ମାଲକାନଗିରି: ଜିଲ୍ଲା ସହିଦ ନର୍ସିଙ୍ଗ ଡମ ସମାଜ ତରଫରୁ ଆଦିବାସୀ ମାନ୍ୟତା ଦାବି ନେଇ ସମାଜ ସଭାପତି ବଳରାମ ଅନୁଗୁଳିଆଙ୍କ ନେତୃତ୍ୱରେ ଡମ ସମାଜର କର୍ମକର୍ତ୍ତା କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ କଂଗ୍ରେସ ଦଳର ବିଧାୟକ ନେତା ରାମ କାଡାମଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସାଂସଦ ଶ୍ରୀ ଉଲାକା ଦାବିପତ୍ର ଗ୍ରହଣ କରିବା ପୂର୍ବରୁ ଡମ କେଉଁ ଆଧାରରେ ଆଦିବାସୀ ମାନ୍ୟତା ପାଇବା ନିମନ୍ତେ ଯୋଗ୍ୟ ଏବଂ ଏଥିନେଇ କିଛି ତଥ୍ୟ ପ୍ରମାଣ ବାବଦରେ ପ୍ରଶ୍ନ କରିଥିଲେ। ସାଂସଦଙ୍କ ପ୍ରଶ୍ନର ଉତ୍ତର ଡମ ସମାଜର ବରିଷ୍ଠ କର୍ମକର୍ତ୍ତାମାନେ ସ୍ପଷ୍ଟ ଭାବରେ ସଂସଦଙ୍କୁ ଅବଗତ କରାଇଥିଲେ ଯେ ୧୯୪୧ ମସିହା ଜନଜାତି ଜନଗଣନା ଅନୁଯାୟୀ ତତ୍କାଳୀନ କୋରାପୁଟ ଜିଲ୍ଲା ଡମ ଜନଜାତିର ଜନସଂଖ୍ୟ ୧୦୩୩୮୮ ରହିଥିଲା।

Advertisment

ତତ୍କାଳୀନ କୋରାପୁଟ ଜିଲ୍ଲାର ୧୩ ଗୋଟି ଜନଜାତିଙ୍କ ତାଲିକା ମଧ୍ୟରୁ ଡମ ଜନଜାତି ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ୧୯୫୯ରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ତାଲିକା ସମୟରେ ଡମ ଜନଜାତିକୁ ଜନଜାତି ତାଲିକାରୁ ବାଦ ଦିଆଯାଇଛି। ଫଳରେ ଡ଼ମ ଜନଜାତି ସାମାଜିକ, ଅର୍ଥନୀତିକ ଶିକ୍ଷା ତଥା ନିଜର ମୂଳ ଜାତି ଜନଜାତିରୁ ବଞ୍ଚିତ ରହି ସାମ୍ବିଧାନିକ ହକ ଅଧିକାରରୁ ବଞ୍ଚିତ ରହି ଆସୁଛି। ଏଥିସହ ୧୯୩୧ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ତତ୍କାଳୀନ କୋରାପୁଟ ଜିଲ୍ଲାର ପ୍ରଥମ ପ୍ରଶାସକ ଆର.ସି.ଏସ ବେଲ ( ଆଇ.ସି.ଏସ ) କୋରାପୁଟ ଗେଜେଟରେ ୧୯୪୫ ମସିହା ସରକାରୀ ସଂସ୍କାରଣରେ ପେଜ ନମ୍ବର- ୬୩, ୭୯, ୮୧, ୮୫, ୧୨୦, ୧୪୯ ରେ ଡମ ଜନଜାତିଙ୍କ ବାବଦରେ ଉଲ୍ଲେଖ କରି ସରକାରୀ ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି। ତଥାପି ଡମ ଜାତି କେଉଁ ପରିସ୍ଥିତିରେ ଡମ ଜନଜାତି ଆଦିବାସୀ ମାନ୍ୟତରୁ ବାଦ ପଡିଛି।ଭାରତ ସରକାରଙ୍କ ଜନଜାତି ଜାତୀୟ କମିସନ ୧୬.୮.୨୦୧୭ରେ ୧୩ ଜଣିଆ ଜନଜାତି କମିସନ କମିଟିଙ୍କ ସମେତ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅନୁସନ୍ଧାନ ଓ ତାଲିମ ଅନୁଷ୍ଠାନ ଭୁବନେଶ୍ୱରର କମିସନର ତଥା ନିର୍ଦେଶକ ଏକ ମାନ ଦଣ୍ଡ ପ୍ରସ୍ତୁତ କରଥିଲେ।

ପୂର୍ବ ଲୁକର କମିଟି ଅନୁଯାୟୀ ଜନଜାତି ମାନ୍ୟତା ନିମନ୍ତେ ଆଦିମ ଗୁଣ, ଭିନ୍ନ ସଂସ୍କୃତି, ଭୌଗଳିକ ବିଛିନ୍ନତା, ସମୂହ ଭାବରେ ଆନ୍ୟ ଠାରୁ ଭିନ୍ନ ହୋଇ ରହିବା ଏବଂ ଆର୍ଥିକ ସାମାଜିକ କ୍ଷେତ୍ରରେ ପଛୁଆ ହୋଇ ରହିବା।ଏହି ପାଞ୍ଚଟି ମାପଦଣ୍ଡ ମଧ୍ୟରେ ଡମ ସମାଜ ପୂର୍ବରୁ ରହିଆସୁଛି ଏବଂ ବର୍ତ୍ତମାନ ମଧ୍ୟ ରହୁଛି।ଡମ ଜନଜାତି ଆଜିବି ସାମଜିକ ରୀତିନୀତି ହେଉ, ଭାଷା, ସଂସ୍କୃତି ନିଜର ସ୍ୱତନ୍ତ୍ରତା ସହ ଚଳି ଆସୁଛି।ଏଣୁ ଡମ ଜାତିକୁ ତାର ପୂର୍ବ ଅଧିକାର ଯାହାକି ଜନଜାତିର ମାନ୍ୟତା ପ୍ରଦାନ କରାଯାଉ ବୋଲି କର୍ମକର୍ତ୍ତାମାନେ ସାଂସଦ ଶ୍ରୀ ଉଲାକାଙ୍କୁ ଅବଗତ କରାଇଥିଲେ।ସମସ୍ତ ତଥ୍ୟ ଏବଂ ତସ୍ତାବିଜ ଦେଖି ବୁଝିବା ପାଇଁ ସାଂସଦ ଏକ ଟିମକୁ ଦିଲ୍ଲୀ ଡାକିଛନ୍ତି।ସମସ୍ତ ବିଷୟ ବୁଝିବା ପରେ ଏଥିନେଇ ପଦକ୍ଷେପ ନେବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉପମୂଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସହିଦ ନର୍ସିଙ୍ଗ ଡମ ସମାଜର କୋର କମିଟି ସଭାପତି ବଳରାମ ଅନୁଗୁଳିଆ, ସଂପାଦକ ତୁଳସୀ ରାମ ଦଳେଇ,ସନ୍ତୋଷ ନାଗ, ପର୍ଶୁରାମ ଭକ୍ତ,ଭୀମ ଖିଲ, ବସନ୍ତ ନାୟକ, ବଳରାମ ନାଗ, ଡମ୍ବରୁ ବାଘ,କାଳିଦାସ ସଗଡିଆ,ସୁବାଷ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।