ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବା ସାଙ୍ଗକୁ କଟକଣାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। କେଉଁଠି ସଟ୍ଡାଉନ୍ ତ, ଆଉ କେଉଁଠି ନିଷିଦ୍ଧାଞ୍ଚଳ ଓ ବଫର୍ ଜୋନ୍। ଏଭଳି ପରିସ୍ଥିତିରେ ଘରୁ ବାହାରିବା ଲାଗି ଜନସାଧାରଣଙ୍କ ଉପରେ ରୋକ୍ ଲାଗିଛି। ଦୀର୍ଘ ୪ ମାସ ହେଲା ଲକ୍ଡାଉନ୍ ବଳବତ୍ତର ରହିଥିବାରୁ ବିଭିନ୍ନ ବର୍ଗର ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। କିଏ ରୋଜଗାର ହରାଇଛି ତ, ଆଉ କିଏ ବ୍ୟବସାୟରେ କ୍ଷତି ସହିସାରିଲାଣି। ତା’ ସହ ପିଲାଙ୍କ ପାଠପଢ଼ା ଓ ପରିବାର ପ୍ରତିପୋଷଣ ଚିନ୍ତା ଘାରିଛି। ଆଉ ଏଭଳି ପରିସ୍ଥିତିରେ ଯୁବପିଢ଼ିଙ୍କଠୁ ଆରମ୍ଭ କରି ପରିବାରର ମୁରବି ଓ ମଧ୍ୟବୟସ୍କର ବ୍ୟକ୍ତିଙ୍କ ମଧ୍ୟରେ ମାନସିକ ଅବସାଦ ମଧ୍ୟ ବଢ଼ିବାରେ ଲାଗିଛି। କାହାକୁ ପରିବାରର ଚିନ୍ତା ତ, ଆଉ କାହାକୁ ଘାରିଛି କରୋନା ଭୟ। ସ୍ଥିତି ଏମିତି ହୋଇଛି ଯେ, ବାହାରକୁ ଗଲେ ସଂକ୍ରମିତ ହେବାର ଭୟ ଘାରୁଛି। ଗୋଟିଏ କୋଠରିର ଚାରିକାନ୍ଥ ଭିତରେ ନିଃସଙ୍ଗ ଜୀବନ ବିତୁଛି। ଏଥିରୁ ମୁକ୍ତି ପାଇଁ କିଏ ଔଷଧର ସାହାରା ନେଉଥିବା ବେଳେ ଆଉ କିଏ ଭୁଲ୍ ପଦକ୍ଷେପ ନେବାକୁ ପଛାଉନାହାନ୍ତି। ଏଥିରେ ଅଧିକ ଯୁବପିଢ଼ି ଓ କମ୍ ବୟସର ନାବାଳକ ପ୍ରଭାବିତ ହେଉଛନ୍ତି।
/sambad/media/post_attachments/wp-content/uploads/2020/07/mental-2-300x222.png)
ଗତ ୧୮ ତାରିଖରେ ବ୍ରହ୍ମପୁରରେ ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ଜଣେ ବେଙ୍ଗାଲୁରୁ ଫେରନ୍ତା ଯୁବକ ଓ ଗତ ସୋମବାର ଦିନ ବାଳ ସ୍ବଧାର ଗୃହରେ ଜଣେ ନାବାଳକ ମାନସିକ ଅବସାଦରୁ ଆତ୍ମହତ୍ୟା କରିବା ଏହାର ଜ୍ୱଳନ୍ତ ଉଦାହରଣ। ତେବେ ମାନସିକ ଅବସାଦରେ ଅଧିକ ଯୁବପିଢ଼ି ଆକ୍ରାନ୍ତ ହେଲେଣି। ଅଧିକାଂଶ ଏଥିରୁ ମୁକ୍ତ ପାଇବାକୁ ନିଦ ବଟିକାର ସାହାଯ୍ୟ ନେବାକୁ ପଛାଉ ନାହାନ୍ତି।
ଲକ୍ଡାଉନ୍ ବିଭିନ୍ନ ବର୍ଗର ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି। ବେସରକାରୀ କମ୍ପାନିରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତିଙ୍କ ଦରମା କାଟ୍ ହେଉଥିବା ବେଳେ କିଛି ବ୍ୟକ୍ତି ଛଟେଇର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଛି। ବାରମ୍ବାର ଲକ୍ଡାଉନ୍ ଯୋଗୁଁ ବ୍ୟବସାୟୀ ଚିନ୍ତାରେ ପଡ଼ୁଛନ୍ତି। ଅନେକ କ୍ଷତି ସହିବାକୁ ପଡ଼ୁଛି।
