ନାବାଳିକାକୁ ନିର୍ଯାତନା

ହାତ-ଗୋଡ଼ ବାନ୍ଧି ଘୋଷାଡ଼ିଲେ, ପିଟିଲେ

ଭିଡିଓ ଭାଇରାଲ ପରେ ଆଲୋଡ଼ନ
ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ଦୁଇ ଅଟକ

ବାଲେଶ୍ୱର/ସୋର : ସୋର ଥାନା ଅଧୀନ ସାଜନପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। କେତେକ ଲୋକ ଜଣେ ମାନସିକ ଦୁର୍ବଳ ନାବାଳିକାଙ୍କ ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛନ୍ତି। ତାଙ୍କୁ ତଳେ କଚାଡ଼ୁଛନ୍ତି। ବିଧା, ଗୋଇଠା ବର୍ଷା କରୁଛନ୍ତି। ଏ ନୃଶଂସ ଘଟଣାର ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ପଡ଼ୋଶୀଙ୍କ ବାଡ଼ିରୁ ବରଡ଼ା ଚୋରି ଅଭିଯୋଗରେ ତାଙ୍କୁ ଏମିତି ନିର୍ଯାତନା ଦିଆଯାଇଛି ବୋଲି କୁହାଯାଇଛି। ଖବର ପାଇ ସୋର ପୁଲିସ୍‌ ନିଜଆଡ଼ୁ ମାମଲା ରୁଜୁ କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଣେ ନିର୍ଯାତିତାଙ୍କ ମା’ ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ଗାଁ ନିଶାପରେ ଟଙ୍କା ଦେଇ ଘଟଣାକୁ ଚାପିଦେବାକୁ ହୋଇଥିବା ଉଦ୍ୟମ ଶେଷରେ ଫସର ଫାଟିଛି।

ପ୍ରାପ୍ତ ଖବର ଅନୁଯାୟୀ, ସାଜନପୁର ଗାଁର ଏହି ନାବାଳିକା ଜଣକ ମାନସିକ ଭିନ୍ନକ୍ଷମ। ସେ ପଡ଼ୋଶୀ ବିପିନ ସାହୁଙ୍କ ବାଡ଼ିରୁ ତାଳ ବରଡ଼ା ଚୋରି କରିଥିବା ଅଭିଯୋଗ କରି ବିପିନ୍‌, ତାଙ୍କ ପୁଅ ଓ ସ୍ତ୍ରୀ ଗାଁର କିଛି ଯୁବକଙ୍କ ସହ ମିଶି ଗତ ୪ ତାରିଖ ଦିନ ନାବାଳିକାଙ୍କ ଗୋଡ଼ ହାତ ଦଉଡ଼ିରେ ବାନ୍ଧି ପକାଇଥିଲେ। ଗୋଡ଼ରେ ରଶି ବାନ୍ଧି ଭିଡ଼ିଭିଡ଼ି ନେଇଥିଲେ। ଅଣ୍ଟା ଓ ହାତକୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ଖାଇ ସେ ଯେତେ ଜୋର୍‌ରେ ଚିତ୍କାର କରୁଛନ୍ତି, କାନ୍ଦୁଛନ୍ତି, ମାଡ଼ ବି ସେତିକି ଜୋରରେ ବଢ଼ୁଥିବା ଦେଖିବାକୁ ମିଳିଛି। ସେ ଯେତେ କାକୁତି ମିନତି ହେଲେ ମଧ୍ୟ କେହି ତାଙ୍କୁ ଛାଡ଼ୁନାହାନ୍ତି। ଏମିତିକି ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲେ ମଧ୍ୟ ପ୍ରତିବାଦ କରୁ ନାହାନ୍ତି। ଦୁଇ ଦିନ ପରେ ଏହି ଘଟଣା ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଖବର ମିଳିଛି ଯେ ମାଡ଼ ଘଟଣା ନେଇ ପ୍ରଥମେ ଗାଁରେ ଅଭିଯୋଗ ହୋଇଥିଲା। ଗାଁ ଲୋକେ ଆଲୋଚନା କରି ଅଭିଯୁକ୍ତ ସାହୁଙ୍କ ଉପରେ ହଜାରେ ଟଙ୍କା ଜରିମାନା କରି ମାମଲା ରଫାଦଫା କରି ଦେଇଥିଲେ। ହେଲେ ଏହି ମାଡ଼ମରା ଘଟଣାର ଭିଡିଓ ଭାଇରାଲ ହେବା ପରେ କଥା ଆଉ ଚପି ନଥିଲା। ସୋର ପୁଲିସ ଆଜି ସାଜନପୁର ଗାଁକୁ ଯାଇଥିଲା। ଯୁବତୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ବିପିନଙ୍କୁ ପୁଲିସ ନପାଇ ଅନ୍ୟତମ ଅଭିଯୁକ୍ତ ସନ୍ତୋଷ ସାହୁଙ୍କ ପିତା ଶିକ୍ଷକ ନିରଂଜନ ସାହୁ ଓ ତାଙ୍କ ପତ୍ନୀଙ୍କୁ ଥାନାକୁ ଧରିଆଣି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର