ଆବାସିକ ହାଇସ୍କୁଲରେ ୧୪ ଆଦିବାସୀ ଛାତ୍ରୀଙ୍କୁ ମାନସିକ ନିର୍ଯାତନା

ଯଶିପୁର: ଯଶିପୁର ବ୍ଲକ ଚାକିଡି ପଞ୍ଚାୟତ ନୁହାବାଳିଆ ଗ୍ରାମ ସମେତ ଆଖପାଖ ଗ୍ରାମର ୧୪ ଆଦିବାସୀ ଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ଭୁବନେଶ୍ବରର ଏକ ଘରୋଇ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିର୍ଯାତନାର ଶିକାର ହୋଇ ବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ୧୪ ଛାତ୍ରୀ। ଖବର ପାଇ ଅଭିଭାବକମାନେ ସ୍କୁଲରେ ପହଞ୍ଚି ନିଜ ପିଲାଙ୍କୁ ଘରକୁ ନେଇ ଆସିଛନ୍ତି।

ନୁହାବାଳିଆ ଗ୍ରାମର ୯ ଆଦିବାସୀ ଛାତ୍ରୀଙ୍କ ସମେତ ପାଖ ଭୁଝୁସାହିର ୩ ଜଣ, ଝଲଡୁଙ୍ଗୁରି ଓ ଅସନବଣି ଗ୍ରାମର ଜଣେ ଲେଖା ଛାତ୍ରୀଙ୍କୁ ମିଶାଇ ମୋଟ୍‌ ୧୪ ଜଣ ଭୁବନେଶ୍ବର ନହରକଣ୍ଟାସ୍ଥିତ ଏକ ଘରୋଇ ଆବାସିକ ରମାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ପଲ୍ଲୀ ଉନ୍ନୟନ ସେବା ସମିତି ନାମକ ଏକ ସଂସ୍ଥା ଦ୍ଵାରା ପରିଚାଳିତ ଏହି ସ୍କୁଲରେ ପଢ଼ିବା, ରହିବା, ଖାଇବା, ମାଗଣା ବୋଲି ଅଭିଭାବକଙ୍କୁ ସୂଚନା ମିଳିବା ପରେ ପିଲାଙ୍କୁ ନେଇ ସେଠାରେ ଛାଡ଼ିଥିଲେ। ସପ୍ତାହେ ତଳେ କିସ୍‌ରେ ପଢୁଥିବା ଏହି ଅଞ୍ଚଳର ଜଣେ ଛାତ୍ରଙ୍କଠାରୁ ନିର୍ଯାତନା ସଂପର୍କରେ ଖବର ପାଇଥିଲେ ଅଭିଭାବକ। ସ୍କୁଲ୍ ପରିତ୍ୟାଗ ସାର୍ଟିଫିକେଟ୍‌ (ଟିସି) ଦେଇନଥିବା ଦର୍ଶାଇ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଉପରୋକ୍ତ ୧୪ ଜଣ ଛାତ୍ରୀଙ୍କୁ ଏଠି ପଢ଼ିପାରିବ ନାହିଁ ବୋଲି ବାରମ୍ବାର ତାଗିଦ୍ କରୁଥିଲେ।

ଏହି ଛାତ୍ରୀମାନେ ୨୦୧୯ ମସିହାରେ ସ୍କୁଲରେ ଭର୍ତ୍ତି ହେବା ସମୟରେ ନିଜ ପିଲାଙ୍କ ଟିସି ଦାଖଲ କରିଥିଲେ ବୋଲି କହିଛନ୍ତି ଅଭିଭାବକ। ଏହାର ଗୋଟିଏ ଲେଖାଏ ଜେରକ୍ସ କପି ମଧ୍ୟ ସେମାନେ ରଖିଛନ୍ତି। ସେତେବେଳେ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପ୍ରିୟଙ୍କା ଦିଦିଙ୍କୁ ଅଭିଭାବକମାନେ ନିଜ ନିଜ ପିଲାଙ୍କ ଟିସି ଦେଇଥିଲେ। ଯିଏକି ବର୍ଷକ ତଳେ ସ୍କୁଲ୍ ଛାଡ଼ି ଚାଲି ଯାଇଛନ୍ତି। ଖବର ପାଇ ଅଭିଭାବକ ସ୍କୁଲରେ ପହଞ୍ଚିବା ପରେ ସ୍କୁଲ କର୍ତ୍ତୃପକ୍ଷ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଓଲଟା ଗାଳିଗୁଲଜ କରି ବାହାରିଯିବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏମିତିକି କରୋନାରେ ସ୍କୁଲ ଛୁଟି ପରେ ଜାନୁଆରିରୁ ଏଯାବତ୍ ତିନି ମାସ ହଷ୍ଟେଲରେ ଖାଇବା ବାବଦରେ ଜଣ ପିଛା ୨୦୦ ଟଙ୍କା କରି ୬୦୦ ଟଙ୍କା ଆଦାୟ କରିଥିଲେ ସ୍କୁଲ୍ କର୍ତ୍ତୃପକ୍ଷ।

ଘଟଣା ସଂପର୍କରେ ଅବଗତ ହେବା ପରେ ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସ୍କୁଲ ଛାଡ଼ିଥିବା ଛାତ୍ରୀମାନଙ୍କୁ ସ୍ଥାନୀୟ ବିଦ୍ୟାଳୟରେ ଆଡମିସନ୍‌ ବ୍ୟବସ୍ଥା କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ଛାତ୍ରୀଙ୍କ ଅବିଭାବକ ଭାଗବତ ମାର୍ଣ୍ଡି, କୃଷ୍ଣ ହେମ୍ବ୍ରମ୍‌, କୈଳାସ ମାର୍ଣ୍ଡି, ଶ୍ୟାମ ସୋରେନ୍‌, ଶାଲଖୁ ହାଁସଦା, ଜଗମୋହନ ସୋରେନ, ଭଞ୍ଜ ହୋ, ସାବିତ୍ରୀ ମାଝୀ ପ୍ରମୁଖ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଫେରାଦ ହୋଇ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବସୁନ୍ଧରା ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଛାତ୍ରୀମାନେ କେବଳ ହଷ୍ଟେଲରେ ରହିବା ପାଇଁ କାଗଜପତ୍ର ଦେଇଛନ୍ତି। ସେମାନେ ସ୍କୁଲରେ ଆଡମିସନ୍‌ ହୋଇନାହାନ୍ତି। ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ସେମାନେ ଟିସି ଓ ଅନ୍ୟ ଆବଶ୍ୟକ କାଗଜପତ୍ର ଦେଇ ନଥିବାରୁ ସ୍କୁଲରେ ବିଧିବଦ୍ଧ ଭାବେ ସେମାନଙ୍କୁ ଗ୍ରହଣ କରାଯାଇନାହିଁ।

ସମ୍ବନ୍ଧିତ ଖବର