ଭୁବନେଶ୍ବର : କୋଭିଡରେ ଲୋକମାନଙ୍କ ଭିତରେ ମାନସିକ ଚାପ ବଢ଼ିଛି। ବିଶେଷକରି ଲକ୍ଡାଉନ୍ ସମୟରେ ଘରେ ରହିବା ଯୋଗୁଁ ଲୋକମାନେ ଚାପଗ୍ରସ୍ତ ହୋଇଛନ୍ତି। ଯାହାଫଳରେ ମାନସିକ ଚାପ ଜନିତ ରୋଗ ବଢ଼ିଛି। କେବଳ ଚାପ ବଢ଼ିନାହିଁ, ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ରୋଗୀମାନଙ୍କୁ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବାରେ ସମସ୍ୟା ସୃଷ୍ଟି ହୋଇଛି। ହେଲେ ତୃତୀୟ ଲହରରେ ଲୋକମାନେ ପୂର୍ବଭଳି ଡାକ୍ତରଙ୍କ ପରାମର୍ଶ ଜାରି ରଖିଛନ୍ତି। କନକ ନ୍ୟୁଜ୍ ହେଲ୍ଥ କନକ୍ଲେଭ୍ର ଦ୍ବିତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘କୋଭିଡ ସମୟରେ ଅସ୍ତ୍ରୋପଚାରରେ କ’ଣ ରହିଛି ଚ୍ୟାଲେଞ୍ଜ’। ଏହି ଆଲୋଚନାରେ ଭାଗନେଇ ଅହନା ଗାଏନାକେୟାରର ଏମ୍ଡି ଡା.ସୁଜିତ ବେହେରା କହିଥିଲେ, ସବୁ ଲହରରେ ସରକାରଙ୍କ ଗାଇଡଲାଇନ୍ ବଦଳୁଛି। ତେଣୁ ଏଥିରେ ସମନ୍ବୟ ରକ୍ଷା କରି ରୋଗୀ ଚିକିତ୍ସା କରିବାକୁ ପଡ଼ିଥିଲା। ଆମ୍ରି ହସ୍ପିଟାଲର କାର୍ଡିଓଥୋରାସିସ୍ ଓ ଭାସ୍କୁଲାର ସର୍ଜନ୍ ଡା.ବିଶ୍ବଜିତ ମହାପାତ୍ର କହିଥିଲେ, ଦେହ ସବୁବଳେ ମନ ଦ୍ବାରା ପରିଚାଳିତ ହୋଇଥାଏ। କୋଭିଡ ଲୋକମାନଙ୍କ ଭିତରେ ଭୟ ସୃଷ୍ଟି କରିଥିଲା। ଏ ସମୟରେ ହୃଦ୍ରୋଗୀଙ୍କ ଚିକିତ୍ସା କରିବା ବେଶ୍ ଆହ୍ବାନପୂର୍ଣ୍ଣ ଥିଲା। ଆପୋଲୋ କ୍ୟାନସର ହସ୍ପିଟାଲର ରେଡିଏସନ ଅଙ୍କଲୋଜିଷ୍ଟ ଡା. ସଂଜୟ ମିଶ୍ର କହିଥିଲେ, ଲୋକମାନଙ୍କ ଭିତରେ କର୍କଟକୁ ନେଇ ସଚେତନତା ଅଭାବରୁ ଭୟ ସୃଷ୍ଟି ହେଉଛି। କର୍କଟ ଚିକିତ୍ସା ବେଶ୍ ଅଗ୍ରଗତି କରିଛି। ଅନେକ ନୂତନ ଯନ୍ତ୍ରପାତି ଉପଲବ୍ଧ ହେଲାଣି। ଯାହାଫଳରେ ଓଡ଼ିଶାର ରୋଗୀଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ୁନାହିଁ। ତେବେ ଅସ୍ତ୍ରୋପଚାର ଓ ରେଡିଏସନ୍ ଉଭୟ ବେଶ୍ ଫଳପ୍ରଦ ବୋଲି ଡା.ମିଶ୍ର କହିଥିଲେ।
/sambad/media/post_attachments/wp-content/uploads/2022/01/ka5.jpg)
