରପୋଷଣୀୟ କରିବା, ବଜାର ଦକ୍ଷତା ବୃଦ୍ଧି, ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ସହିତ ମରୁଡ଼ି ଆଶଙ୍କା କମାଇବା, କୀଟ ଆକ୍ରମଣ, ଜଳବାୟୁଜନିତ ବିପଦକୁ ହ୍ରାସ କରିବା, ମୃତ୍ତିକା, ଜଳସମ୍ବଳ ପରିଚାଳନାକୁ ଦକ୍ଷ କରିବା ଆଦି ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି। ନାମମାତ୍ର, ଭୂମିହୀନ ଚାଷୀମାନଙ୍କ ଜୀବିକା ସମୃଦ୍ଧି ତଥା କୃଷିର ବିକାଶ ପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଥିବା କହିଛନ୍ତି କୃଷି ମନ୍ତ୍ରୀ ଡ.ଅରୁଣ ସାହୁ।

ଆଜି କୃଷି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଥିଲେ ଯେ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ ବିଭାଗ କ୍ଷୁଦ୍ର ଉତ୍ପାଦନକାରୀଙ୍କ ପାଇଁ ବିସ୍ତୃତ ସାମାଜିକ-ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଏହି ବୁଝାମଣାପତ୍ର ମାଧ୍ୟମରେ ଗେଟ୍‌ସ ଫାଉଣ୍ଡେସନ ଏବଂ ଏହାର ଭାଗୀଦାରମାନେ ଡାଟା ସିଷ୍ଟମ, ପ୍ରଯୁକ୍ତି ବିଦ୍ୟା ବିକାଶ, ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ। ବିଲ୍‌-ମେଲିଣ୍ଡା ଫାଉଣ୍ଡେସନର ନିର୍ଦେଶକ ଅଲକେଶ ୱାଧୱାନୀ କହିଥିଲେ ଯେ ଓଡ଼ିଶାର କ୍ଷୁଦ୍ରଚାଷୀଙ୍କ ଜୀବିକାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।

ଫାଉଣ୍ଡେସନ୍‌ ଓଡ଼ିଶା ସରକାରଙ୍କ ସହିତ କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ କ୍ଷେତ୍ରରେ ଅଧିକ ମୂଲ୍ୟଯୁକ୍ତ ଫସଲର ବିବିଧୀକରଣ, ଡିଜିଟାଲ ସମ୍ପ୍ରସାରଣ, ଭବିଷ୍ୟତ ପ୍ରଯୁକ୍ତି, ସମନ୍ବିତ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଡାଟାବେସ୍‌ ସୃଷ୍ଟି ଉପରେ କାର୍ଯ୍ୟ କରୁଛି। ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ କମିସନର ରଘୁ ପ୍ରସାଦ କହିଛନ୍ତି, ଡିସେମ୍ବର ମାସ ଶେଷ ତାରିଖ ସୁଦ୍ଧା ପଶୁ ସମ୍ବଳକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ଯେଉଁଥିରେ ପଶୁ ସମ୍ବଳର ବିକାଶ ନେଇ କେଉଁ ସେକ୍ଟରରେ ଟଙ୍କା ବିନିଯୋଗ ହେବ, ତାକୁ ନେଇ ଯୋଜନା ପ୍ରସ୍ତୁତ ହେବ। ସେହିପରି ମତ୍ସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ଅଣ୍ଡା ଉତ୍ପାଦନରେ ଉଦ୍ୟମୀମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ଏହାକୁ ଗୁରୁତ୍ବ ଦିଆଯିବ। କୃଷି ସଚିବ ସୁରେଶ ବଶିଷ୍ଠ ଚାଷୀ ଆୟ ବୃଦ୍ଧିକୁ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମରେ ୪ ଜଣ ଚାଷୀ ସେମାନଙ୍କ ଅନୁଭବ ବିଷୟରେ କହିଥିଲେ।

ସମ୍ବନ୍ଧିତ ଖବର