କ୍ରେନ୍‌ ଧକ୍କାରେ ରେଳଧାରଣା ବଙ୍କା : ଦୁର୍ଘଟଣାରୁ ବର୍ତ୍ତିଲା ‘ମେମୁ’

ଶ୍ରମିକ ସାର୍ଟ ଖୋଲି ଦେଖାଇଲେ ରେଡ୍‌ ସିଗନାଲ୍‌

କଟକ/ଫୁଲନଖରା : କଟକ-ବ୍ରହ୍ମପୁର ମଧ୍ୟରେ ଚାଲୁଥିବା ମେନ୍‌ଲାଇନ ମଲଟି ୟୁନିଟ (ମେମୁ) ଟ୍ରେନ ନିଶ୍ଚିତ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। କ୍ରେନ୍‌ ଧକ୍କାରେ ରେଳ ଧାରଣା ବଙ୍କା ହୋଇଥିବାବେଳେ ସେଠାରେ କାର୍ଯ୍ୟରତ କିଛି ଶ୍ରମିକଙ୍କ ଉପସ୍ଥିତ ବୁଦ୍ଧି ଶତାଧିକ ରେଳଯାତ୍ରୀଙ୍କ ଜୀବନ ବଞ୍ଚାଇପାରିଛି। ଆଜି ସଂଧ୍ୟାରେ ଏଭଳିି ଏକ ଘଟଣା ଘଟିଛି କଟକ ନିକଟସ୍ଥ ଗୋପାଳପୁର-ବାଲିକୁଦା ରେଳଷ୍ଟେସନରେ।

ସୂଚନା ଅନୁଯାୟୀ ଗତ ୧୫ ଦିନ ହେବ ଗୋପାଳପୁର-ବାଲିକୁଦା ପାସେଞ୍ଜର ହଲ୍‌ଟର ଫୁଟ୍‌ ଓଭର ବ୍ରିଜ ମରାମତି କାମ ଚାଲିଛି। ଏଥିପାଇଁ ଏକ କ୍ରେନ ନିୟୋଜିତ ହୋଇଥିବା ବେଳେ ଆଜି ଏହାର ଶେଷ କାମ ଚାଲିଥିଲା। କ୍ରେନ ଧକ୍କାରେ ଷ୍ଟେସନର ପ୍ରବେଶ ପଥରେ ଥିବା ଅପଲାଇନ୍‌ ବଙ୍କା ହୋଇଯାଇଥିଲା। ଏହି ସମୟରେ କଟକରୁ ବ୍ରହ୍ମପୁର ଅଭିମୁଖେ ‘ମେମୁ’ ଯାତ୍ରୀବାହୀ ଟ୍ରେଟ୍‌ଟି ବାଲିକୁଦା ଷ୍ଟେସନ ମଧ୍ୟକୁ ପ୍ରବେଶ କରୁଥିଲା । ତେବେ ଏକ ନିଶ୍ଚିତ ଦୁର୍ଘଟଣାର ଆଶଙ୍କା କରି ସେଠାରେ କାର୍ଯ୍ୟରତ ଥିବା କିଛି ଶ୍ରମିକ ନିଜ ଦେହରୁ ଲାଲ ରଙ୍ଗର ସାର୍ଟ ଖୋଲି ଟ୍ରେନ ସାମନାରେ ହଲାଇଥିଲେ। ଫଳରେ ଟ୍ରେନଟି ଷ୍ଟେସନରେ ପ୍ରବେଶ ପୂର୍ବରୁ ଅଟକି ଯାଇଥିଲା। ପ୍ରାୟ ଅଧଘଣ୍ଟା କାଳ ଟ୍ରେନ୍‌ଟି ସେଠାରେ ଅଟକି ରହିଥିବାବେଳେ ଟ୍ରେନ ଡ୍ରାଇଭର ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଖବର ପାଇ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରୁ ବରିଷ୍ଠ ଅଧିକାରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ଧାରଣା ମରାମତି କରିଥିଲେ । ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଏହି ଘଟଣାର ତଦନ୍ତ ପାଇଁ ଖୋର୍ଦ୍ଧା ରୋଡ୍‌ ରେଳବାଇ ଡିଆର୍‌ଏମ୍‌ ବ୍ରିଜମୋହନ ଅଗ୍ରଓ୍ଵାଲ ଏକ ୪ ଜଣିଆ ଟିମ୍‌ ଗଠନ କରିଛନ୍ତି। ୪୮ ଘଣ୍ଟା ଭିତରେ ତଦନ୍ତ ରିପୋର୍ଟ ଦେବା ପାଇଁ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର