ଭୁବନେଶ୍ବର: କେନ୍ଦ୍ରାପଡ଼ାବାସୀଙ୍କୁ ମେମୁଟ୍ରେନ୍‌ ଉପହାର ମିଳିବ। ଜନସାଧାରଣଙ୍କର ଯାତାୟତ ସୁବିଧା ପାଇଁ କେନ୍ଦ୍ରାପଡ଼ାକୁ ଟ୍ରେନ୍‌ ନେଟୱର୍କ ସହିତ ଯୋଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ମେମୁ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଡିଆରଏମ୍‌ ଏସ୍‌ଏସ୍‌ ବାଜୱା ଏହି ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦୀ ମେମୁଟ୍ରେନର ଶୁଭାରମ୍ଭ କରିବେ। ଏହି ଟ୍ରେନ୍‌ ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝର ଯାଏଁ ଗଡ଼ିବ। ଏ ନେଇ ଆଜି ପରାଦୀପ-ହରିଦାସପୁର ଲାଇନ୍‌ର ଯାଞ୍ଚ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଶୃଙ୍ଖଳିତ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଚଣ୍ଡିଖୋଲ ଡାକବଙ୍ଗଳା ଠାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ଡିଆଇଜି ବ୍ରିଜେଶ ରାୟ, ଯାଜପୁର ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର ଓ ଯାଜପୁର ଏସ୍‌ପି ଭିନୀତ ଅଗ୍ରୱାଲ, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଓ ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକଙ୍କ ସମେତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ, ଗୁଇନ୍ଦା ସଂସ୍ଥା, ରାଜ୍ୟର ଉଚ୍ଚ ପ୍ରଶାସନିକ ଅଧିକାରୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଏହି ଅଧିକାରୀମାନେ ଚଣ୍ଡିଖୋଲ ନିକଟ ବେଣାପୁରକୁ ଆସି ସଭାସ୍ଥଳ ପରିଦର୍ଶନ କରିଥିଲେ। ଏଠାରେ ସଭାସ୍ଥଳ, ହେଲିପ୍ୟାଡ୍‌, ପାର୍କିଂ ବ୍ୟବସ୍ଥା ସହିତ ସୁରକ୍ଷା ସମ୍ପର୍କିତ ସ୍ଥିତ ପରଖି ଥିଲେ।