ଭୁବନେଶ୍ବର: ଦଶନ୍ଧି ପୂର୍ବରୁ ମାନସିକ ସ୍ବାସ୍ଥ୍ୟ ସମସ୍ୟା କେବଳ ସହରାଞ୍ଚଳରେ ସୀମିତ ରହିଥିଲା। ବର୍ତ୍ତମାନ ସମୟରେ ଅବସାଦ, ଚାପ ଓ ଚିନ୍ତା ଭଳି ସମସ୍ୟା ଆଦିବାସୀ ସମାଜ ଭିତରକୁ ଧସେଇ ପଶିଗଲାଣି। ସାମାଜିକ-ଅର୍ଥନୈତିକ ସମସ୍ୟା, ଅନ୍ଧବିଶ୍ବାସ, ଘରୋଇ ହିଂସା, ନିଶା ସେବନ ଓ ଯଥେଷ୍ଟ ପ୍ରୋଟିନ୍ର ଅଭାବ ସହ ଚର୍ବିଜାତୀୟ ଖାଦ୍ୟ ସେବନ ଏହା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ(ବିଏଚ୍ୟୁ)ର ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ହୋଇଥିବା ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ବିଏଚ୍ୟୁର ୩ଜଣିଆ ଟିମ୍ କବିତା ପାଣ୍ଡେ, ନରେଶ ବେହେରା ଓ ସାହିଲ ଶଙ୍କର ଏହି ଗବେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ଆଦିବାସୀ ସଂପ୍ରଦାୟଙ୍କ ଉପରେ ପ୍ରକାଶ ପାଇଥିବା ୨୫ଟି ସନ୍ଦର୍ଭର ଅନୁଶୀଳନ କରିବା ପରେ ତହିଁରୁ ଏକାଧିକ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସାମ୍ନାକୁ ଆସିଛି। ଏଥିରେ ଯକ୍ଷ୍ମା, ମ୍ୟାଲେରିଆ, ଡାଇରିଆ ଓ ଅନ୍ୟ ସଂକ୍ରମଣ, ସାମାଜିକ-ଅର୍ଥନୈତିକ ସମସ୍ୟା, ଶିକ୍ଷାର ଅଭାବ, ଅପପୁଷ୍ଟି, ଉପଯୁକ୍ତ ପରିମଳ ବ୍ୟବସ୍ଥାର ଅଭାବ, ଅସ୍ବାସ୍ଥ୍ୟକର ଜୀବନଶୈଳୀ ଭଳି ଏକାଧିକ କାରଣକୁ ଦାୟୀ କରାଯାଇଛି। ଗବେଷଣାରେ ସାମିଲ ହୋଇଥିବା ଆଦିବାସୀ ବ୍ୟକ୍ତି ୨୮% ଅପେକ୍ଷାକୃତ କମ୍ ଅବସାଦର ଶିକାର ହୋଇଥିବା ଦର୍ଶାଇଥିବା ବେଳେ ୨୪% ମଧ୍ୟମ ବର୍ଗରେ ସାମିଲ ଥିବା କହିଛନ୍ତି।
ସହରାଞ୍ଚଳରେ ସୀମିତ ନୁହେଁ ମାନସିକ ସ୍ବାସ୍ଥ୍ୟ ସମସ୍ୟା
୨୫ବର୍ଷରୁ କମ୍ ବୟସର ଯୁବକଯୁବତୀଙ୍କଠାରେ ଏହାର ମାତ୍ରା ଅଧିକ ଦେଖିବାକୁ ମିଳିଛି। ପ୍ରସବ ପରବର୍ତ୍ତୀ ସମୟରେ ଆଦିବାସୀ ମହିଳାମାନେ ମଧ୍ୟମ ସ୍ତରର ଚାପ ଓ ଅବସାଦ ଲକ୍ଷଣ ଅନୁଭବ କରୁଥିବା କହିଛନ୍ତି। ୩୬୨୫ଜଣ ମହିଳାଙ୍କ ଉପରେ ଏଭଳି ଗବେଷଣା ହୋଇଥିବା ବେଳେ ୨୪% ମାନସିକ ଚାପର ବଶବର୍ତ୍ତୀ ହୋଇଥିବା କହିଥିବା ବେଳେ ୨୯% ମାନସିକ ଚାପ ସଂପର୍କରେ ଅଜ୍ଞ ଥିବା ଜଣାପଡ଼ିଛି। ଆଦିବାସୀ ସମାଜରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯଥେଷ୍ଟ ପ୍ରଭାବ ବିସ୍ତାର କରିଥିବା ବେଳେ ସେମାନେ ଏହା ସଂପର୍କରେ ଅଜ୍ଞ ରହିଛନ୍ତି। ପାରମ୍ପରିକ କାର୍ଯ୍ୟଶୈଳୀ ଉପରେ ସେମାନେ ନିର୍ଭରଶୀଳ ରହିଛନ୍ତି। ତେଣୁ ଆଦିବାସୀମାନଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି ରି ପୋର୍ଟରେ କୁହାଯାଇଛି।
ରୋଗର ଚିକିତ୍ସା ପାଇଁ ଆଦିବାସୀମାନେ ପାରମ୍ପରିକ ଔଷଧ ବ୍ୟବହାର କରୁଥିବା ନଜରକୁ ଆସିଛି। କାଶ ପାଇଁ ଜଙ୍ଗଲୀ ପିମ୍ପୁଡ଼ି ଚଟଣି, ଡାଇରିଆ ପାଇଁ ଅମରପୋଇ ପତ୍ର, ମ୍ୟାଲେରିଆ ଓ ଜ୍ବର ପାଇଁ ଗଙ୍ଗଶିଉଳି ପତ୍ର ସେବନ କରୁଛନ୍ତି। ସ୍ବାସ୍ଥ୍ୟାନୁଷ୍ଠାନରେ ଚିକିତ୍ସା ପାଇଁ ନ ଯିବା କ୍ଷେତ୍ରରେ ଅନ୍ଧବିଶ୍ବାସ ଓ ଗରିବୀ ଏଥିରେ ପ୍ରମୁଖ ବାଧକ ସାଜିଛି। ତେଣୁ ଆଦିବାସୀ ସଂପ୍ରଦାୟ ଭିତରେ ଥିବା ଅନ୍ଧବିଶ୍ବାସକୁ ତୁରନ୍ତ ଦୂର କରାଗଲେ ସେମାନଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରିବ। ଆଦିବାସୀମାନଙ୍କ ଶିକ୍ଷାକୁ ପ୍ରାଥମିକତା ଦିଆଯିବା ସହ ଗୋଷ୍ଠୀସ୍ତରୀୟ ଚିକିତ୍ସା ଓ ବ୍ୟାପକ ସାମାଜିକ-ଅର୍ଥନୈତିକ ବିକାଶ ଯୋଜନା କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଥିବା ରିପୋର୍ଟରେ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/tribals.jpg)