ପିଠି ଓ ବେକ ଯନ୍ତ୍ରଣା ବଢ଼ାଇଛି କୋଭିଡ
କୋଭିଡ ପାଇଁ ଗତ ୨ବର୍ଷ ହେବ ଲୋକମାନେ ଘରୁ କାମ କରୁଛନ୍ତି। ଘରେ କାମ କରିବା ସମୟରେ ଭୁଲ୍ ବସିବା ଓ କାମ କରିବା ଶୈଳୀ ଯୋଗୁଁ ଲୋକମାନେ ଏହି ଯନ୍ତ୍ରଣା ଭୋଗିଛନ୍ତି ବୋଲି ତୃତୀୟ ଅଧିବେଶନରରେ ବିଶେଷଜ୍ଞମାନେ ମତ ରଖିଛନ୍ତି। ଅଧିବେଶନର ବିଷୟବସ୍ତୁ ରହିଥିଲା କ’ଣ ଶିକ୍ଷା ଦେଲା ମହାମାରୀ ?। ଏହି ଆଲୋଚନାରେ ଭାଗ ନେଇ ହେଲ୍ଥ ଭିଲେଜ ହସ୍ପିଟାଲର କନସଲଟାଣ୍ଟ ପେନ୍ ଫିଜିସିଆନ୍ ଡା.ଶୋଭନ ରଥ କହିଥିଲେ, ୨୦୧୦ ମସିହାରୁ ଓଡ଼ିଶାରେ ଯନ୍ତ୍ରଣା ନିବାରଣ କେନ୍ଦ୍ର କାର୍ଯ୍ୟ କରିବା ଆରମ୍ଭ କରିଛି। ଏସବୁ କେନ୍ଦ୍ରରେ ବେକ, ମୁଣ୍ଡବିନ୍ଧା, ପିଠି, ଆଣ୍ଠୁଗଣ୍ଠି ଭଳି ଯନ୍ତ୍ରଣାର ଉପଶମ ହୋଇପାରୁଛି। କିଡ୍ନି ଟ୍ରାନ୍ସପ୍ଲାଣ୍ଟ ସର୍ଜନ୍ ଡା.ବିଶ୍ବଜିତ ନନ୍ଦ କହିଥିଲେ, ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବା ଓ ଜୀବନ ଶୈଳୀରେ ପରିବର୍ତନ ପାଇଁ କିଡ୍ନି ରୋଗୀଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟ ସରକାରଙ୍କ ବିଏସ୍କେୱାଇ କାର୍ଡରେ ୫-୭ଲକ୍ଷ ଟଙ୍କା ଏଥିପାଇଁ ବ୍ୟବସ୍ଥା ରହିଥିବା ଡା.ନନ୍ଦ କହିଛନ୍ତି। ସେହପରି ସ୍ତ୍ରୀ ଓ ପ୍ରସୂତି ରୋଗର ବରିଷ୍ଠ କନସଲଟାଣ୍ଟ ଡା.ଜୟ ପ୍ରକାଶ ପାଣି କହିଥିଲେ, ରାଜ୍ୟରେ ଏବେ ଚିକିତ୍ସା କ୍ଷେତ୍ରରେ ବେଶ୍ ଅଗ୍ରଗତି କରିଛି। ଲାପାରାସ୍କୋପିରେ କମ୍ ଦିନ ଭିତରେ ରୋଗୀ ଘରକୁ ଯାଇପାରୁଛି। ଏପରିକି ବଡ଼ ଟ୍ୟୁମରର ମଧ୍ୟ ସଫଳ ଅସ୍ତ୍ରୋପଚାର ହୋଇପାରୁଛି ବୋଲି ଡା.ପାଣି କହିଥିଲେ।
/sambad/media/post_attachments/wp-content/uploads/2022/01/ka2.jpg)
୧୦ ବର୍ଷ ମଧ୍ୟରେ ରୋଗ ପରୀକ୍ଷଣ ବ୍ୟବସ୍ଥା ବିକଶିତ ହୋଇଛି
