ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ତାଙ୍କ ବିଭାଗର ଅନ୍ୟ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁର ତାଙ୍କୁ ଦୀର୍ଘ ବର୍ଷ ହେଲା ମାନସିକ ନିର୍ଯାତନା ଦେଉଥିବା ନେଇ ସେ କୁଳପତିଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ କୁଳପତିଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ମହିଳା ତଦନ୍ତ କମିଟିର ୯ ଜଣିଆ ଟିମ୍‌କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଡ. କୁଜୁରଙ୍କୁ ନିଲମ୍ବିତ କରାଯାଇଛି।

Advertisment

ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ତଥା ସଂଯୋଜିକା ଡ. ରୋଶନୀ କୁଜୁର କୁଳପତିଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୧୬ ମସିହାରେ ବିଶ୍ୱବିଦ୍ୟାଳୟରେ ସେ ଯୋଗଦେବା ଦିନରୁ ରାଜନୀତି ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁର ମଦ ପିଇ ନିଶାରେ ତାଙ୍କୁ ବିଭିନ୍ନ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ସେ ରାଜନୀତି ବିଜ୍ଞାନ ବିଭାଗର ସଂଯୋଜିକା ଦାୟିତ୍ୱରେ ଥିବାରୁ ଏଭଳି ମାତାଲ ଅବସ୍ଥାରେ ଆସୁଥିବା ପ୍ରଫେସରଙ୍କୁ ନେଇ ସେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏ ନେଇ ପ୍ରଫେସର ଡ. କୁଜୁର ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୋ ବାବଦରେ ଆସିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ଏହି ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋମବାର ଏକ ବୈଠକରେ ଉପସ୍ଥିତ ରହି ତାଙ୍କ ପ୍ରତିକ୍ରିୟା ରଖିବାକୁ କୁହାଯାଇଛି। ସେଠାରେ ମୁଁ ମୋ ପକ୍ଷ ରଖିବି। ମୁଁ କେବେ କାହାକୁ ମାନସିକ ନିର୍ଯାତନା ଦେଇନାହିଁ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ସଂଯୋଜିକା ଭାବରେ ଯାହାଙ୍କୁ ନିଯୁକ୍ତ କରାଯାଇଛି ସେ ନିଜେ ନିଷ୍ପତ୍ତି ନନେଇ ଅନ୍ୟ ଜଣେ ଅଧ୍ୟାପକଙ୍କ ଇସାରାରେ କାମ କରୁଛନ୍ତି। ଆଉ ସବୁ ସମୟରେ ଜଣେ କନିଷ୍ଠ ଅଧ୍ୟାପକଙ୍କଠାରୁ ନିର୍ଦ୍ଦେଶ ଗ୍ରହଣ କରିବା କଷ୍ଟକର ହୋଇପଡୁଥିବା ପ୍ରଫେସର କୁଜୁର ଇ-ମେଲ ମାଧ୍ୟମରେ କୁଳପତିଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ମହିଳା ଅଧ୍ୟାପିକାଙ୍କ ଅଭିଯୋଗକୁ ନେଇ କୁଳସଚିବ ନୃପରାଜ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଅଭିଯୋଗକୁ ଗୁରୁତର ସହ ନିଆଯାଇଛି। ଆଭ୍ୟନ୍ତରୀଣ ମହିଳା ତଦନ୍ତ କମିଟି ଏହାର ତଦନ୍ତ କରିବ। ୨୮ ତାରିଖ ସୋମବାର ବୈଠକ ହେବ। ସେଠାକାର ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ସରିବା ଯାଏଁ ପ୍ରଫେସର ଡ. କୁଜୁରଙ୍କୁ ତାଙ୍କ ଦାୟିତ୍ବରୁ ନିଲମ୍ବିତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଫେସର ଡ. ରଜତ କୁଜୁର ଏହାପୂର୍ବରୁ ମଧ୍ୟ ଥରୁଟିଏ ନିଳମ୍ବିତ ହୋଇଥିଲେ। ରେଜିଷ୍ଟ୍ରାରଙ୍କ ସହ ମୁହାଁମୁହିଁ ହେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏହି ଘଟଣାରେ ପାଖାପାଖି ଦେଢ଼ ମାସ ସେ ନିଲମ୍ବିତ ଥିଲେ ଏବଂ ଗତ ଦଶଦିନ ତଳେ ନିଲମ୍ବନ ଆଦେଶ ଉଠିବା ପରେ ସେ ପୁଣି କାର୍ଯ୍ୟରେ ଯୋଗଦେଇଥିଲେ। ପୁନର୍ବାର ଏହି ନିଲମ୍ବନ ଆଦେଶ ଡ. ରଜତ କୁଜୁରଙ୍କ ଅଡ଼ୁଆ ବଢ଼ାଇଦେଇଛି।