ଭୁବନେଶ୍ୱର : ରାଜ୍ୟରେ ବାଉଁଶ ହସ୍ତଶିଳ୍ପର ସର୍ବାଙ୍ଗିନ ବିକାଶ ନିମନ୍ତେ ଆଜି ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କଳାଭୂମିଠାରେ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଓଡ଼ିଶା ପିସିସିଏଫ୍‌ ଓ ବନବାହିନୀ ମୁଖ୍ୟ (ଏଚ୍‌ଓଏଫ୍‌ଏଫ୍‌) ଶିଶିର ରଥ, ହସ୍ତଶିଳ୍ପ ବିଭାଗ କମିସନର ତଥା ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ ଓ ଉନ୍ନୟନ ସଂସ୍ଥାର ରାଜ୍ୟ ମିସନ୍‌ ନିର୍ଦ୍ଦେଶକ ପ୍ରେମ କୁମାର ଝା ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।

Advertisment

ଓଡ଼ିଶା ଏକ ଉତ୍କୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟ। ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପକୁ ଆଧାର କରି କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ‘ବାଉଁଶ’ ହସ୍ତଶିଳ୍ପ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହସ୍ତଶିଳ୍ପ। ଏହି ସାମଗ୍ରୀଗୁଡ଼ିକ ପ୍ରାୟ ପ୍ରତି ଜିଲ୍ଲାରେ ଉତ୍ପାଦିତ ହେଉଥିଲେ ହେଁ ବିଶେଷଭାବେ ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଧା, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ଅଧିକ ଉତ୍ପାଦିତ ହୋଇଥାଏ। ରାଜ୍ୟରେ ଏହି ବାଉଁଶ ହସ୍ତଶିଳ୍ପର କାରିଗରଙ୍କ ସଂଖ୍ୟା ପ୍ରାୟ ୨୨ ହଜାରରୁ ଊର୍ଧ୍ବ।

ବାଉଁଶ ହସ୍ତଶିଳ୍ପ ପୁଞ୍ଜଗୁଡ଼ିକର ବିକାଶ ପାଇଁ ‘ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା’ ୭୨୧.୩୦ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ ପ୍ରଦାନ କରିଛି। ମୟୂରଭଞ୍ଜ ଜିଲ୍ଲାର ଇଚିଣ୍ଡା(ରାଇରଙ୍ଗପୁର), ଯାଜପୁର ଜିଲ୍ଲାର ଗୋପାଳପୁର (ରସୁଲପୁର), ଢେଙ୍କାନାଳ ଜିଲ୍ଲାର ବଉଳପୁର (ଓଡ଼ାପଡ଼ା), ବରଗଡ଼ ଜିଲ୍ଲାର ବରଗାଁ/କଣ୍ଟାପଲ୍ଲୀ, ବରଗଡ଼ ଜିଲ୍ଲାର ବ୍ରାହ୍ମଣଡିହି (ପଦ୍ମପୁର) ଓ ସୁବର୍ଣ୍ଣପୁର ଜିଲ୍ଲାର ବିନିକାର ବାଉଁଶ ହସ୍ତଶିଳ୍ପ ପୁଞ୍ଜ ପାଇଁ ଏହି ଅର୍ଥ ବ୍ୟୟ ହେବ। ଏହି କାର୍ଯ୍ୟକ୍ରମଗୁଡ଼ିକ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏହାର ଜିଲ୍ଲାସ୍ତରୀୟ ସହ ନିର୍ଦ୍ଦେଶକ (ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସଫଳ ରୂପାୟନ କରାଯିବ। ବାଉଁଶ ହସ୍ତଶିଳ୍ପ ପୁଞ୍ଜରେ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ, ଆଧୁନିକ ଯନ୍ତ୍ରପାତି ଦ୍ୱାରା କଞ୍ଚା ବାଉଁଶର ପ୍ରକ୍ରିୟାକରଣ ଓ କାରିଗରମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହେଉଛି ଏହି ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ। ଏହାବ୍ୟତୀତ ବଜାର ସହାୟତା ପାଇଁ ଗ୍ରାମାଞ୍ଚଳରେ ହାଟ ଓ ବାଉଁଶ ବଜାର ପ୍ରତିଷ୍ଠା ତଥା ଇ-ବାଣିଜ୍ୟର ଉପଯୋଗ ବି ଏହି ପ୍ରକଳ୍ପର କାର୍ଯ୍ୟପନ୍ଥା।

ବଜାର ଚାହିଦା ମୁତାବକ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ସିଡାକ୍‌ଠାରେ ଏକ ବଜାର ସହାୟତା ତଥା ନମୁନା ବିକାଶ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ଅଛି। ଆଜିର ଏହି ଉତ୍ସବରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥାର ରାଜ୍ୟ ମିସନ୍‌ ନିର୍ଦ୍ଦେଶକ ପ୍ରେମ କୁମାର ଝା ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ହସ୍ତଶିଳ୍ପ ଉପନିର୍ଦ୍ଦେଶକ ଶିଶିର କୁମାର ରଥ ଧନ୍ୟବାଦ ଦେଇଥିଲେ।