/sambad/media/post_attachments/wp-content/uploads/2020/06/ganjam-2-300x162.jpeg)
ଦିନକୁ ଦିନ ଖର୍ଚ୍ଚ ବଢ଼ିବାରେ ଲାଗିଥିବା ବେଳେ ସେହି ତୁଳନାରେ ଆୟ ହୋଇପାରୁନି। ବହୁ ବ୍ୟକ୍ତି ନିଜ କର୍ମକ୍ଷେତ୍ରକୁ ଯାଇ ନପାରି ଅବସାଦ ଆଡ଼କୁ ଗତି କରୁଛନ୍ତି। ଆଉ କିଛି ମହାମାରୀ ସ୍ଥିତି କଣ ହେବ, ଏହା ଭାବି ଛାନିଆ ହେଉଛନ୍ତି।
ମନରେ ଭୟ ଜାତ ହେଉଥିବାରୁ ‘ଫୋବିକ୍ ଆନ୍ଜାଇଟ୍‘ ଓ ‘ପ୍ୟାନିକ୍ ଆନ୍ଜାଇଟ୍’ ଭଳି ମାନସିକ ଅବସ୍ଥାକୁ ଗତି କରୁଛନ୍ତି। ଆଉ କିଛି ବ୍ୟକ୍ତି ଅବସାଦର ’ମାଇଲ୍ଡ଼୍’ କିମ୍ବା ’ମଡ଼ରେଟ୍’ ଭଳି ଅବସ୍ଥାରେ ରହୁଛନ୍ତି। ଯାହାକି ଡିପ୍ରେସନ୍ର ପ୍ରଥମ କିମ୍ବା ଦ୍ବିତୀୟ ଅବସ୍ଥା। କିନ୍ତୁ ଯେଉଁ ବ୍ୟକ୍ତି ଅତ୍ୟଧିକ ମାନସିକ ଅବସାଦ ଆଡ଼କୁ ଗତି କରୁଛନ୍ତି ସେମାନଙ୍କ ମନରେ ବହୁ ପରିବର୍ତ୍ତନ ହେଉଛି। ଯାହାଫଳରେ ସେମାନେ ଆତ୍ମହତ୍ୟା ଭଳି ଏକ ଭୁଲ୍ ପଦକ୍ଷେପ ନେବାକୁ ବି ପଛାଉନାହାନ୍ତି।
ମନସ୍ତତ୍ତ୍ବବିତ୍ ସୁଦୀପ୍ତା ପାଣିଗ୍ରାହୀଙ୍କ କହିବାନୁଯାୟୀ, ସମାଜରେ ବହୁ ଲୋକ ଅବସାଦରେ ରହୁଛନ୍ତି ବୋଲି କୁହନ୍ତି। କିନ୍ତୁ ସମସ୍ତେ ପ୍ରକୃତରେ ଏଭଳି ଅବସ୍ଥାରେ ନଥାନ୍ତି। ନିଜର ଖୁସି ନ ପାଇ ପାରିଲେ ସେଭଳି ଭାବନା ମନରେ ଆସିଥାଏ। କିନ୍ତୁ ଡିପ୍ରେସନ୍ ଆସିଲେ ବହୁବ୍ୟକ୍ତି ନିଜ ମନର କଥାକୁ ଜାବୁଡ଼ି ଧରି ରଖିବା ସହ ଏକୁଟିଆ ରହିବାକୁ ପସନ୍ଦ କରନ୍ତି। ସେମାନଙ୍କ ଚାଲିଚଳଣରେ ବିଭିନ୍ନ ପରିବର୍ତ୍ତନ ଆସିଥାଏ। ବଞ୍ଚିବାର ଇଚ୍ଛା ରଖି ପ୍ରତି ମଣିଷ କାମ କଲେ ମାନସିକ ଅବସାଦ ଠାରୁ ଦୂରେଇ ରହିପାରିବେ। କିନ୍ତୁ ମରିବା ଇଚ୍ଛା ମନରେ ଜାଗ୍ରତ ହେଲେ କିମ୍ବା ଜୀବନ ପ୍ରତି ଏକ ବିତୃଷ୍ଣା ମନୋଭାବ ଆସିଗଲେ, ବାରମ୍ବାର ଭୁଲ୍ ପଦକ୍ଷେପ ନେବାକୁ ମନରେ ଭାବନା ଜାଗ୍ରତ ହେବ। ସବୁ ସମୟରେ ସକାରାତ୍ମାକ ମନୋଭାବ ରଖିବା ସହ ଦୁଃଖକୁ ଆତ୍ମୀୟ ଓ ବନ୍ଧୁଙ୍କ ମଧ୍ୟରେ ବାଣ୍ଟି ଆଲୋଚନା କରିବା ଦରକାର। ଏହା ମାଧ୍ୟମରେ ସମାଧାନର ବାଟ ବାହାରିବ। ସେହିପରି କାହାର ଚାଲିଚଳଣରେ ହଠାତ୍ ପରିବର୍ତ୍ତନ ଦେଖାଦେଲେ, ଏହାକୁ ଜାଣି କଥାବାର୍ତ୍ତା କରିବା ନିହାତି ଆବଶ୍ୟକ। ଅସଫଳ କିମ୍ବା ହତାଶ୍ ନହୋଇ ଆଗକୁ ବଢ଼ିବାର ଭାବନା ରଖି କାମ କରିବା ଓ ଏହାର ବିକଳ୍ପ ବ୍ୟବସ୍ଥା ବାଛିବା ଦରକାର। ଧ୍ୟାନ ଓ ବ୍ୟାୟାମ ଦ୍ୱାରା ମଧ୍ୟ ମାନସିକ ଅବସାଦକୁ ଦୂରେଇ ଦିଆଯାଇପାରିବ।