କରୋନା ବଢ଼ାଉଛି ମାନସିକ ଅବସାଦ, ନିଦ୍ରାହୀନତା

ପୁରୁଣା ରୋଗୀ କିନ୍ତୁ ଆସୁ ନାହାନ୍ତି ଚିକିତ୍ସା ପାଇଁ
ମାନସିକ ରୋଗ ବିଶେଷଜ୍ଞଙ୍କ ଚେତାବନୀ: ସ୍ଥିତି ସଂଗିନ ହେବ

କଟକ : କରୋନା ଆଣୁଛି ମାନସିକ ଅବସାଦ। ଲୋକଙ୍କୁ ନିଦ ହେଉନି। ଏଭଳି ସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଏସ୍‌ସିବି ମାନସିକ ପ୍ରତିଷ୍ଠାନ ପକ୍ଷରୁ ହାତକୁ ନିଆଯାଇଥିଲା ଅନେକ ପଦକ୍ଷେପ। ହେଲେ ତା’ର ସୁବିଧା ମାନସିକ ରୋଗୀ ଅଥବା ଅବସାଦ ସମସ୍ୟାରେ ରହୁଥିବା ବ୍ୟକ୍ତି କିନ୍ତୁ ନେଉନାହାନ୍ତି। ଟେଲି‌ମେଡିସିନ୍‌ ଓ ଫୋନରେ ପରାମର୍ଶ ନେବା ପାଇଁ ବିଶେଷଜ୍ଞଙ୍କ ନମ୍ବର ବିଭାଗ ପକ୍ଷରୁ ଜାରି କରିଥିଲା। ହାତଗଣତି ୩୦/୪୦ଜଣ ରୋଗୀ ଏହାର ସୁବିଧା ନେଇଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ମାନସିକ ରୋଗୀଙ୍କ ସଂଖ୍ୟା ବଢୁଥିଲେ ବି ବର୍ତ୍ତମାନ ସ୍ଥିତିରେ ପୁରୁଣା ରୋଗୀ ବି ଆଉ ଫଲୋଅପ୍‌ ଚିକିତ୍ସା ପାଇଁ ଆସୁନାହାନ୍ତି। ଏଭଳି ସ୍ଥିତି ଜାରି ରହିଲେ ପରିସ୍ଥିତି ଅଧିକ ସଂଗିନ ହେବ ବୋଲି ମତ ଦେଇଛନ୍ତି ମାନସିକ ରୋଗ ବିଶେଷଜ୍ଞ। ଫଲୋଅପ୍‌ ଚିକିତ୍ସା ନହେଲେ ସେମାନଙ୍କ ମାନସିକ ସନ୍ତୁଳନ ଅଧିକ ବିଗିଡିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ୩ ମାସରେ ସାଢେ ୩ ହଜାର ପୁରୁଣା ରୋଗୀ ଫଲୋଅପ୍‌ ଚିକିତ୍ସା ପାଇଁ ଆସି ନାହାନ୍ତି। ଚିକିତ୍ସା ପାଇଁ ଆସିଥିବା ୬ ହଜାର ରୋଗୀଙ୍କ ମଧ୍ୟରୁ ୬ ଶହ ଜଣ ନିଦ ନହେବା ସମସ୍ୟା ପାଇଁ ଆସୁଥିବା ଜଣାପଡିଛି।
ସୂଚନା ଅନୁସାରେ, ଏସ୍‌ସିବି ଉତ୍କୃଷ୍ଟ ମାନସିକ ପ୍ରତିଷ୍ଠାନକୁ ପ୍ରତ୍ୟହ ପାଖାପାଖି ୩ଶହରୁ ଅଧିକ ମାନସିକ ରୋଗୀ ଆସିଥାନ୍ତି ଚିକିତ୍ସା ପାଇଁ। ହେଲେ ଏବେ ତିନିମାସ ହେଲା କରୋନା ଲକ୍‌ଡାଉନ୍‌ ଯୋଗୁଁ ୨ଶହରୁ ଅଢେଇ ଶହ ରୋଗୀ ଆସୁଛନ୍ତି। କିନ୍ତୁ ସବୁଠାରୁ ଉଦ୍‌ବେଗର ବିଷୟ ହେଲା ପୁରୁଣା ମାନସିକ ରୋଗୀ ଫଲୋଅପ୍‌ ଚିକିତ୍ସା ପାଇଁ ଆଦୌ ଆସୁନାହାନ୍ତି। ଯଦି କେହି ବି ଆସୁଛି କାଁଭାଁ ତାଙ୍କ ସଂପର୍କୀୟ ଆସି ପରୁଣା ଚିଠା ଦେଖାଇ ଔଷଧ ନେଉଛନ୍ତି। କରୋନା ସମୟରେ ଲକ୍‌ଡାଉନ୍‌ରେ ରୋଗୀ ଚିକିତ୍ସା ପାଇଁ ଆସିପାରିବେ ନାହିଁ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଓ ମାନସିକ ପ୍ରତିଷ୍ଠାନ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଥିଲା। ଟେଲିମେଡିସିନ୍‌ରେ ମଧ୍ୟ ଏହି ବ୍ୟବସ୍ଥା କରାଯାଇଥିଲା। ହେଲେ ମାତ୍ର ୨୫/୩୦ଜଣ ଫୋନ କରି ପରାମର୍ଶ ନେଇଥିଲେ। ଏସ୍‌ସିବି ମାନସିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ କହିବା ଅନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ ମାନସିକ ରୋଗୀଙ୍କ ସଂଖ୍ୟା ବଢିବା ସହିତ ନିଦ ନହେବା ରୋଗୀଙ୍କ ସଂଖ୍ୟା ବି ବଢି ଚାଲିଛି। ପୁରୁଣା ମାନସିକ ରୋଗୀଙ୍କ କ୍ଷେତ୍ରରେ ଏହି ନିଦ୍ରାଜନିତ ସମସ୍ୟା ଆହୁରି ଉତ୍କଟ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଯେଉଁ ପୁରୁଣା ରୋଗୀମାନେ ଚିକିତ୍ସା ପାଇଁ ଆସିପାରୁନାହାନ୍ତି ସେମାନେ ଟୋଲ ଫ୍ରି ନମ୍ବରରେ ଫୋନ କରି ଚିକିତ୍ସା ସୁବିଧା ନିଅନ୍ତୁ। ନଚେତ୍‌ ପୁରୁଣା ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡିବ। ଲକଡାଉନ, ସଟଡାଉନ ସ୍ଥିତି ଆଗକୁ ବି ଜାରି ରହିବା ଆକଳନ କରାଯାଉଥିବାରୁ ମାନସିକ ରୋଗଜନିତ ସ୍ଥିତି ହୁଏତ ଗୁରୁତର ହୋଇପାରେ ବୋଲି ପ୍ରଫେସର ସ୍ବାଇଁ ମତ ରଖିଛନ୍ତି।

୩୯୧୨୩ ପ୍ରବାସୀଙ୍କୁ ମାନସିକ କାଉନସେଲିଂ
ଭୁବନେଶ୍ବର : କରୋନା ମହାମାରୀ ସମୟରେ ଲୋକମାନଙ୍କୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ରହିବାକୁ ପଡ଼ୁଛି। ଏହାସହ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସରକାର ସଙ୍ଗରୋଧରେ ରହିବା ଲାଗି ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ ଅନେକଙ୍କୁ ମାନସିକ ଅବସାଦ ଦେଇ ଗତି କରିବାକୁ ପଡ଼ୁଛି। ତେଣୁ ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟ ସରକାରଙ୍କ ମାନସିକ ସ୍ବାସ୍ଥ୍ୟ ‌କାର୍ଯ୍ୟକ୍ରମ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟର ୩୯୧୨୩ ପ୍ରବାସୀଙ୍କୁ ମାନସିକ ଅବସାଦ, ଭୟଭୀତ ନ ହେବା ଓ ମାଦକ ଦ୍ରବ୍ୟ ସେବନ ନ କରିବା ଆଦି ସଂପର୍କରେ କାଉନସେଲିଂ କରାଯାଇଛି। ଏହାବାଦ୍ ୩ଟି ଜିଲ୍ଲା ପାଇଁ ୧୦ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ ମାନସିକ ରୋଗ ସଂପର୍କରେ ଟେଲି କାଉନସେଲିଂ ଜରିଆରେ ଲୋକମାନଙ୍କୁ ସୂଚନା ପ୍ରଦାନ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର