ଘରେ ନିଅାଁ ଲଗାଇଦେଲା ମାନସିକ ଭିନ୍ନକ୍ଷମ : ମହିଳା ଜୀବନ୍ତ ଦଗ୍ଧ, ସ୍ୱାମୀ ଗୁରୁତର

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ପଦ୍ମପୁର ଗାଁରେ ଶନିବାର ଘଟିଛି ଅଭାବନୀୟ ଘଟଣା। ମାନସିକ ଭିନ୍ନକ୍ଷମ ପୁତୁରା ତା’ର କାକା କାକୀ ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଇଛି। ଏଥିରେ କାକୀ ଜୀବନ୍ତ ଦଗ୍‌ଧ ହୋଇଥିବା ବେଳେ କାକା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଗ୍ରାମବାସୀ ଯୁବକକୁ ବାନ୍ଧି ପକାଇ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶନିବାର ରାତିରେ ପଦ୍ମପୁର ଗାଁର କାଶୀ ପଟେଲ (୭୦) ଓ ତାଙ୍କ ସ୍ତ୍ରୀ ହେମା ପଟେଲ (୬୮) ନିଜ ଘରେ ଶୋଇଥିଲେ। ମଧ୍ୟରାତ୍ରିରେ କାଶୀଙ୍କ ପୁତୁରା ଚୈତନ୍ୟ ପଟେଲ (୪୦) ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲା। ଏଥିରେ କାଶୀ ଓ ହେମା ପୋଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପରିବାର ଲୋକେ ଆଣି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ହେମାଙ୍କ ମୃତ୍ୟୁ ଘଟିଥିବା ବେଳେ କାଶୀ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି।

ଚୈତନ୍ୟର ବହୁ ଦିନରୁ ମାନସିକ ବିକୃତି ଥିବା ପରିବାର ଲୋକେ କହିଛନ୍ତି। ଏହି କାଣ୍ଡ ପରେ ଗ୍ରାମବାସୀ ତା’ର ଗୋଡ଼ ହାତ ବାନ୍ଧି ରଖିଥିଲେ। ପୁଲିସ ପହଞ୍ଚିବା ପରେ ତାକୁ ହସ୍ତାନ୍ତର କରିଥିଲେ। ଖଡ଼ିଆଳ ପୁଲିସ ହେମାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ କାଶୀଙ୍କ ଘରେ ରହୁଥିବା ତାଙ୍କ ବିବାହିତ ଝିଅ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର