ତେଲ ବଢିଛି..ଟେକିନିଅ, କୁକୁଡ଼ା-ପିଆଜ ପରେ ତେଲର ପାଳି

କୁଚିଣ୍ଡା/ବେଲପାହାଡ଼: ‘କେତେ ସମୟ ଲାଗୁଛି, ଟେକି ନିଅ, ତେଲ ପେଟି ହଜାରେ ଟଙ୍କା ହେଲାଣି’ କିଛି ଏଭଳି ବାହାଦୁରୀ ବୋଲି କହି ଆଜି ଶହ ଶହ ସଂଖ୍ୟାରେ ତେଲ ପ୍ୟାକେଟ ଲୁଟିନେଇଛନ୍ତି ସ୍ଥାନୀୟ ଲୋକ | ଦେବଗଡରୁ କୁଚିଣ୍ଡା ଆସୁଥିବାବେଳେ ଶିରିଡ଼ଠାରେ ଏକ ରିଫାଇନ ତେଲ ବୋଝେଇ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା | ଏଥିରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ବେଳେ ରାସ୍ତା ଉପରେ ବିଛାଡ଼ି ହୋଇ ପଡିଥିଲା ତେଲ ପ୍ୟାକେଟ | ତେବେ କିଛି ଲୋକ ଆହତ ଡ୍ରାଇଭର ଓ ହେଲପରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆଉ କିଛି ଲୋକ କିନ୍ତୁ ତେଲ ପ୍ୟାକେଟ ବୋହିବା ଆରମ୍ଭ କରି ଦେଇଥିଲେ |

ବଡ କଥା ଯେ କିଛି ଯୁବକ ଏମାନଙ୍କୁ ବୁଝାଇବା ବଦଳରେ ତେଲ ପ୍ୟାକେଟର କାର୍ଟୁନ ୧୦୦୦ ଟଙ୍କା ହେବ ଓ ବିଳମ୍ବ ନ କରି ବୋହି ନେବାକୁ ପ୍ରବର୍ତ୍ତାଉ ଥିବାର ଦେଖିବାକୁ ମିଳିଥିଲା | ଖବର ପାଇ ପୁଲିସ ପହଞ୍ଚିବାବେଳେକୁ ଅଧାରୁ ଅଧିକ ତେଲ ପ୍ୟାକେଟ ସ୍ଥାନୀୟ ଲୋକ ନେଇସାରିଥିଲେ | ଏଠାରେ ସୂଚନା ଥାଉ କି ୨୦୧୯ ମସିହା ଅକ୍ଟୋବର ୩୦ ତାରିଖରେ ମଧ୍ୟ କୁଚିଣ୍ଡାର ତେଣ୍ଡାକୁଦରଠାରେ ଏକ କୁକୁଡ଼ା ବୋଝେଇ ଗାଡି ଓଲଟି ପଡିଥିବାବେଳେ ଲୋକ କୁକୁଡ଼ା ମଧ୍ୟ ବୋହିନେଇଥିଲେ | ଗତ ୧୩ ତାରିଖରେ ମଧ୍ୟ ଝାରସୁଗୁଡାର ବେଲପାହାଡ଼ରେ ଜଣେ ପିଆଜ ବେପାରୀଙ୍କ ଅସୁବିଧାକୁ ସାମାନ୍ୟ ଭୃକ୍ଷେପ ନ କରି ତାଙ୍କ ପିଆଜକୁ ଲୋକ ବୋହିନେଇଥିଲେ |ପିଆଜ ନ କିଣି ମାଗଣାରେ ପିଆଜ ବୋହି ନେବାର ମାନସିକତା ନେଇ ଏମିତି ଏକ ଭିଡିଓ ଭାଇରାଲ ହୋଇଥିଲା ଯାହାକି ଲୋକଙ୍କ ଚିନ୍ତାଧାରା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା |

ବେଲପାହାଡ଼ ଫାଟକ ନିକଟରେ ପରିବା ଦୋକାନ କରିଥିବା ବିକ୍ରମ ମେହେର ନିଜ ଦୋକାନକୁ ୧୨ ତାରିଖ ସନ୍ଧ୍ୟାରେ ସାଇକେଲ ମାଧ୍ୟମରେ ଏକ ବସ୍ତା ପିଆଜ ଆଣୁଥିଲେ | ହଠାତ ଏହି ସମୟରେ ପିଆଜ ବସ୍ତାଟି ଖୋଲିଯିବାରୁ ରାସ୍ତା ଉପରେ ପିଆଜ ଢ଼ାଳି ହୋଇଯାଇଥିଲା | ବିକ୍ରମ ସାଇକେଲ ରଖି ପିଆଜ ଗୋଟାଇବାକୁ ଯାଉଥିବା ବେଳେ କିଛି ଲୋକ ପିଆଜ ନେବାକୁ ଚାଲିଆସିଥିଲେ | ବ୍ୟବସାୟୀଙ୍କ ପିଆଜକୁ ନିଜ ବ୍ୟାଗରେ ପୂରାଇ ବୋହି ନେଇଯାଇଥିଲେ | କେବଳ ନିଜେ ନେଇ ନଥିଲେ ବଡ ପାଟିରେ ଚିତ୍କାର କରି ପିଆଜ ନେବାକୁ ଅନ୍ୟ ଲୋକଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ | ରିଫାଇନ ତେଲ ଓ ପିଆଜ ମୂଲ୍ୟ ବଢ଼ିଥିଲେ ବି ଅସହାୟ ବା ଆହତ ବ୍ୟକ୍ତିଙ୍କ ଅସୁବିଧାକୁ ନ ବୁଝି ସେମାନଙ୍କ ଜିନିଷ ବୋହିନେବା ମଣିଷପଣିଆ ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି |

ସମ୍ବନ୍ଧିତ ଖବର