ଭୁବନେଶ୍ବର: ଇତିହାସ ଓ ଅସ୍ମିତା ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ବିନା ଇତିହାସରେ ଅସ୍ମିତା ଲେଖିବା ସମ୍ଭବ ନୁହେଁ। ସେହି ଇତିହାସ ହିଁ ପ୍ରକୃତ ଇତିହାସ, ଯାହା ଏକ ଜାତିକୁ ନିଜ ପରିଚୟ ସମ୍ପର୍କରେ ଆତ୍ମସଚେତନ କରେ। ନିଜ ଜାତିକୁ ଅଧିକରୁ ଅଧିକ ଜାଣିବା ପାଇଁ ଉତ୍ସାହିତ କରେ। ଓଡ଼ିଶା ସମ୍ପର୍କରେ ଅଧିକ ଜାଣିବାକୁ ଆମେ ଯେତେବେଳେ ‌ଉଦ୍ୟମ କରୁ, ପାଠାଗାରରେ ବହି ଖୋଜିଲେ ଆମକୁ ମିଳେନାହିଁ। ପାଠାଗାରଗୁଡ଼ିକରେ ଓଡ଼ିଶା ଇତିହାସକୁ ନେଇ ପର୍ଯ୍ୟାପ୍ତ ପୁସ୍ତକ ନ ରହିବା ନିଶ୍ଚିତ ଭାବେ ପରିତାପର ବିଷୟ। ଯଦି ଆମେ ଜାଣିବା ଅତୀତ ଆମର ଗୌରବମୟ ଓ ଅତି ଅତୀତ ଆହୁରି ଗୌରବମୟ, ତେବେ ଯାଇ ଆମେ ଓଡ଼ିଶାକୁ ନେଇ ଗର୍ବ କରିପାରିବା। ଆଜି ଆମେମାନେ ଆଧୁନିକତାର ଚାପରେ ଆମ ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ାଉଛେ। ଯେଉଁଠାରେ କି ସେମାନେ ଓଡ଼ିଶା ଇତିହାସ ପଢ଼ିବାର ଅବକାଶ ନାହିଁ। ଓଡ଼ିଶା ଇତିହାସ ସମ୍ପର୍କରେ ଆମ ଆଗାମୀ ପିଢ଼ିଙ୍କୁ ସଚେତନ କରାଇବାକୁ ନା ଆମର ପୁସ୍ତକ ଅଛି ନା ଉଦାହରଣ ବା ଉପାଦାନ ରହିଛି ବୋଲି କ୍ଷୋଭର ସହ କହିଛନ୍ତି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।

Advertisment

‘ସଚିତ୍ର ଓଡ଼ିଶା ଇତିହାସ’ ପୁସ୍ତକ ଲୋକାର୍ପିତ

ଆଜି ଇଂଜିନିୟର୍ସ ଭବନଠାରେ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବିଶିଷ୍ଟ ଐତିହାସିକ ଜଗନ୍ନାଥ ପଟ୍ଟନାୟକଙ୍କ ତ୍ରୟୋବିଂଶତମ ସ୍ମୃତି ସମାରୋହ’ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଓଡ଼ିଶା ଇତିହାସ ସମ୍ପର୍କରେ ଅଧିକରୁ ଅଧିକ ପୁସ୍ତକ ଲେଖି ସାଧାରଣ ନାଗରିକଙ୍କୁ ଗର୍ବ କରିବାର ସୁଯୋଗ ଦେବାକୁ ସେ ଐତିହାସିକମାନଙ୍କୁ ଅନୁରୋଧ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଐତିହାସିକ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ଜାତି ପାଇଁ ଇତିହାସର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ବି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସ୍ବର୍ଗତ ପଟ୍ଟନାୟକଙ୍କ ପୁତ୍ର ପ୍ରଫେସର ନିହାର ପଟ୍ଟନାୟକଙ୍କ ପୁସ୍ତକ ‘ସଚିତ୍ର ଓଡ଼ିଶା ଇତିହାସ’ ଲୋକାର୍ପିତ ହୋଇଥିଲା। ଏହି ଅବସରରେ ‘ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ଇତିହାସ ରଚନାରେ ସାହିତ୍ୟିକ ଦୃଷ୍ଟିଭଙ୍ଗୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରକାଶକ ଭାବେ କଟକ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନକୁ ‘ଶ୍ରୀଜଗନ୍ନାଥ ପଟ୍ଟନାୟକ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ଓୟୁଟିଆର୍‌ର କୁଳପତି ବିଭୂତି ଭୂଷଣ ବିଶ୍ବାଳ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ବାଗତ ଭାଷଣ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ ସଭା ସଞ୍ଚାଳନ କରିଥିଲେ।