ଚରମ ଅବହେଳାରେ ସହିଦ ବାଘାଯତୀନଙ୍କ ସ୍ମୃତିପୀଠ

ନିର୍ବାଚିତ ଜନପ୍ରତିନଧିଙ୍କ ନାହିଁ ଆନ୍ତରିକତା, ସରକାର ଉଦାସୀନ

ବାଲେଶ୍ବର : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ପାଳୁଛି ଆଜାଦୀ କି ଅମୃତ ମହୋତ୍ସବ। ସମୟ ବିତିବା ସହ, ଦେଶର ଯୁବପିଢ଼ି ଆମ ପୂର୍ବ ପୁରୁଷଙ୍କ ବଳିଦାନକୁ ମନେ ପକାଇବା ଏବଂ ସଂଗ୍ରାମୀଙ୍କ ବିଷୟରେ ଦେଶବ୍ୟାପୀ ଅବଗତ କରାଇବା ଲାଗି କେନ୍ଦ୍ର ସରକାର ଆହ୍ବାନ ଦେଇଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ, ସ୍ବାଧୀନତା ପାଇଁ ରକ୍ତରଂଜିତ ହୋଇଥିବା ବାଲେଶ୍ବର ମାଟି ପାଇଁ ଏଯାଏ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କର ନିଦ ଭାଙ୍ଗିନାହିଁ। ଫଳରେ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିପୀଠ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅବ୍ୟବସ୍ଥିତ ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଛି। ଯାହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛି ବିପ୍ଳବୀ ବୀର ବାଘାଯତୀନଙ୍କ ବାଲେଶ୍ବରରେ ଥିବା ସ୍ମୃତିପୀଠ।

ଜିଲ୍ଲାର ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ତଥା ୧୬ ନମ୍ବର ଜାତୀୟ ରାଜପଥର ଫୁଲାଡ଼ି ଛକଠାରୁ ୨ କିଲୋମିଟର ଦୂରରେ ରହିଛି ଦେଶୁଆଁ ପୋଖରୀ। ଏଥିସହ ବାଲେଶ୍ବର ସହରର ବାରବାଟୀ ବାଳିକା ହାଇସ୍କୁଲ(ଯାହା ବ୍ରିଟିସ ସରକାର ସମୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଥିଲା) ଏବଂ ଜିଲ୍ଲା କାରଗାର ପରିସର ଏହି ୩ଟି ସ୍ଥାନ ସହ ବାଘାଯତୀନ ଏବଂ ତାଙ୍କ ସହଯୋଗୀମାନଙ୍କର ଅମର ଗାଥା ଏବେ ବି ସତେଜ ରହିଛି। ବାଲେଶ୍ବର ଜେଲ ପରିସରରେ ବାଘାଯତୀନ ଏବଂ ତାଙ୍କ ସହଯୋଗୀଙ୍କ ସମାଧି, ଫାଶୀଘର, କାରାଗାର ଆଦି ରହିଥିବା ବେଳେ ବାରବାଟୀ ବାଳିକା ହାଇସ୍କୁଲ ପରିସରରେ ବାଘାଯତୀନଙ୍କ ପ୍ରତିମୂର୍ତ୍ତି ଏବଂ ସେ ଚିକିତ୍ସା ହୋଇଥିବା ପ୍ରକୋଷ୍ଠକୁ ସ୍ମାରକୀ ଗୃହ ଭାବେ ବ୍ୟବହାର କରାଯାଉଛି। ତେବେ ରକ୍ଷଣାବେକ୍ଷଣ ଏବଂ ପ୍ରଚାରପ୍ରସାର ଅଭାବରୁ ଏସବୁ ବିଷୟ ଲୋକଲୋଚନ ଏବଂ ଯୁବପିଢ଼ିଙ୍କ ନିକଟରେ ପହଞ୍ଚି ପାରୁନାହିଁ।

ଦୁର୍ଭାଗ୍ୟର ବିଷୟ, ବାଘାଯତୀନ ସ୍ମୃତିପୀଠର ବିକାଶ ଲାଗି ୨୦୧୧ ମସିହାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଆସିଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇ ନ ପାରି ଫେରିଗଲା। ସେହିପରି ୨୦୧୯ ମସିହାରେ ପୁଣିଥରେ ଏହି ପୀଠର ବିକାଶ ଲାଗି ୬୬ ଲକ୍ଷ ୭୭ ହଜାର ଟଙ୍କାର ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆ ଯାଇଥିଲେ ହେଁ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆ ଯାଇନାହିଁ। ଫଳରେ ସ୍ମୃତିପୀଠ ଅବହେଳିତ ହୋଇ ପଡ଼ିରହିଛି। ଚାରିପଟେ ପାଚେରି ଗଳି ପଡ଼ିଥିବା ବେଳେ ଭିତରେ ସଫାସୁତରା ନିୟମିତ ବ୍ୟବଧାନରେ କରା ଯାଉନାହିଁ। ସିମେଣ୍ଟ ବେଞ୍ଚ୍‌, ସେଡ୍‌ ଓ ସମ୍ମିଳନୀ କକ୍ଷ ସବୁକିଛି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପୋଖରୀରେ ନୌବିହାର ପାଇଁ ପଡ଼ିଥିବା ବୋଟ୍‌ ଉଭାନ ହୋଇଗଲାଣି। ସମ୍ମିଳନୀ କକ୍ଷ, ପାର୍କ ଜଗୁଥିବା ଜଗୁଆଳଙ୍କ ଶୋଇବାଘର ଷ୍ଟୋରରୁମ୍‌ ପାଲଟିଥିବା ବେଳେ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳି ଏଠାରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରା ଯାଇନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ଜିଲ୍ଲାର ପ୍ରତିନିଧିତ୍ବ କରୁଛନ୍ତି। ସବୁବେଳେ କଳା, ସଂସ୍କୃତି, ପରମ୍ପରା ଏବଂ ରାଷ୍ଟ୍ରବାଦର କଥା କହିଆସୁଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଏହି ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଛନ୍ତି। ଭୋଗରାଇ ବିଧାୟକ ଅନନ୍ତ ଦାସ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଭଳି ରାଜ୍ୟ ରାଜନୀତିରେ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ଠାରୁ ନେତୃତ୍ବ ନେଉଥିବା ବେଳେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ ଏବଂ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଭଳି ନୂତନ ନେତୃତ୍ବ ମଧ୍ୟ ରହିଛନ୍ତି। ସେହିପରି ବାଘାଯନୀନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ବାଘାଯତୀନ ଉନ୍ନୟନ କମିଟି ଏବଂ ସହିଦ ବାଘାଯତୀନ ବିକାଶ ପରିଷଦ ନାମରେ ଦୁଇଟି ସଂଗଠନ ପଞ୍ଜୀକୃତ ହୋଇଛି। ଯେଉଁ ସଂଗଠନରେ ଖୋଦ୍‌ ବାଲେଶ୍ବର ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ସ୍ଥାନୀୟ ନେତା, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ମଧ୍ୟ ସଦସ୍ୟ ରହିଛନ୍ତି। ତେବେ ଦେଶ ଯେତେବେଳେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି; ସେତେବେଳେ ବାଘାଯତୀନଙ୍କ ସହ ଅନ୍ୟ ବିପ୍ଳବୀଙ୍କ ପାଇଁ ଆମେ କଣ କରିପାରିଛନ୍ତି ତାହା ଚିନ୍ତା କରିବାର ବେଳ ଆସିଛି।

ସମ୍ବନ୍ଧିତ ଖବର