ବାତ୍ୟା ପରେ ପୁରୀରୁ ଅନୁଗୁଳ-ତାଳଚେରକୁ ଚାଲିଲା ମେମୁ ଟ୍ରେନ୍‌

ଭୁବନେଶ୍ୱର: ବାତ୍ୟା ଯୋଗୁଁ ବାତିଲ ଥିବା ପୁରୀ-ଅନୁଗୁଳ ଏବଂ ପୁରୀ-ତାଳଚେର ମେମୁ ଟ୍ରେନ୍‌ ଶୁକ୍ରବାର ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହି ଟ୍ରେନ୍‌ ଚାଲିବା ଦ୍ୱାରା ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସାଧାରଣ ଯାତ୍ରୀଙ୍କୁ ଯିବା ଆସିବାରେ ସୁବିଧା ହୋଇପାରିଛି। ବର୍ତ୍ତମାନ ପୁରୀରୁ କେବଳ ୪ଟି ଏକ୍ସପ୍ରେସ ବ୍ୟତୀତ ବାକି ସମସ୍ତ ଟ୍ରେନ୍‌ ଚଳାଚଳ କରୁଥିବା ଜଣାପଡ଼ିଛି। ବାକି ଥିବା ଅନ୍ୟ ଟ୍ରେନ୍‌ ଗୁଡ଼ିକ ୧୨ ତାରିଖ ପରଠାରୁ ନିୟମିତ ଭାବେ ଚାଲିବ ବୋଲି ପୂର୍ବତଟ ରେଳପକ୍ଷରୁ କୁହାଯାଇଛି।

ଖଡ଼ଗପୁର-ଯାଜପୁର-କେନ୍ଦୁଝରରୋଡ ପାସେଞ୍ଜର ଗୁରୁବାର ଠାରୁ ପୁଣି ଆରମ୍ଭ ହୋଇଯାଇଛି। ଖଡ଼ଗପୁର-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ହାଓ୍ଵଡା-ଭଦ୍ରକ ପାସେଞ୍ଜର, ଭଦ୍ରକ-ଭୁବନେଶ୍ୱର ମେମୁ, କଟକ-ପଲାସା, କଟକ-ଇଚ୍ଛାପୁରମ ପାସେଞ୍ଜର ଚାଲିଛି। ସେହିପରି ଅନୁଗୁଳ-ପୁରୀ ମେମୁ, ଭୁବନେଶ୍ୱର-ବ୍ରହ୍ମପୁର ମେମୁ ଟ୍ରେନ ସମେତ ଭୁବନେଶ୍ୱର-ପଲାସା ମେମୁ, ପଲାସା-ବିଶାଖାପାଟଣା ପାସେଞ୍ଜର ଚାଲିଛି। ଦୀର୍ଘ ୭ ଦିନ ଯାଏଁ ଟ୍ରେନ ସେବା ପ୍ରଭାବିତ ହେବା ପରେ ପୁଣି ଥରେ ଏହା ଆରମ୍ଭ ହୋଇଥିବାରୁ ଯାତ୍ରୀମାନଙ୍କ ମନରେ ଉତ୍ସାହ ଦେଖାଯାଇଛି।

ଭୁବନେଶ୍ୱରସ୍ଥିତ ରେଳକୁଞ୍ଜରେ ରେଲବାଇର ସ୍ଥିତି ସମୀକ୍ଷା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର କହିଥିଲେ, ପୁରୀକୁ ରେଳ ଚଳାଚଳ ସ୍ୱାଭାବିକ ହେଉଛି। ରେଳବାଇର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ କଟକ ଜୋନ୍‌ରେ ବ୍ୟାପକ କ୍ଷତି ହୋଇଛି।

ସମ୍ବନ୍ଧିତ ଖବର