ମାନସିକ ଦିବ୍ୟାଙ୍ଗଙ୍କୁ ନା ମିଳୁଛି ଭତ୍ତା ନା ସହାୟତା; ଗୋଡ଼ରେ ପଘା ବାନ୍ଧି ଘରେ ରଖିଛନ୍ତି ବାପା ମା’

ରା.ଉଦୟଗିରି : ୨୦ ବର୍ଷର ବିଜୁ ଓରଫ ବିଜୟ ନାୟକ। କାଲାଦ୍ବାରୀ ଗ୍ରାମରେ ତାଙ୍କ ଘର। ମାନସିକ ଦିବ୍ୟାଙ୍ଗ ହୋଇ ଥିବାରୁ ଗୋଡ଼ରେ ପଘା ବାନ୍ଧି ତାଙ୍କୁ ଘରେ ରଖିଛନ୍ତି ବାପା ମା’। ଦିନେ ନୁହଁ କି ଦି ଦିନ, ଦୀର୍ଘ ୫ବର୍ଷ ହେଲା ତାଙ୍କ ଭତ୍ତା ହୋଇପାରୁନି। ଗଜପତି ଜିଲ୍ଲା ରା.ଉଦୟଗିରି ସିଆଳିଲଟି ପଞ୍ଚାୟତରୁ ନବଗଠିତ ପୁରୁଣାପାଣି ପଞ୍ଚାୟତ ହେଲା। ଇତି ମଧୢରେ ୪ଜଣ ନିର୍ବାହୀ ଅଧିକାରୀ ଦାୟିତ୍ବ ନେଇ ସାରିଲେଣି। ହେଲେ, କେହି ମଧୢ ତାଙ୍କ ଅବସ୍ଥା ବୁଝିବାକୁ ନାରାଜ। ଗାଁକୁ ଯାଇ ତାଙ୍କୁ ଟିକେ ଦେଖିବାକୁ ମଧ୍ୟ କାହାରି ପାଖରେ ଫୁରୁସତ୍‌ ନାହିଁ। କୁହାଗଲା, ଆଧାର କାର୍ଡ଼ ନାହିଁ ତ ସେଥିପାଇଁ‌ ଭତ୍ତା ହୋଇପାରୁନି।

ପୁରୁଣାପାଣି ପଞ୍ଚାୟତ ଗଠନ ପରେ ଯେତେବେଳେ ବିଜୁଙ୍କ ସଚିତ୍ର ଖବର ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା, ସେତେବେଳେ ପ୍ରାଶାସନିକ ତତ୍ପରତା ପ୍ରକାଶ ପାଇଥିଲା। କିନ୍ତୁ, ଯେତେବେଳେ ଜଣାପଡ଼ିଲା, ତାଙ୍କର ଆଧାର କାର୍ଡ ନାହିଁ, ତା’ପରେ କଥା ଆଗକୁ ବଢ଼ିଲା ନାହିଁ। ବର୍ତ୍ତମାନ ତ ବିନା ଆଧାର କାର୍ଡରେ ସରକାରୀ ସହାୟତା ମିଳିପାରୁଛି। ରା.ଉଦୟଗିରି ବ୍ଲକ୍‌ ସଦର ପଞ୍ଚାୟତର ତୁଳସୀ ଏବ˚ ନୂଆଗଡ଼ ବ୍ଲକ୍ ସମ୍ବଲପୁର ପଞ୍ଚାୟତ ରାଜପୁର ଗ୍ରାମର ଜଣେ ଶତାୟୁ ମହିଳାଙ୍କୁ ବିନା ଆଧାରରେ ଭତ୍ତା ମିଳିଲା। ସେମିତି ବିଜୁଙ୍କୁ ମଧ୍ୟ ଭତ୍ତା କରାଯିବା କଥା। ଏ ନେଇ ରା.ଉଦୟଗିରି ବିଡିଓଙ୍କୁ ଯୋଗାଯୋଗ କରାଯିବାରୁ ଆଧାର ଥାଉ କି ନଥାଉ ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ସରକାରୀ ସହାୟତା ପ୍ରଦାନ କରାଯିବା କଥା। ଏନେଇ ସେ ନିଜେ ଉଦ୍ୟମ କରିବେ ବୋଲି କହିଛନ୍ତି।

ତେବେ, ୫ ବର୍ଷ ପୂର୍ବରୁ ଯଦି ଚିକିତ୍ସା ସହାୟତା ମିଳିଥାନ୍ତା ଅବା ଭତ୍ତା ପ୍ରଦାନ କରାଯାଇଥାନ୍ତା, ତା’ ହେଲେ ହୁଏତ ଔଷଧୀୟ ଉପଚାର ସମ୍ଭବ ହୋଇଥାନ୍ତା ଏବଂ ବିଜୁଙ୍କ ମାନସିକ ସ୍ବାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଘଟିଥାନ୍ତା। ମା’ ମନ୍ତୀ ନାୟକ କହନ୍ତି – ପିନ୍ଧିବାକୁ ପୋଷାକ ନାହିଁ, ଖାଇବାକୁ ଖାଦ୍ୟ ନାହିଁ ଆଉ ଚିକିତ୍ସା ପାଇଁ ପଇସା ନାହିଁ। ଏପଟେ ପୁଅର ଏଭଳି ଅବସ୍ଥା। କିଭଳି ବଞ୍ଚିବୁ, କ’ଣ କରିବୁ, ସେ ଚିନ୍ତାରେ ସବୁ ବେଳେ ମୃତପ୍ରାୟ ବଞ୍ଚି ରହିଛୁ। ଯଦି ସରକାରୀ ସହାୟତା ମିଳନ୍ତା, କି ଭତ୍ତା ପ୍ରଦାନ କରାଯା’ନ୍ତା, କିଛିଟି ହାଲକା ଲାଗିଥାନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର