ମେଣ୍ଡରାଜପୁର ବସ୍ ଟ୍ରାଜେଡିକୁ ୩ ବର୍ଷ, ଭୁଲି ହେଉନି ଛାତିଥରା ଦୃଶ୍ୟ

ଗୋଳନ୍ଥରା : ୨୦୨୦ ମସିହା ଫେବ୍ରୁଆରି ୯ ତାରିଖ ରବିବାର। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମର ୟୁ.ସନ୍ନ୍ୟାସୀ ରେଡ୍ଡୀଙ୍କ ପୁଅ ଅଶୋକଙ୍କ ବାହାଘର ଚିକରଡ଼ାର ବୁଲୁ ରେଡ୍ଡୀଙ୍କ ଝିଅ ପଲ୍ଲବୀ (ପଦ୍ମା)ଙ୍କ ସହ ସ୍ଥିର ହୋଇଥିଲା। ସେଦିନ ଉଭୟଙ୍କ ନିର୍ବନ୍ଧ ଥିଲା। ପୁଅଘର ଲୋକେ ‘ସିଲକ୍‌ ସିଟି’ ନାମକ ଏକ ବସ୍‌ରେ ନିର୍ବନ୍ଧ ପାଇଁ ଚିକରଡ଼ା ଅଭିମୁଖେ ବାହାରିଥିଲେ। ହେଲେ ଘର ଠାରୁ ମାତ୍ର ୨ କିମି ଦୂର ମେଣ୍ଡରାଜ୍‌ପୁର ଛକରେ ଘଟିଥିଲା ଛାତିଥରା ଅଘଟଣ। ରାସ୍ତାରେ ଯେଭଳି ମୃତ୍ୟୁ ଛକି ରହିଥିଲା। ଝୁଲି ରହିଥିବା ଏକ ୧୧କେଭି ବିଦ୍ୟୁତ ତାର ବସ୍‌ ସଂସ୍ପର୍ଶରେ ଆସିଥିଲା। ସମୁଦାୟ ବସ୍‌ଟି କରେଣ୍ଟ୍ ଚାର୍ଜ ହୋଇଯିବା ସହ ୧୨ ଜଣଙ୍କ ଜୀବନଦୀପ ଲିଭିଯାଇଥିଲା। ୧୩ ଜଣ ଗୁରୁତର ହୋଇଥିଲେ। ନିର୍ବନ୍ଧ ଅଧୁରା ରହିଯାଇଥିଲା। ଏହାସହ ୧୧ ତାରିଖରେ ହେବାକୁ ଥିବା ବାହାଘର ବି ସ୍ଥଗିତ ରଖାଯାଇଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟକୁ ସ୍ତବ୍ଧ କରିପକାଇଥିଲା।

ବର୍ତ୍ତମାନ ଏହି ଛାତିଥରା ଅଘଟଣକୁ ତିନିବର୍ଷ ବିତିଛି। ଏହାମଧ୍ୟରେ ୨୦୨୦ ମସିହା ଜୁନ୍ ୨୦ ତାରିଖରେ ଅଶୋକ ଓ ପଲ୍ଲବୀ ନିରାଡ଼ମ୍ବର ଭାବେ ବିବାହ ବନ୍ଧନରେ ଆବଦ୍ଧ ହେବା ସହ ସେମାନେ ଏକ କନ୍ୟା ସନ୍ତାନର (୫ ମାସ) ପିତାମାତା ହୋଇସାରିଛନ୍ତି। ସେହିପରି ମୃତକ ଓ ଗୁରୁତରଙ୍କ ପରିବାରବର୍ଗଙ୍କ ଜୀବନଜୀବିକା ସ୍ବାଭାବିକ ହୋଇଛି। ମୃତକଙ୍କ ପରିବାରବର୍ଗକୁ ୮ ଲକ୍ଷ ଟଙ୍କା ଓ ଗୁରୁତରଙ୍କ ପରିବାରକୁ ୨ଲକ୍ଷ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି। ତେବେ ସେହି କାଳ ରବିବାରର ଛାତିଥରା ଦୃଶ୍ୟକୁ ଭୁଲିବା କଷ୍ଟସାଧ୍ୟ ବୋଲି ସେମାନେ କହିଛନ୍ତି। କେବଳ ଏତିକି ନୁହେଁ, ମେଣ୍ଡରାଜପୁର ଛକ ଦେଇ ଗଲାବେଳେ ଆଖି ଆଗରେ ଏହି ଘଟଣା ନାଚି ଉଠୁଛି ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ଏହି ବସ୍‌ ଦୁର୍ଘଟଣାରେ ଅକର୍ମଣ୍ୟ ପାଲଟିଥିବା ବି.ଗୋପାଳ ରେଡ୍ଡୀ, ୟୁ.ମୋହିନୀ ରେଡ୍ଡୀ, ବି.ପ୍ରସାଦ ରେଡ୍ଡୀ, ବି.ଆଙ୍କମା ରେଡ୍ଡୀ, କେ.ଜାନକୀ ଆମ୍ମା ଓ ସି.ବଳରାମ୍‌ ରେଡ୍ଡୀଙ୍କ ପରିବାରକୁ ସରକାରୀ ସହାୟତା ମିଳିଛି ସତ, କିନ୍ତୁ ଏହି ଘଟଣା ସେମାନଙ୍କଠୁ ସବୁ କିଛି ଛଡ଼ାଇନେଇଛି। କାରଣ କିଏ ଦୁଇଗୋଡ଼ ହରାଇଛି ତ, କିଏ ହାତ ଏବଂ ଆଉ କିଏ ପାପୁଲି ହରାଇଛନ୍ତି। କିଏ କୌଣସି ଅଙ୍ଗପ୍ରତ୍ୟଙ୍ଗ ହରାଇ ନ ଥିଲେ ବି କୌଣସି କାମ କରି ପାରୁନାହାନ୍ତି। ସେହିପରି ଦୁଇଗୋଡ଼ ହରାଇଥିବା ବି.ଶାରଦାଙ୍କୁ ପ୍ରଶାସନ ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରଦାନ କରା ଯାଇଥିଲା। କିନ୍ତୁ କରୋନା ପ‌ରେ ତାଙ୍କ ଚିକିତ୍ସା ସ୍ବାଭାବିକ ଭାବେ ହୋଇପାରୁନି। ଏଦିଗରେ ସରକାରୀ ସହାୟତା ମିଳିଥିଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର