ବଲାଙ୍ଗୀର: ଦାଦନପ୍ରବଣ ଜିଲ୍ଲା ତାଲିକାରେ ବଲାଙ୍ଗୀର ଶୀର୍ଷସ୍ଥାନରେ ରହିଛି। ଦାଦନ ସୁଅ ରୋକିବାକୁ ମନରେଗା ଯୋଜନା ଫେଲ୍ ମାରିଛି। ଏବେ ସଚେତନତା ରଥ ବୁଲାଇ ପ୍ରଶାସନ ଏହାକୁ ରୋକିବାକୁ ଉଦ୍ୟମ କରୁଛି। ତଥାପି ଏଥିରେ କିଛି ସୁଧାର ଆସିନାହିଁ। ବରଂ ପ୍ରତିବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଛନ୍ତି। ଏଭଳି ସ୍ଥିତିରେ ଜଣେ ଶିକ୍ଷକ ଦରମା ନ ମିଳିବାରୁ ଦାଦନ ଖଟିଯିବାକୁ ଅନୁମତି ମାଗିବା ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ମାସ ଧରି ଦରମା ନ ମିଳିବାରୁ ଅର୍ଥାଭାବର ଶିକାର ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍ ବାନ୍ଧନବାହାଲ ଗ୍ରାମର ପ୍ରଭୁଦତ୍ତ ସାହୁ ମଜୁରି କାମ କରିଯିବାକୁ ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଏବଂ ତାଙ୍କ ଛୁଟି ମଧ୍ୟ ମଞ୍ଜୁର ହେବା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକ୍ସ-କ୍ୟାଡର୍ ବର୍ଗରେ ଥିବା ଏହି ଶିକ୍ଷକ ଜଣକ ଦୁଇମାସ ହେଲା ଦରମା ପାଇନାହାନ୍ତି। କେବଳ ପ୍ରଭୁଦତ୍ତ ନୁହନ୍ତି; ବଲାଙ୍ଗୀର, ପୁଇନ୍ତଳା ଏବଂ ଲୋଇସିଂହା ବ୍ଲକ୍ରେ କାର୍ଯ୍ୟରତ ଏହି ବର୍ଗର ଶିକ୍ଷକମାନେ ଡିସେମ୍ବର ଓ ଜାନୁଆରି ମାସର ଦରମା ପାଇନାହାନ୍ତି।
ପଶ୍ଚିମ ଓଡ଼ିଶାରେ ପାଖାପାଖି ୧୦ ହଜାର ଏକ୍ସ-କ୍ୟାଡର୍ ଶିକ୍ଷକ ଅଛନ୍ତି। ବଲାଙ୍ଗୀରରେ ଏହି ସଂଖ୍ୟା ୭୫୦। ଏହି ବର୍ଗର ଶିକ୍ଷକମାନେ ୨୦୦୧ ମସିହାରୁ ନିଶ୍ଚିତ ଶିକ୍ଷା ଯୋଜନା (ଇଜିଏସ୍) ମାଧ୍ୟମରେ ନିଯୁକ୍ତି ପାଇଥିଲେ। ୨୦୦୮ ମସିହାରେ ଏମାନଙ୍କୁ ଗଣଶିକ୍ଷକ ଓ ୨୦୧୭ ମସିହାରୁ ଏକ୍ସ-କ୍ୟାଡର୍ ମାନ୍ୟତା ମିଳିଛି। ସେମାନଙ୍କୁ ମାସିକ ପାଖାପାଖି ୪୫ହଜାର ଟଙ୍କା ଦରମା ମିଳୁଛି। ହେଲେ ଟ୍ରେଜେରିରୁ ଦରମା ମିଳୁନଥିବାରୁ ସେମାନଙ୍କୁ ପ୍ରତି ମାସ ହଇରାଣର ସମ୍ମୁଖୀନ ହେବାକୁ ପଡ଼ୁଛି। ଏମାନଙ୍କ ଚାକିରି ସର୍ତ୍ତାବଳୀରେ ପଦୋନ୍ନତି ବ୍ୟବସ୍ଥା ନାହିଁ। ପୁରୁଣା ପେନ୍ସନ୍ ନିୟମ ମଧ୍ୟ ଲାଗୁ ହୋଇନାହିଁ। ଫଳରେ ଅବସର ପରେ ମାସିକ ୨ହଜାର ଟଙ୍କା ଏମାନଙ୍କୁ ପେନ୍ସନ୍ ଆକାରରେ ମିଳିବ। ତେଣୁ ଦରମା ଉପରେ ହିଁ ଏକ୍ସ-କ୍ୟାଡର୍ ଶିକ୍ଷକଙ୍କ ଭରସା। ଏମାନଙ୍କୁ କ୍ୟାଡର୍ଭୁକ୍ତ କରିବାକୁ ବାରମ୍ବାର ଦାବି ହୋଇଆସୁଛି। ସରକାର ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ଯାହାଫଳରେ ଏକ୍ସ-କ୍ୟାଡର୍ ଶିକ୍ଷକଙ୍କ ଦରମା ଅନ୍ୟମାନଙ୍କ ତୁଳନାରେ ବଢ଼ୁନାହିଁ। ଏହି କାରଣରୁ ଅନେକ ଶିକ୍ଷକ ପରିବାର ଘୋର ମାନସିକ ଅବସାଦରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2019/05/migrant.jpg)