ସହିଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱରରେ ପ୍ରତିଷ୍ଠା କରାଯିବ ସ୍ମାରକୀ: ମୁଖ୍ୟମନ୍ତ୍ରୀ

ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ । ସହିଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ ବୋଲି ସେ କହିଥିଲେ । କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହ କହିଥିଲେ।

ସହିଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ। ଏଥିରେ ସହିଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ ସାରା ବିଶ୍ୱ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠା, ତ୍ୟାଗ ଓ ସେବା ଯୋଗୁ ଆମେ ଆଜି ଭଲ ସ୍ଥିତିରେ ରହିଛୁ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁଃଖର କଥା ଯେ ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ ଯୋଦ୍ଧା ସହିଦ ହୋଇଛନ୍ତି। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ। ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ଆପଣମାନଙ୍କ ସହିତ ଅଛନ୍ତି। ଏ ଶୂନ୍ୟତା କେବେ ବି ପୂରଣ କରିହେବ ନାହିଁ। ଆମେ କେବଳ ଆପଣମାନଙ୍କୁ ଏତିକି ସହାୟତା କରିପାରିବୁ ଯେଉଁଥିରେ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁ ଯେପରି ଆପଣଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।

ମାଲକାନଗିରି, କଟକ, ବରଗଡ, ବାଲେଶ୍ୱର ଓ ଗଞ୍ଜାମରେ ଉପସ୍ଥିତ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ସହିଦମାନଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ଓ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଓଡିଶା ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିପାରିଛି। ୧୦ ଲକ୍ଷ ପ୍ରବାସୀ ଓଡିଆଙ୍କ ଆଗମନ ସମୟରେ ରାଜ୍ୟର ପରିଚାଳନା ଉଲ୍ଲେଖନୀୟ ଥିଲା ବୋଲି ସେ କହିଥିଲେ। ଆମର ସଠିକ ଯୋଜନା ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ କୋଭିଡ ଯୁଦ୍ଧରେ ସଫଳତା ମିଳିପାରିଛି ବୋଲି ସେ କହିଥିଲେ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ ଓଡିଶା ଅତ୍ୟନ୍ତ ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିଛି। ଏଥିରେ ୧୦୧ ଜଣ କୋଭିଡ ଯୋଦ୍ଧା ସହିଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୯୬ ଜଣ ସହିଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ବାକି ୫ ଜଣ ସହିଦଙ୍କ ପରିବାରକୁ ସହାୟତା ଦିଆଯିବ।

ଏହି କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସଂପର୍କରେ ଏକ ଭିଡିଓ ଚିତ୍ର ପଦର୍ଶନ କରାଯାଇଥିଲା ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧିତ ଖବର