ଭୁବନେଶ୍ବର, (ମହମ୍ମଦ ହିଫ୍ଜୁର ରହେମାନ୍) : କରୋନା ରୋଗ ବ୍ୟାପିବା ଦିନ ଠାରୁ ସାରା ବିଶ୍ବରେ ଆତଙ୍କର ବାତାବରଣ ସୃଷ୍ଟି ହେଲାଣି। ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଏହାର ମୁକାବିଲାରେ ଲାଗି ପଡ଼ିଛନ୍ତି। ଏହାସତ୍ତ୍ବେ ପରିସ୍ଥିତି ଚିନ୍ତାଜନକ ରହିଛି। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ି ଚାଲିଥିବା ବେଳେ ଆରୋଗ୍ୟ ହାର ମଧ୍ୟ ତୀବ୍ର ହୋଇଛି। ତେବେ ସଂକ୍ରମଣ ଓ ମୃତ୍ୟୁ ହାର ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନଥିବାରୁ ଏବେ କରୋନା ସହିତ ବଞ୍ଚିବାକୁ ହେବ ବୋଲି କୁହାଗଲାଣି। ଅତୀତେର ବ୍ୟାପିଥିବା ଅନେକ ମହାମାରୀ ଭଳି କରୋନା ମଧ୍ୟ ଜୀବନର ଏକ ଅଂଶ ହୋଇଯିବ ବୋଲି ବିଶେଷଜ୍ଞମାନଙ୍କର ମତ। ତେବେ କରୋନା ସଂଖ୍ୟାକୁ ନେଇ ଆତଙ୍କ ବଢ଼ୁଥିବା ବେଳେ ଏହା ଆମର ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଇଲାଣି। କେବଳ ଏତିକି ନୁହେଁ, ଆମର ବ୍ୟକ୍ତିଗତ ଓ ସାମାଜିକ ବ୍ୟବସ୍ଥାକୁ ମଧ୍ୟ ବିଗାଡ଼ି ଦେଲାଣି କରୋନା। ଲକ୍ ଡାଉନ୍ ଯୋଗୁ ଲୋକେ ମାନସିକ ସନ୍ତୁଳନ ହରାଇସାରିଲେଣି। କେଉଁଠି କେରାନାରେ ପୁଅ ପ୍ରାଣ ହରାଇବା ପରେ ବାପା-ମା ଆତ୍ମହତ୍ୟା କରୁଛନ୍ତି ତ କେଉଁଠି ପତିର ମୃତ୍ୟୁ ପରେ ପତ୍ନୀ ମଧ୍ୟ ନିଜ ଜୀବନ ହାରୁଛି। ମାନସିକ ଅବସାଦ ଯୋଗୁ ହତ୍ୟା ଏବଂ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। କରୋନା ଆକ୍ରାନ୍ତ ଅଛୁଆଁ ହୋଇଗଲେଣି। ଆରୋଗ୍ୟ ହେଲାପରେ ବି ନିଜ ନିଜ ଅଞ୍ଚଳରେ ସାମାଜିକ ବାସନ୍ଦର ଶିକାର ହେଉଛନ୍ତି। କେତେକ ଡାକ୍ତରଖାନାରେ ଏଭଳି ରୋଗୀଙ୍କୁ ଡାକ୍ତର ଅନାଉ ନାହାନ୍ତି, ଯାହାଫଳରେ ଛଟପଟ ହୋଇ ପ୍ରାଣ ଯାଉଛି। କ୍ବାରାଣ୍ଟିନ କେନ୍ଦ୍ରରେ ଆତ୍ମହତ୍ୟା ପ୍ରବଣତା ମଧ୍ୟ ବଢ଼ିଲାଣି। ମାନସିକ ଓ ସାମାଜିକ ଅଶାନ୍ତି ବିଭିନ୍ନ ସ୍ଥାନରେ ହିଂସାର ରୂପ ନେଲାଣି।
ଏଭଳି ଆତଙ୍କଜନକ ପରିସ୍ଥିତି କେବଳ କରୋନା ପାଇଁ ସୃଷ୍ଟି ହୋଇନାହିଁ, ବରଂ ଏହାକୁ ନେଇ ପ୍ରକାଶ ପାଉଥିବା ସଂଖ୍ୟାକୁ ନେଇ। କିନ୍ତୁ ଆମ ଦେଶ ଓ ରାଜ୍ୟରେ ଆହୁରି ଭୟଙ୍କର ରୋଗ ରହିଛି ଯେଉଁଥିରେ ଦିନକୁ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କିନ୍ତୁ କେରାନାରେ ଦିନକୁ ଦୁଇ/ତିନି ହଜାର ମରୁଛନ୍ତି ବୋଲି ଖବରକୁ ଏମିତି ପ୍ରଚାରିତ କରାଯାଉଛି ଯେ ଲୋକେ ଆତଙ୍କିତ ହୋଇପଡ଼ୁଛନ୍ତି। ସରକାରୀ ରିେପାର୍ଟ ଅନୁସାରେ ଭାରତରେ ବିିଭିନ୍ନ ରୋଗରେ ଦିନକୁ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏଥିରେ ରହିଛି ହୃଦରୋଗ, କର୍କଟ, ଯକ୍ଷ୍ମା, ଫୁସଫୁସ୍, ମସ୍ତିଷ୍କଘାତ, ନିଶ୍ବାସ ପ୍ରଶ୍ବାସ ସଂକ୍ରାନ୍ତୀୟ ସଂକ୍ରମଣ, ଏବଂ ମଧୁମେହ ଭଳି ଅନେକ ରୋଗ। ହୃଦେରାଗରେ ଦିନକୁ ହାରାହାରି ୪୨୦୦ ଲୋକ ପ୍ରାଣ ହରାଉଥିବା ବେଳେ ଫୁସଫୁସ ରୋଗରେ ୨୬୩୦, ମସ୍ତିସ୍କ ରୋଗରେ ୨୦୦୦, କର୍କଟରେ ୨୧୩୬ ଏବଂ ଆଜମା ସମେତ ଅନ୍ୟାନ୍ୟ ନିଶ୍ବାସ ପ୍ରଶ୍ବାସ (ରେସପିରେଟୋରୀ) ରୋଗରେ ୨୦୦୦ ଲୋକ ପ୍ରାଣ ହରାଉଛନ୍ତି ।
ଆମ ଓଡ଼ିଶାରେ ମଧ୍ୟ ଏହି ସଂଖା କିଛି କମ୍ ନୁହେଁ। ହୃଦରୋଗରେ ଦିନକୁ ହାରାହାରି ୨୩ ଜଣ ପ୍ରାଣ ହରାଉଥିବା ବେଳେ କର୍କଟରେ ୬୯ ଜଣ। ମାଲେରିଆ ସାଙ୍ଗକୁ କିଡନୀ ରୋଗ ମଧ୍ୟ ଚିନ୍ତା ବଢ଼ାଇଛି। ତେଣୁ କରୋନା ସହିତ ଏଭଳି ରୋଗ ସଂପର୍କରେ ଲୋକମାନଙ୍କୁ ସଚେତନା କରାଇବାର ଆବଶ୍ୟକତା ରହିଛି।
କରୋନା ପାଇଁ କୌଣସି ନିର୍ଦିଷ୍ଟ ଔଷଧ ବାହାରି ନାହିଁ। ନିକଟ ଭବିଷ୍ୟତରେ ଟିକା ବାହାରିବାର ସମ୍ଭାବନା ମଧ୍ୟ କ୍ଷୀଣ। ମାସ୍କ ଏବଂ ସାମାଜିକ ଦୂରତ୍ବ ହେଉଛି ବର୍ତମାନ କରୋନା ମୁକାବିଲାର ଏକ ମାତ୍ର ବିକଳ୍ପ। ୧୦ ବର୍ଷ ତଳେ ବିଶ୍ବ ମହାମାରୀ ଘୋଷିତ ହୋଇଥିବା ସ୍ବାଇନ୍ ଫ୍ଲୁ ଏବେ ବି ଆମ ସହିତ ରହିଛି। ଏଥିରେ ଆମ ଦେଶରେ ଏବେ ବି ବର୍ଷକୁ ହାରାହାରି ଏକ ହଜାର ଲୋକ ପ୍ରାଣ ହରାଉଛନ୍ତି। କରୋନା ଠାରୁ ଆଉ ଯେଉଁ ଭୟଙ୍କର ରୋଗ ରହିଛି ତାହାର ମୁକାବିଲା ସହିତ ଲୋକମାନଙ୍କୁ ସଚେତନ କରିବାର ବେଳ ଆସିଛି। ଅସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ବଦଳରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ। କରୋନା ଏବେ ଯେପରି ସାମାଜିକ ଅପବାଦର ରୂପ ନେଲାଣି ତାହା ଆମର ସମସ୍ତ ସାମାଜିକ ବ୍ୟବସ୍ଥାକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଲାଣି। ଏହାର ମୁକାବିଲା ଲାଗି ସରକାର ଏବେଠାରୁ ପ୍ରସ୍ତୁତ ନେହଲେ ପରିସ୍ଥିତି ଅସମ୍ଭାଳ ହୋଇଯିବାର ଅଶଙ୍କା ରହିଛି।