ସମ୍ବାଦ ମହାପ୍ରଭାବ : ମେଣ୍ଡରାଜ୍‌ପୁର ବସ୍‌ ଟ୍ରାଜେଡ଼ି, ୭ଜଣଙ୍କୁ ମିଳିଲା ଭିନ୍ନକ୍ଷମ ପ୍ରମାଣପତ୍ର

ଚାଲିବେ ଶାରଦା, ଲାଗିବ କୃତ୍ରିମ ଅଙ୍ଗ

ବ୍ରହ୍ମପୁର/ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜ୍‌ପୁର ଗାଁରେ ୨୦୨୦ ଫେବ୍ରୁଆରି ୯ତାରିଖରେ ଘଟିଥିଲା ଛାତିଥରା ଅଘଟଣ। ନିର୍ବନ୍ଧ ଲାଗି ବରଘର ଲୋକଙ୍କୁ ନେଇ ଯାଉଥିବା ‘ସିଲକ୍‌ ସିଟି’ ନାମକ ବସ୍‌ ୧୧କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୨ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ବର୍ଷେ ବିତିବାକୁ ବସିଥିବା ସତ୍ତ୍ବେ ସହାୟତା ଦୂର କଥା ପଙ୍ଗୁ ହୋଇ ଯାଇଥିବା ୬ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ରଟିଏ ଦେବାରେ ପ୍ରଶାସନ ବିଫଳ ହୋଇଥିବା ସଂକ୍ରାନ୍ତରେ ତଥ୍ୟ ସମ୍ବଳିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ଚେତିଛି। ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଥିବା ବି.ଶାରଦାଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ ଓ ସେ ଚାଲିବେ ବୋଲି ପ୍ରଶାସନ କହିଛି। କୃତ୍ରିମ ଗୋଡ଼ର ମାପ ନିଆଯାଇଛି। ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ବ୍ୟୟ ହେବ। ଆ‌ସନ୍ତା ଏକ ମାସ ମଧ୍ୟରେ ଶାରଦା ଚାଲିବେ। ଏଥିସହ ପକ୍ଷାଘାତରେ ପୀଡ଼ିତା ଶାରଦାଙ୍କ ସ୍ବାମୀ ବି.ଗୋାଳଙ୍କୁ ମଧ୍ୟ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ମନସ୍ତତ୍ତ୍ବବିତ୍‌ ଅଜୟ କୁମାର ରାଉତ କହିଛନ୍ତି।

କେନ୍ଦ୍ର ପକ୍ଷରୁ ଶୁକ୍ରବାର ମେଣ୍ଡରାଜ୍‌ପୁର ଗାଁରେ ସ୍ବତନ୍ତ୍ର ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସମୁଦାୟ ୧୩ଜଣଙ୍କୁ ଚିହ୍ନଟ କରି ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏହି ୧୩ଜଣଙ୍କ ମଧ୍ୟରେ ମେଣ୍ଡରାଜ୍‌ପୁର ବସ୍‌ ଦୁର୍ଘଟଣାରେ ଭିନ୍ନକ୍ଷମ ପାଲଟିଥିବା ୭ଜଣ ଅଛନ୍ତି। ବି.ଗୋପାଳ ରେଡ୍ଡୀ, ୟୁ.ମୋହିନୀ ରେଡ୍ଡୀ, ବି.ପ୍ରସାଦ ରେଡ୍ଡୀ, ବି.ଆଙ୍କମା ରେଡ୍ଡୀ, କେ.ଜାନକୀ ଆମ୍ମା ଓ ସି.ବଳରାମ୍‌ ରେଡ୍ଡୀଙ୍କ ସମେତ ୭ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି। ଅଜିତ କୁମାର ରାଉଳ, ମୁରଲୀଧର ବେହେରା, ପ୍ରଶାନ୍ତ କୁମାର ନାହାକ ଓ ସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମର ୟୁ. ସନ୍ନ୍ୟାସୀଙ୍କ ପୁଅ ଅଶୋକଙ୍କ ବାହାଘର ଚିକରଡ଼ାର ବୁଲୁ ରେଡ୍ଡୀଙ୍କ ଝିଅ ପଲ୍ଲବୀ ସହିତ ସ୍ଥିର ହୋଇଥିଲା। ଗତବର୍ଷ ଫେବ୍ରୃଆରି ୯ ତାରିଖରେ ପୁଅ ଘର ଲୋକମାନେ ନିର୍ବନ୍ଧ ପାଇଁ ଚିକରଡ଼ା ଅଭିମୁଖେ ବସ୍‌ରେ ବାହାରିଥିବା ବେଳେ ମେଣ୍ଡରାଜପୁର ଛକରେ ମୃତ୍ୟୁ ଛକିଥିଲା। ରାସ୍ତାରେ ଝୁଲି ରହିଥିବା ୧୧ କେଭି ତାର ବସ୍‌ ସଂସ୍ପର୍ଶରେ ଆସି ଡଙ୍କଲପାଡ଼ୁ ଗ୍ରାମର ୯ଜଣଙ୍କ ସମେତ ସମୁଦାୟ ୧୨ଜଣ ଆଖି ବୁଜିଥିଲେ। ଆହତଙ୍କ ମଧ୍ୟରୁ ୧୧ଜଣ ଗୁରୁତର କଟକ ବଡ଼ ଡାକ୍ତରଖାନାରେ ୨ରୁ ୩ମାସ ଧରି ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ହେଲେ ଏହି ଦୁର୍ଘଟଣା ଅନେକଙ୍କୁ ଭିନ୍ନକ୍ଷମ ସଜାଇ ଦେଇଛି। କିଏ ଦୁଇ ଗୋଡ଼ ହରାଇଛି ତ, କିଏ ହାତ ଏବଂ ଆଉ କିଏ ହାତ ପାପୁଲି ହରାଇଛନ୍ତି। କିଏ କୌଣସି ଅଙ୍ଗପ୍ରତ୍ୟଙ୍ଗ ହରାଇ ନ ଥିଲେ ବି କୌଣସି କାମ କରି ପାରୁନାହାନ୍ତି।

ସମ୍ବନ୍ଧିତ ଖବର