ଗୋଳନ୍ଥରା : ୨୦୨୦ ମସିହା ଫେବ୍ରୁଆରି ୯ ତାରିଖରେ ଗଞ୍ଜାମ ଜିଲ୍ଲା  ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ନିର୍ବନ୍ଧରେ ଯୋଗ ଦେବାକୁ ଯାଉଥିବା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିଲା। ଏହି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା। ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ରାଜ୍ୟ ମାନବାଧିକାର କମିସନ ମୃତକ ଓ ଗୁରୁତରଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏହିପରିପ୍ରେକ୍ଷୀରେ ଆଜି ଡଙ୍କଲପାଡ଼ୁ ଗ୍ରାମରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୨ ଜଣ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ୧୨ ଜଣ ଗୁରୁତରଙ୍କ ପରିବାରକୁ ୭୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

ଚିକିଟି ତହସିଲଦାର ବିଶ୍ୱରଞ୍ଜନ ଭୂୟାଁ, ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ, ଟିପିଏସଓଡିଏଲ୍ ଭାରପ୍ରାପ୍ତ ବିଭାଗୀୟ ଯନ୍ତ୍ରୀ ବିଶ୍ୱରଂଜନ ରାଉତ, କନିଷି ଏସଡିଓ ମନୋରଂଜନ ଭୋଇ, ଡିଡିଓ ରବୀନ୍ଦ୍ର ମଲ୍ଲିକ, ଚିକିଟି ବ୍ଲକ୍ ଉପାଧ୍ୟକ୍ଷ ବି.ରେଣୁକାମ୍ମା ରେଡ୍ଡୀ, ସୁପରଭାଇଜର ବିଶ୍ୱନାଥ ବେହେରା, ୟୁ.ପୂର୍ଣ୍ଣିମା, ସୁଧାକର ରେଡ୍ଡୀ ଓ ତୁଳସେୟା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଏହି ଅଘଟଣରେ ବି.ସାରଦାଙ୍କ ଦୁଇଟି ଗ‌ୋଡ଼ କଟିଯିବାରୁ ସେ ଅକର୍ମଣ୍ୟ ପାଲଟିଛନ୍ତି। ଫଳରେ ଅଧିକ ସରକାରୀ ସହାୟତା ପ୍ରଦାନ ପାଇଁ ସେ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଓ ୧୦ ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି ଉପସ୍ଥାପନ କରିଛନ୍ତି। ଏଥିପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ, କେନ୍ଦ୍ର ସରକାର ୨ ଲକ୍ଷ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କା ‌ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା। ଆହତଙ୍କ ପରିବାରକୁ ୨୫ ଓ ୫୦ ହଜାର ଟଙ୍କା ‌ଲେଖାଏଁ ଦିଆଯାଇଥିଲା। ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ମନ୍ତ୍ରୀମାନେ ଗ୍ରାମକୁ ଗସ୍ତ କରି ମୃତକ ଓ ଗୁରୁତରଙ୍କ ପରିବାରକୁ ଅଧିକ ସହାୟତା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଯାଏ ପ୍ରତିଶ୍ରୁତି ପୂରଣ ହୋଇପାରୁନି।