୧୦ ବର୍ଷ ମଧ୍ୟରେ ରାଜ୍ୟରେ ରୋଗ ପରୀକ୍ଷଣ ବ୍ୟବସ୍ଥା ବିକଶିତ ହୋଇଛି। ପୂର୍ବଭଳି ଆଉ ଦିଲ୍ଲୀ, ମୁମ୍ବାଇ ଯିବାକୁ ପଡ଼ୁ ନାହିଁ। କୋଭିଡ ସମୟରେ ପରୀକ୍ଷଣ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏହାର ସମାଧାନ ସ୍ବରୂପ ମୋବାଇଲ ଆପ ଜରିଆରେ ଲୋକେ ଘରେ ରହି ପରୀକ୍ଷଣ ସୁବିଧା ପାଉଛନ୍ତି। ‘କୋଭିଡ ରୋଗୀ: ଟେଷ୍ଟିଂ ଚାପ’ ଶୀର୍ଷକ ଆଲୋଚନାରେ ଏହା କହିଛନ୍ତି ଓଡ଼ିଶା ଡାଇଗ୍ନୋଷ୍ଟିକର ପ୍ରତିଷ୍ଠାତା ଏବଂ ସିଇଓ ଗୋପାଳ ଅଗ୍ରଓ୍ବାଲ। ଲେଜର ଇଏନଟି କ୍ଲିନିକ ନିର୍ଦେଶକ ଡ.ଖଗେଶ୍ବର ରାଉତ କହିଛନ୍ତି, ଲେଜର ଚିକିତ୍ସା ବ୍ୟୟବହୁଳ ଜଣାପଡ଼ୁଥିଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ଏହା ଠିକ ନୁହେଁ। କାରଣ ଲେଜର ଚିକିତ୍ସାରେ ଡାକ୍ତରଖାନାରେ ଭର୍ତ୍ତି ଏବଂ ଏଥିସମ୍ପର୍କିତ ଆନୁସଙ୍ଗିକ ଖର୍ଚ ହୁଏ ନାହିଁ। ଲେବଜିକେୟାର ସର୍ଜିକାଲ ସେଣ୍ଟରର ପରିଚାଳନା ନିର୍ଦେଶକ ଡ.ପ୍ରତାବିଦ୍ୟ ପରିଡ଼ା କହିଛନ୍ତି, ଜୀବନ ଶୈଳୀରେ ପରିବର୍ତ୍ତନ, କମ ପାଣି ପିଇବା ଯୋଗୁଁ ପାଇଲ୍ସ ରୋଗ ବଢିବାରେ ଲାଗିଛି। ଏହି ରୋଗରେ ପୀଡ଼ିତ ୯୦ ପ୍ରତିଶତ ରୋଗୀ ଚିକିତ୍ସା ପାଇଁ ସର୍ଟକର୍ଟ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଏଥିଯୋଗୁଁ ରୋଗୀଙ୍କ ଅବସ୍ଥା ଗୁରୁତର ହେଉଛି। ଏହାର ଉପଚାର ପାଇଁ ଲେଜର କିମ୍ବା ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଉଛି।
/sambad/media/post_attachments/wp-content/uploads/2022/01/ka1.jpg)
ଏଣିକି ହ୍ରାସ ପାଇବ ଏକମୋ ଚିକିତ୍ସା ଖର୍ଚ
ଏକମୋର ବ୍ୟବହାର ବଢିଲେ ଚିକିତ୍ସା ଖର୍ଚ କମିବ। ପୂର୍ବରୁ ଥରେ ଏକମୋର ବ୍ୟବହାର ପାଇଁ ଦୈନିକ ୨ ଲକ୍ଷ ଟଙ୍କା ଖର୍ଚ ହେଉଥିଲା। ବର୍ତ୍ତମାନ ୫୦ ହଜାର ଖର୍ଚ ହେଉଛି। ଆଗାମୀ ଦିନରେ ଏହା ଆହୁରି କମିବ। ‘ଜୀବନ ବଞ୍ଚାଉଛି ଏକମୋ’ ଶୀର୍ଷକ ଆଲୋଚନାରେ ଏହା କହିଛନ୍ତି ଆମ୍ରି ଡାକ୍ତରଖାନାର ହୃଦରୋଗ ନିଶ୍ଚେତକ ବିଭାଗ ଏଚଓଡି ଡ.ବିବେକ ଚୌଧୁରୀ। ସେ ଆହୁରି ମତ ଦେଇଛନ୍ତି, ରୋଗୀର ଭେଣ୍ଟିଲେଟର ଚିକିତ୍ସା ଆରମ୍ଭ ହୋଇଗଲେ, ପରିବାର ପ୍ରାୟତଃ ଆଶା ହରାଇ ଦିଅନ୍ତି। ଏକମୋ ଚିକିତ୍ସା ଆରମ୍ଭ ପରେ ଏହି ସ୍ଥିତିରେ ପରିବର୍ତ୍ତନ ହୋଇଛି। ଏକମୋ ବା କୁତ୍ରିମ ଫୁସଫୁସ ଜରିଆରେ ଯେଉଁଠି ଭେଣ୍ଟିଲେଟର ବିଫଳ ହୁଏ ଏକ୍ମୋ ଆଶା ଦେଇଥାଏ। ୨୦୦୯ ମସିହାରେ ଏଚ୧ଏନ୧ ବ୍ୟାପିବା ସମୟରେ ଏକମୋର ବ୍ୟବହାର ଆରମ୍ଭ ହୋଇଥିଲା। କୋଭିଡର ଦ୍ବିତୀୟ ଲହରରେ ଫୁସଫୁସ ନଷ୍ଟ ହେବା ଯୋଗୁଁ ଆଇସିୟୁରେ ରୋଗୀ ଭର୍ତ୍ତି ହେଲେ। ଏକମୋର ଆବଶ୍ୟକତା ବଢିଲା। ବର୍ତ୍ତମାନ ମଧ୍ୟ ଏକମୋର ଆବଶ୍ୟକତା ହ୍ରାସ ପାଇ ନାହିଁ।
/sambad/media/post_attachments/wp-content/uploads/2022/01/ka3.jpg)
ହସର ବି ଡିଜାଇନ କରି ହେବ
ହସ ଏକ ସ୍ବତଃପ୍ରବୃତ୍ତ ଆବେଗ। ମାତ୍ର ଆକର୍ଷଣୀୟ ବ୍ୟକ୍ତିତ୍ବ ପାଇଁ ଏହାକୁ ଆହୁରି ମଧ୍ୟ ଆକର୍ଷଣୀୟ କରିହେବ। ଏଥିପାଇଁ ସ୍ବତନ୍ତ୍ର ସଫ୍ଟୱେୟାର ରହିଛି। ହେଲ୍ଥ କେୟାର ‘ରୋଗ ନ ହେବ କେମିତି’ ଶୀର୍ଷକ ଆଲୋଚନାର ମୁଖ୍ୟ ଆଲୋଚକ ସାଇ ଶ୍ରଦ୍ଧା ସ୍ମାଇଲ ଡେଣ୍ଟାଲ କ୍ଲିନିକର ପ୍ରୋପାଇଟର ପ୍ରଫେସର ସୁନୀଲ କର କହିଛନ୍ତି, ଟାଇଟନିକ୍ ସ୍କୃ ଜରିଆରେ ମାଢିରେ ଦାନ୍ତ ଲଗାଯାଇ ନିଜ ଇଚ୍ଛା ଅନୁଯାୟୀ ହସ ତିଆରି କରାଯାଇ ପାରିବ। ହସ ଡିଜାଇନ ମଧ୍ୟ ବ୍ୟକ୍ତି ନିଜେ ବାଛିପାରିବେ। ଦୁର୍ଘଟଣାରେ ଦାନ୍ତ ହରାଇଥିବା କିମ୍ବା ମୁଖ-ଗହ୍ବର କର୍କଟ ମୁକ୍ତ ବ୍ୟକ୍ତି ଏହି ପ୍ରକ୍ରିୟାରେ ସ୍ବାଭାବିକ ଜୀବନ ବଞ୍ଚିପାରିବେ। ଚାର୍ମ ଡେଲଗାଡୋ ହେଲ୍ଥ କେୟାର ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦେଶିକା ସ୍ମୃତି ମହାପାତ୍ର କହିଛନ୍ତି, ଉପଯୁକ୍ତ ସମୟରେ ଏବଂ ଉପଯୁକ୍ତ ପରିମାଣର ଖାଦ୍ୟ ଖାଇଲେ ଔଷଧର ଆବଶ୍ୟକତା ପଡ଼ିବ ନାହିଁ। କାର୍ଯ୍ୟ ପାଇଁ ଯେଉଁଭଳି ପୂର୍ବରୁ ବିଭିନ୍ନ ପ୍ରକାର ଯୋଜନା କରାଯାଏ ଖାଦ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ। ସ୍ବାସ୍ଥ୍ୟକର ଜଳଖିଆ ସହିତ ସକାଳ ଆରମ୍ଭ କରି ରାତି ୭.୩୦ରୁ୮.୩୦ ମଧ୍ୟରେ ରାତ୍ରି ଭୋଜନ ସମ୍ପୂର୍ଣ୍ଣ କରିଦେବା ଉଚିତ। ସୁସ୍ଥ ଜୀବନ ଶୈଳୀରେ ବ୍ୟାୟାମର ଗୁରୁତ୍ବ ରହିଛି।
