କଟକ: ଜେଲ୍‌ରେ ଥିବା କଏଦୀଙ୍କ ଭିତରେ ମାନସିକ ରୋଗ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜେଲ୍‌ରେ ପ୍ରାୟ ପ୍ରତିବର୍ଷ ମାନସିକ ରୋଗରେ ଆକ୍ରାନ୍ତ କଏଦୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏ‌ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ତିନିଟି ରାଜ୍ୟ ଭିତରେ ରହିବା ଘଟଣା ଉଦ୍‌ବେଗର କାରଣ ହୋଇଛି। ଲମ୍ବା ବିଚାର ପ୍ରକ୍ରିୟାଠାରୁ ଆରମ୍ଭ କରି ଜେଲର ବିଶୃଙ୍ଖଳିତ ପରିବେଶ ଭଳି ଏକାଧିକ କାରଣ ପାଇଁ ଏଭଳି ସମସ୍ୟା ବଢ଼ି ଚାଲିଛି। କିନ୍ତୁ ଏହାର ମୁକାବିଲା ପାଇଁ ଅଧିକ ମାନସିକ ରୋଗ ବିଶେଷଜ୍ଞ ପଦବି ସୃଷ୍ଟି କରିବା ବଦଳରେ ୨୦୧୭ରୁ ୫ ମାନସିକ ରୋଗ ଡାକ୍ତର ପଦବି ଉଚ୍ଛେଦ କରାଯିବା ଘଟଣା ଏବେ ଚିନ୍ତାର କାରଣ ହୋଇଛି।

Advertisment

ତଥ୍ୟ ଅନୁଯାୟୀ ଜେଲରେ ମାନସିକ ରୋଗାକ୍ରାନ୍ତ କଏଦୀଙ୍କ ସଂଖ୍ୟା ଦୃଷ୍ଟିରୁ ୨୦୧୮ରେ ଓଡ଼ିଶା ଉତ୍ତର ପ୍ରଦେଶ ତଳକୁ ଦେଶରେ ଦ୍ବିତୀୟ ସ୍ଥାନରେ ଥିଲା। ୨୦୧୯ରେ ଓଡ଼ିଶା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରକୁ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପରବର୍ତ୍ତୀ ବର୍ଷ ମାନଙ୍କରେ ଲଗାତାର ଭାବେ ପ୍ରଥମ ତିନିଟି ରାଜ୍ୟ ଭିତରେ ରହି ଆସୁଛି। ୨୦୨୦ରେ ଓଡ଼ିଶା ଉତ୍ତରପ୍ରଦେଶ ଓ ରାଜସ୍ଥାନ ପରକୁ ତୃତୀୟ ସ୍ଥାନରେ, ୨୦୨୧ରେ ଉତ୍ତର ପ୍ରଦେଶ ଓ ଦିଲ୍ଲୀ ପରକୁ ତୃତୀୟ ସ୍ଥାନରେ ଏବଂ ୨୦୨୨ରେ ଉତ୍ତର ପ୍ରଦେଶ ଓ କେରଳ ପରକୁ ତୃତୀୟ ସ୍ଥାନରେ ରହି ଆସିଛି। ମୋଟାମୋଟି ଭାବେ ଉତ୍ତର ପ୍ରଦେଶ ସବୁ ବେଳେ ଏହି ତାଲିକାରେ ଶୀର୍ଷରେ ରହି ଆସୁଥିବା ବେଳେ ଓଡ଼ିଶା ପ୍ରାୟତଃ ତୃତୀୟ ସ୍ଥାନରେ ରହି ଏକ ନିନ୍ଦିତ ରେକର୍ଡର ଅଧିକାରୀ ହୋଇଛି। ଓଡ଼ିଶାରେ ଥିବା ୯୨ଟି ଜେଲରେ ଏବେ ୧୮ ହଜାର ୯୬୨ କଏଦୀ ଅଛନ୍ତି। ଜେଲ୍ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୨ରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମଧ୍ୟରୁ ୨୮୨ ଜଣ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିବା ବେଳେ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୫୩୮ଜଣ ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅର୍ଥାତ ୨୦୨୨ରେ ମୋଟ ୮୨୦ ଜଣ କଏଦୀଙ୍କ ନିକଟରେ ଏହି ରୋଗ ଚିହ୍ନଟ ହୋଇଛି। ସେହିଭଳି ୨୦୨୧ରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମଧ୍ୟରୁ ୨୭୯ ଜଣ ଓ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୪୨୦ ଜଣ, ଏଭଳି ଭାବେ ମୋଟ ୬୯୯ ଜଣ ମାନସିକ ରୋଗରେ ପୀଡ଼ିତ କଏଦୀ ରହିଥିଲେ। ୨୦୨୦ରେ ୬୯୬ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମଧ୍ୟରୁ ୩୯୫ ଜଣ ଓ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୩୦୦ ଜଣ ରହିଥିଲେ। ୨୦୧୯ରେ ଦୋଷୀ ସାବ୍ୟସ୍ତ ୩୮୭ ଓ ବିଚାରାଧୀନ ୨୩୯ଜଣଙ୍କୁ ମିଶାଇ ମୋଟ ୬୨୬ ଜଣ ମାନସିକ ରୋଗରେ ପୀଡିତ କଏଦୀ ଚିହ୍ନଟ ହୋଇଥିଲେ। ୨୦୧୮ରେ ଦୋଷୀ ସାବ୍ୟସ୍ତ ୩୪୮ ଓ ବିଚାରାଧୀନ ୩୨୯ ଜଣଙ୍କୁ ମିଶାଇ ମୋଟ ୬୭୭ ଜଣ ମାନସିକ ରୋଗୀ କଏଦୀ ଚିହ୍ନଟ ହୋଇଥିଲେ।

ରାଜ୍ୟରେ କଟକର ଚୌଦ୍ବାର ସମେତ ବାରିପଦା, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ ସର୍କଲ ଜେଲରେ ମୋଟ ୫ ଜଣ ମାନସିକ ରୋଗ ବିଶେଷଜ୍ଞ ଥିଲେ। ଏମାନେ ସିଧାସଳଖ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିଯୁକ୍ତି ପାଇଥିଲେ। କିନ୍ତୁ ୨୦୧୭ରେ ଏହି ସମସ୍ତ ପଦବିଗୁଡ଼ିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ଚାରି ଜଣ ମାନସିକ ରୋଗ ଡାକ୍ତର ଅନ୍ୟତ୍ର ବଦଳି ହୋଇଗଲେ। କେବଳ ଚୌଦ୍ବାର ଜେଲ୍‌ରେ ଜଣେ ଡାକ୍ତର ଏବେ ଯାଏ କାର୍ଯ୍ୟ କରୁଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କର ପଦୋନ୍ନତି ହେଲେ ସେ ବି ଅନ୍ୟତ୍ର ବଦଳି ହୋଇ ଚାଲିଯିବେ। ଏବେ ରାଜ୍ୟରେ ଏକମାତ୍ର ଚୌଦ୍ବାର ସର୍କଲ ଜେଲରେ ଏକ ମାନସିକ ରୋଗ ଚିକିତ୍ସା କେନ୍ଦ୍ର ଖୋଲିଥିବା ବେଳେ ସାରା ରାଜ୍ୟର ଜେଲରେ ଥିବା ମାନସିକ ରୋଗରେ ଆକ୍ରାନ୍ତ କଏଦୀ ଏଠାକୁ ଚିକିତ୍ସା ହେବାକୁ ଆସିଥାନ୍ତି। ଯେଉଁ ହାରରେ ଜେଲରେ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ବର୍ତ୍ତମାନ ସର୍କଲ ଜେଲଗୁଡ଼ିକ ପାଇଁ ଜଣେ ଲେଖାଏ ସ୍ଥାୟୀ ଡାକ୍ତର ପଦବି ସୃଷ୍ଟି ହେବାର ଆବଶ୍ୟକତା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରତି ମାସରେ ଥରେ ଚିକିତ୍ସା ପାଇଁ ଯିବା ପର୍ଯ୍ୟାପ୍ତ ନୁହେଁ। ମାନସିକ ରୋଗରେ ଆକ୍ରାନ୍ତ କଏଦୀଙ୍କୁ ନିୟମିତ ବ୍ୟବଧାନରେ ଡାକ୍ତରଖାନା ନେବା ବି ସୁରକ୍ଷିତ ନୁହେଁ। ଅନ୍ୟପଟେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କ କହିବା ଅନୁଯାୟୀ, ଅପରାଧ ନକରି ବି ଅନେକ ଲୋକ ଜେଲ୍‌ଦଣ୍ଡ ପାଉଛନ୍ତି। ଅଭିଯୁକ୍ତକୁ କେବେ ଓ କେତେଦିନ ଅଦାଲତରେ ଜେଲ୍ ଦଣ୍ଡ ମିଳିବ ଏହାକୁ ନେଇ ବି ଚିନ୍ତାରେ ଥାଆନ୍ତି। ଘର ପରିବାରଠାରୁ ଦୂରେଇ ରହିବା ଦ୍ବାରା ବି ସେମାନେ ଚାପରେ ରହୁଛନ୍ତି। ଜେଲରେ ଖାଇବା, ଶୋଇବା ଓ ରହିବାରେ ବିଶୃଙ୍ଖଳା ଘଟିଥାଏ। ଏଭଳି ଏକାଧିକ କାରଣ ପାଇଁ ଜେଲରେ ମାନସିକ ରୋଗ କଏଦୀଙ୍କଠାରେ ବୃଦ୍ଧି ଘଟୁଥିବା ଡାକ୍ତର କର ସୂଚନା ଦେଇଛନ୍ତି।