ଦୋଷ ନକରି ଦଣ୍ଡ! ମାନସିକ ରୋଗୀକୁ ଜେଲ ପଠାଇଥିଲା ପୁଲିସ, ୬ ମାସ ପରେ ମୁକୁଳିଲେ

ପରିବାର ଲୋକ ସାରିଦେଇଥିଲେ ଶୁଦ୍ଧିକ୍ରିୟା

ବଲାଙ୍ଗୀର : କଥାରେ ଅଛି ଶହେ ଦୋଷୀ ପଛେ ଖସିଯାଆନ୍ତୁ, ଜଣେ ନିରୀହ ଦଣ୍ଡ ନପାଉ। ହେଲେ ବଲାଙ୍ଗୀରରେ ଏଭଳି ଏକ ଘଟଣା ସମ୍ନାକୁ ଆସିଛି ଯାହା ହୃଦୟବିଦାରକ। କାରଣ ପ୍ରଶଂସା ସାଉଁଟିବାକୁ ପୁଲିସ ଜଣେ ନିରୀହ ମାନସିକ ରୋଗୀଙ୍କୁ ଜେଲ ପଠାଇଥିଲା। ୬ ମାସ ଜେଲରେ ରହିବା ପରେ ମୁକୁଳିଛନ୍ତି ସଂପୃକ୍ତ ମାନସିକ ରୋଗୀ। ସେପଟେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର ଲୋକେ। ତେବେ ଜେଲ ଅଧୀକ୍ଷକଙ୍କ ମାନବିକତା ଯୋଗୁ ମାନସିକ ରୋଗୀ ଜଣକ ଜାମିନ ପାଇ ନିଜ ପରିବାର ପାଖକୁ ଫେରିପାରିଛନ୍ତି।

ଘଟଣା ଏମିତି- ଆନ୍ଧ୍ରପ୍ରଦେଶ ଭାଇଜାକ ଜିଲ୍ଲା ବଣ୍ଟପାଲି ଗାଁର ଏସ୍‌. ଆପାନ୍ନା ରାଜୁଙ୍କ ପୁଅ ଏସ୍‌.ପାଇତି ରାଜୁ ଜଣେ ମାନସିକ ରୋଗୀ। ଭାଇଜାକରେ ଚିକିତ୍ସାଧୀନ ଥିବା ସମୟରେ ସେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଖୋଜାଖୋଜି ତାଙ୍କୁ ପାଇନଥିଲେ। ମୃତ୍ୟୁ ହୋଇଯାଇଥିବା ଭାବି ଶୁଦ୍ଧିକ୍ରିୟା ବି ସାରିଦେଇଥିଲେ।

ଅନ୍ୟପଟେ ଗତ ଜାନୁଆରି ୪ ତାରିଖ ଶୀତୁଆ ରାତିରେ ବଲାଙ୍ଗୀର ସହରର ଏକ ଏଟିଏମ୍‌ କାଉଣ୍ଟର ଭିତରୁ ରାଜୁଙ୍କୁ ଠାବ କରିଥିଲା ବଲାଙ୍ଗୀର ଆଦର୍ଶ ଥାନା ପୁଲିସ। ପିସିଆର୍‌ ଭ୍ୟାନରେ ଥାନାକୁ ଅଣାଯାଇଥିଲା। ପୁଲିସର ଭାଷା ରାଜୁ ବୁଝୁନଥିଲେ ଓ ରାଜୁଙ୍କ ଭାଷା ପୁଲିସ ବୁଝୁନଥିଲା। ପୁଲିସ ଅଧିକ ତଦନ୍ତ କରି ଜାନୁଆରି ୫ ତାରିଖ ତାଙ୍କୁ କୋର୍ଟଚାଲାଣ କରିଥିଲା। ରାଜୁଙ୍କ ପାଖରୁ କୌଣସି ଟଙ୍କା ପଇସା ପାଇନଥିଲା। ମାନସିକ ବିକୃତ ହୋଇଥିବାରୁ ଏଟିଏମ୍‌ରେ କିଛି ଭଙ୍ଗାରୁଜା କରିଥିବା ଏକ ସିସିଟିଭି ଫୁଟେଜ ସହ ଚୋରି ମାମଲା ରୁଜୁ କରିଥିଲା ଟାଉନ ପୁଲିସ। କିନ୍ତୁ ଏବେ ଜଣାପଡ଼ିଛି ରାଜୁ ନିରୀହ ଥିଲେ।

କାରଣ ରାଜୁଙ୍କ ମାମୁ ଓ ପରିବାର ଲୋକଙ୍କ କହିବା ଅନୁଯାୟୀ, ରାଜୁ ବହୁବର୍ଷ ଧରି ଭାଇଜାକ ସରକାରୀ ମାନସିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ହେଉଥିବା ବେଳେ ହଠାତ୍‌ ସେଇଠୁ ବାହାରି ଆସି ଟ୍ରେନ୍‌ ଯୋଗେ ବଲାଙ୍ଗୀର ପହଞ୍ଚିଯାଇଥିଲେ। ମୁଣ୍ଡ କାମ ଦେଉନଥିବାରୁ ବଲାଙ୍ଗୀର ପହଞ୍ଚି ଏଟିଏମ୍‌ ଭିତରେ ପଶିଯାଇଥିବା କହିଛନ୍ତି। ଆଉ ଏହି ସମୟରେ ବଲାଙ୍ଗୀରରେ ଚୋରି ବଢୁଥିବାରୁ ରାଜୁଙ୍କୁ ଚୋର ସଜାଇ କୋର୍ଟଚାଲାଣ କରି ପୁଲିସ ପ୍ରଶଂସା ସାଉଁଟିଥିଲା। ଏପରିକି ରାଜୁଙ୍କ ଓକିଲ ତୁଷାରକାନ୍ତ ମହାପାତ୍ର ବି କହିଛନ୍ତି ତେଲୁଗୁ ଭାଷା ବୁଝି ପାରୁଥିବା ଜଣେ ଲୋକଙ୍କୁ ଡାକି ରାଜୁଙ୍କୁ ଅଧିକ ପଚରାଉଚରା କରିବାର ପୁଲିସ ପକ୍ଷରେ ଜରୁରୀ ଥିଲା। କିନ୍ତୁ ସେପରି କିଛି ନକରି କୋର୍ଟ ଚାଲାଣ କରିଥିଲା ପୁଲିସ। ଆଉ ବିନା ଦୋଷରେ ଜଣେ ମାନସିକ ରୋଗୀ ଜେଲ ଦଣ୍ଡ ଭୋଗିଥିବା ସେ କହିଛନ୍ତି।

ରାଜୁ ମାନସିକ ରୋଗୀ ବୋଲି ପ୍ରଥମେ ସନ୍ଦେହ କରିଥିଲେ ବଲାଙ୍ଗୀର ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ। କାରଣ ରାଜୁ ଜେଲ ଭିତରେ ଅଇଁଠା ଖାଇ ଦେଉଥିଲେ। ତାହେଲେ କାହିଁକି, କଣ ପାଇଁ ସେ କେଉଁ ଅପରାଧରେ ଏଭଳି ଜଣେ ମାନସିକ ରୋଗୀ ବଲାଙ୍ଗୀର ଜେଲର ଅନ୍ତୋବାସୀ ଥିଲେ। ଏହି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ହଠାତ୍‌ ଦିନେ କିଛି ତେଲୁଗୁ ଭାଷାଭାଷୀ ଅଭିଯୁକ୍ତ ଗିରଫ ହୋଇ ଜେଲକୁ ଆସିଥିଲେ। ଜେଲ ଅଧୀକ୍ଷକ ସେମାନଙ୍କ ମାଧ୍ୟମରେ ରାଜୁଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେ ଭାଇଜାକର ବୋଲି ଜାଣିବା ପରେ ଉକ୍ତ ଅଂଚଳର ଥାନାକୁ ଯୋଗାଯୋଗ କରିଥିଲେ। ତାପରେ ଭାଇଜାକ ନିକଟରେ ଥିବା ତାଙ୍କ ଗାଁ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ ବୋଲି ଜେଲ ଅଧୀକ୍ଷକ ସୂଚନା ଦେଇଛନ୍ତି। ୬ ମାସ ପରେ ରାଜୁ ଜେଲରେ ଥିବା ଖବର ପାଇବା ମାତ୍ରେ ସମ୍ପର୍କୀୟ ବଲାଙ୍ଗୀର ଆସିଥିଲେ। ରାଜୁଙ୍କ ଚିକିତ୍ସା ସମୟର ସବୁ କାଗଜପତ୍ର ଦେଖାଇଥିଲେ। ହେଲେ ଏଠି ଅଧିକ ଖୋଲତାଡ଼ ନକରି ତାଙ୍କ ଭାଷା ବୁଝି ପାରୁନଥିବାରୁ ତାଙ୍କୁ ଚୋର କରି ପୁଲିସ କୋର୍ଟଚାଲାଣ କରିଥିବା ପରିବାର ଲୋକ କହିଛନ୍ତି। କିନ୍ତୁ ଜେଲ ଭିତରେ ରାଜୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବାରୁ ରାଜୁ ଏବେ ଭଲ ଅଛନ୍ତି। ଆଉ ବିନା ଦୋଷରେ ସେ ୬ ମାସ ଜେଲରେ ରହିବା ପରେ ଗତ ଶନିବାର ଜାମିନରେ ମୁକୁଳିଛନ୍ତି। ଏହା ପରେ ପରିବାର ଲୋକଙ୍କୁ ଦେଖି ସେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଏ ନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେଇନି।

ସମ୍ବନ୍ଧିତ ଖବର