/sambad/media/post_attachments/wp-content/uploads/2022/01/ka7.jpg)
କର୍କଟ ରୋଗୀଙ୍କ ସହିତ ଡାକ୍ତରଙ୍କ ସମ୍ପର୍କ ଗୋଟିଏ ଦିନର ନୁହେଁ ବରଂ ଅନେକ ବର୍ଷର
ଅନ୍ୟ ସାଧାରଣ ରୋଗୀଙ୍କ ଭଳି କର୍କଟ ରୋଗୀଙ୍କ ସହିତ ଡାକ୍ତରଙ୍କ ସମ୍ପର୍କ ଗୋଟିଏ ଦିନର ନୁହେଁ। ବର୍ଷାଧିକ ସମୟର ସମ୍ପର୍କ। ଏଥିଯୋଗୁଁ ଅନେକ ସମୟରେ ରୋଗୀଙ୍କ ସହିତ ମାନସିକ ଏବଂ ଭାବଗତ ଭାବରେ ଯୋଡ଼ି ହୋଇଯାଉ ବୋଲି କହିଛନ୍ତି ଆପୋଲୋ କ୍ୟାନସର ସେଣ୍ଟରର କନସଲଣ୍ଟାଣ୍ଡ ରେଡିଏସନ ଅଙ୍କୋଲୋଜିଷ୍ଟ ଡା. ସ୍ଥିତି ଦାସ। ଡା. ଦାସ କହିଛନ୍ତି, ୧୦ ବର୍ଷ ମଧ୍ୟରେ ରାଜ୍ୟରେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ବଢିବାରେ ଲାଗିଛି। ତମାଖୁର ମାତ୍ରାଧିକ ବ୍ୟବହାର ଯୋଗୁଁ ମୁଖ ଗହ୍ବର, ଫୁସଫୁସ ଏବଂ ପେଟ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଆପୋଲୋ କ୍ୟାନସର ସେଣ୍ଟରର କନସଲଣ୍ଟାଣ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ସୁନୀଲ ଜୟସ୍ବାଲ କହିଛନ୍ତି, କରୋନା ଯୋଗୁଁ କର୍କଟ ରୋଗୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସାଧାରଣ ଅସ୍ତ୍ରୋପଚାରରେ ସୁସ୍ଥ ହେବାକୁ ଥିବା ରୋଗୀଙ୍କ ଅସ୍ତ୍ରୋପଚାର ବିଳମ୍ବିତ ହେଲା। ପ୍ରାରମ୍ଭିକ ସ୍ତରରେ ଥିବା ରୋଗୀ ଜଟିଳ ସ୍ଥିତିକୁ ଚାଲି ଆସିଲେ। ଉନ୍ନତ ପରୀକ୍ଷଣ ବ୍ୟବସ୍ଥା ଯୋଗୁଁ କର୍କଟ ରୋଗର ଚିହ୍ନଟ ସମ୍ଭବ ହେଉଛି। ଶାରୀରିକ କାର୍ଯ୍ୟର ଅଭାବ ସହିତ ଜୀବନ ଶୈଳୀରେ ପରିବର୍ତ୍ତନ, ଜନସଂଖ୍ୟା ଯୋଗୁଁ ଅଧିକ ଲୋକଙ୍କ ଠାରେ ଏହା ଚିହ୍ନଟ ହେଉଛି। ସାର ସହିତ ବିଭିନ୍ନ ରସାୟନର ବହୁଳ ବ୍ୟବହାର, ବଂଶଗତ କାରଣରୁ କର୍କଟ ରୋଗ ବଢୁଛି ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/01/DSC_0340.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ka8.jpg)