କର୍ଲାପାଟ ଅଭୟାରଣ୍ୟରୁ ଉଦ୍ଧାର ହେଲେ ମାନସିକ ବିକୃତ ଅସହାୟ ମହିଳା, ଉଦ୍ଧାର କଲେ ଦୁଇ ଯୁବ ସାମ୍ବାଦିକ ଓ ଦୁଇ ବନ ବିଭାଗ କର୍ମଚାରୀ

କଳାହାଣ୍ଡି : ପରିବର୍ତ୍ତନ ଦୁନିଆର ବ୍ୟସ୍ତବହୁଳ ଜୀବନରେ ମଧ୍ୟ ବଞ୍ଚି ରହିଛି ମାନବିକତା । ଏକ ମାନସିକ ବିକୃତ ଅସହାୟ ମହିଳାକୁ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରୁ ଉଦ୍ଧାର କଲେ ଜଣେ ଯୁବ ବନ କର୍ମଚାରୀ ଓ ଦୁଇ ଜଣ ଯୁବ ସାମ୍ବାଦିକ। କଳାହାଣ୍ଡି ଜିଲ୍ଲା ଭଵାନୀପାଟଣା ଠାରୁ ୧୮ କିଲୋମିଟର ଗଲେ ପଡେ କର୍ଲାପାଟ ଅଭୟାରଣ୍ୟ । କର୍ଲାପାଟ ଅଭୟାରଣ୍ୟ ଦେଇ ଯାଇଛି ୪୪ ନମ୍ବର ରାଜ୍ୟ ରାଜପଥ। କିଆପଦର ଛକରୁ ୩କିଲୋମିଟରରେ ଏକ ନିଛାଟିଆ ଜାଗାରେ ଖୋଲା ଆକାଶ ତଳେ ପୋଲ ପାଖରେ ପଡିରହିଥିଲେ ମାନସିକ ଭାରସାମ୍ୟ ହରାଇଥିବା ଅସହାୟ ମହିଳା ।  ନାଁ ପଚାରିଲେ କହୁଛନ୍ତି- କାଣି ସାହୁ, ଲଳିତା ଗୁରୁବାରୀ ଏମିତି ବହୁତ ନା । ଗାଁ ନା କହୁଛନ୍ତି ବଲାଙ୍ଗୀର ଜିଲ୍ଲାର ସଯବାହଲ। ସ୍ୱାମୀ ମରିଯିବା ପରେ ପୁଅ ବୋହୂଙ୍କ ଗାଳିଗୁଳଜ ସହି ନପାରି ସେ ୩ ବର୍ଷ ହେଲା ଘରଛାଡି ଚାଲିଚାଲି ଆସିଛନ୍ତି କର୍ଲାପାଟ ଅଭୟାରଣ୍ୟକୁ।

ଘଞ୍ଚ ଜଙ୍ଗଲ ମଧ୍ୟରେ କିଛିଦିନ ହେଲା ଏହି ମହିଳାଙ୍କୁ ରାସ୍ତା କଡରେ ଦେଖି ଚାଲିଯାଉଥିଲେ ଅନେକ ଲୋକ କିନ୍ତୁ କାହାରି ନଜର ପଡିନଥିଲା। ତେବେ ଅଭୟାରଣ୍ୟର ଫରେଷ୍ଟ ଗାର୍ଡ ଅରୁଣ କୁମାର ହରିଚନ୍ଦନ ଓ ଥୁଆମୂଳ ଅଞ୍ଚଳରେ କାମ କରୁଥିବା  ସଂଜୟ ବିଷିଙ୍କ ନଜର ପଡିଲା ଏହି ମହିଳାଙ୍କ ଉପରେ। ଏହି ଦୁଇଜଣ ସବୁଦିନ ପାଣି ବିସ୍କୁଟ ସହ କିଛି ରନ୍ଧା ଖାଦ୍ୟ ଏହି ଅସହାୟ ମହିଳାଙ୍କ ପାଇଁ ଆଣିଦେଉଥିଲେ ।

ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଅସହାୟ ମହିଳା କେମିତି ଆସିଲେ କାହାକୁ ଜଣାନାହି । କିଛି ପଥଚାରୀ ଗାଡି ଅଟକାଇ ଖାଇବାକୁ ଦେଲେ ଖାଉଥିଲେ ନହେଲେ ଭୋକରେ ଉପାସରେ ଜଙ୍ଗଲ ଭିତରେ ଚାତକ ପରି ଲୋକଙ୍କୁ ଅପେକ୍ଷା କରିଥାନ୍ତି। ତେବେ ଏହି ଅସହାୟ ମହିଳାଙ୍କ ବିଷୟରେ ଖବର ପାଇ ଦୁଇଜଣ ଯୁବ ସାମ୍ବାଦିକ ଚିତ୍ତ ରଞ୍ଜନ ବିଷି ଓ ଯୋଶବନ୍ତ ଧଙ୍ଗଡା ମାଝୀ ସେଠାରେ ପହଞ୍ଚିଥିଲେ । ପହଞ୍ଚିଲା ପରେ ଦୁଇ ଯୁବ ସାମ୍ବାଦିକ, ରେଞ୍ଜର ଏମ ଡି ସମିମ୍ , ବନ କର୍ମଚାରୀ ଓ ସେହି ଯୁବକଙ୍କ ସାହାଯ୍ୟରେ ଏକ ଗାଡି ଯୋଗେ ଏହି ଅସହାୟ ମହିଳାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଯୋଗାଯୋଗ ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜିର ଦିନରେ ଲୋକେ ନିଜ କର୍ମମୟ ଜୀବନରେ ଏତେ ବ୍ୟସ୍ତ ରହି ମାନବିକତାକୁ ଭୁଲିଯାଉଛନ୍ତି, ଯାହା ଆଗାମୀ ପିଢି ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର