ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ : ମାତାଲ ଅଭିଯୁକ୍ତକୁ ଛାଡ଼ିଦେଲା ପୁଲିସ୍‌

ରାଉରକେଲା : ସୁନ୍ଦରଗଡ଼ ବନ୍ଧମୁଣ୍ଡା-ବିଶ୍ରା ରାସ୍ତାକଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାତାଲ୍‌ ଯୁବକ ଜନୈକା ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ବାଟରେ ଲୋକ ଯାଉଥିଲେ ବି ପ୍ରତ୍ୟକ୍ଷଦର୍ଶୀ ପାଲଟିଥିଲେ। ଶେଷରେ, ପୁଲିସ୍‌ ମାତାଲ କବଳରୁ ମହିଳାଙ୍କୁ ଉଦ୍ଧାର କରିଥିଲେ।

ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧମୁଣ୍ଡା ଡି କ୍ୟାବିନ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଏକୁଟିଆ ପାଇ ଜଣେ ମାତାଲ ଯୁବକ ଭିଡ଼ି ନେଇଥିଲା। ତାଙ୍କୁ ସ୍ପଷ୍ଟ ଦିବାଲୋକରେ ଦୁଷ୍କର୍ମ କରିଥିଲା। ସ୍ପଷ୍ଟ ଦିବାଲୋକରେ ସେ ପୀଡ଼ିତାଙ୍କୁ ରାସ୍ତା କଡ଼ରେ ଦୁଷ୍କର୍ମ କରିଥିଲା। ରାକ୍ଷସ କବଳରୁ ବର୍ତ୍ତିବା ପାଇଁ ପୀଡ଼ିତା ଚିତ୍କାର କରୁଥିଲେ ମଧ୍ୟ ନିଷ୍ଠୁର ପଥଚାରୀଙ୍କ ମଧ୍ୟରୁ ଜଣେ ହେଲେ କେହି ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସି ନ ଥିଲେ। ବରଂ ଏଭଳି ଦାରୁଣ ତଥା ଲଜ୍ଜାକର ଦୃଶ୍ୟକୁ ଦେଖି ସମସ୍ତେ ପଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ମାତାଲ କବଳରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ମାତ୍ର ପୀଡ଼ିତା ମାନସିକ ଭିନ୍ନକ୍ଷମ ବୋଲି ଜାଣିବା ପରେ ଏଭଳି ସମ୍ବେଦନଶୀଳ ଅଘଟଣକୁ ହାଲୁକା ଭାବେ ନେଇଥିଲା। ପୀଡ଼ିତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦୁଷ୍କର୍ମକାରୀ ଯୁବକକୁ ଥାନାକୁ ଉଠାଇ ନେଇଥିଲା ପୁଲିସ୍‌। କିଛି ସମୟ ପରେ ତାକୁ ଛାଡ଼ି ଦେଇଥିଲା। ଅନ୍ୟ ପକ୍ଷରେ ଦୁଷ୍କର୍ମ ପରେ ପୀଡ଼ିତା କାନ୍ଦି କାନ୍ଦି ବିଶ୍ରା ଆଡ଼କୁ ପଳାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଆଜି ସକାଳେ ଅଭିଯୁକ୍ତ ମାତାଲ ଯୁବକ ରାସ୍ତାରେ ବୁଲୁଥିବା ଦେଖି ସ୍ଥାନୀୟ ବୁଦ୍ଧିଜୀବୀମାନେ ପୁଲିସ୍‌ର ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ସମ୍ବନ୍ଧିତ ଖବର