ଭୁବନେଶ୍ବର: ରାଜ୍ୟରେ ମାତୃ ଓ ନବଜାତକ ମୃତ୍ୟୁ ହାର ଏବେ ବି ସମ୍ବେଦନଶୀଳ ସ୍ଥିତିରେ ରହିଛି। ଗତ କିଛିବର୍ଷ ଭିତରେ ଯଦିଓ ଏହି ସ୍ଥିତିରେ ସୁଧାର ଆସିଛି, ତଥାପି ଓଡ଼ିଶାର ବର୍ତ୍ତମାନ ସ୍ଥିତି ଜାତୀୟ ହାରଠାରୁ ଅଧିକ ରହିଛି। ତେଣୁ ମୃତ୍ୟୁହାରକୁ କିଭଳି କମାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ମେଣ୍ଟର ଗ୍ରୁପ୍ ପ୍ରତିଷ୍ଠା ହୋଇଛି। ଏହି ଗ୍ରୁପ୍ ପ୍ରତି ୩ମାସରେ ଥରେ ସମସ୍ତ ସରକାରୀ ଡାକ୍ତରଖାନାକୁ ପରିଦର୍ଶନ କରିବା ସହିତ ସମ୍ବେଦନଶୀଳ ଗର୍ଭବତୀ ମହିଳା, ଅଲଟ୍ରାସାଉଣ୍ଡ ଓ ସରକାରୀ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷାନିରୀକ୍ଷା ହେଉଛି କି ନାହିଁ ତାହାର ଯାଞ୍ଚ କରିବେ।

Advertisment

ଓଡ଼ିଶାର ମାତୃ ମୃତ୍ୟୁ ହାର ବା ଏମ୍‌ଏମ୍‌ଆର ୧ଲକ୍ଷରେ ୧୩୬ ରହିଛି। ଏହାସହ ପ୍ରତି ୧ହଜାର ଜୀବନ୍ତ ଶିଶୁ ଜନ୍ମ କ୍ଷେତ୍ରରେ ନିଓନାଟାଲ ବା ନବଜାତକ ମୃତ୍ୟୁ ରହିଛି ୨୮, ଯାହାକି ଜାତୀୟ ହାରଠାରୁ ଅଧିକ। ଏହି ଦୁଇ ମୃତ୍ୟୁକୁ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୨୦୧୭ ମସିହାରୁ ରାଜ୍ୟରେ ‘ସଂପୂର୍ଣ୍ଣା’ ଯୋଜନା ଆରମ୍ଭ କରିଛନ୍ତି। ଜନନୀ ସୁରକ୍ଷା ଯୋଜନା, ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବ, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଭଳି ଅନେକ କାର୍ଯ୍ୟକ୍ରମ ଚାଲୁ ରହିଛି। ତଥାପି ସ୍ଥିତିରେ ଏକ ବଡ଼ ଧରଣର ପରିବର୍ତନ ଆସୁନାହିଁ। ତେଣୁ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବର କିଭଳି ସ୍ଥିତି ରହିଛି ତାହାର ଅନୁଧ୍ୟାନ ପାଇଁ ରାଜ୍ୟସ୍ତରୀୟ ମେଣ୍ଟର ଗ୍ରୁପ୍ ପ୍ରତିଷ୍ଠା ‌ହୋଇଛି। ଏଥିରେ ରାଜ୍ୟର ମେଡିକାଲ କଲେଜର ପ୍ରଫେସର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଘରୋଇ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଏଏନ୍‌ଏମ୍‌ ଓ ଷ୍ଟାଫ୍ ନର୍ସ ରହିଛନ୍ତି। ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଜରିଆରେ ଏହି ଗ୍ରୁପ୍ କିଭଳି ସରକାର ନିର୍ଦେଶାବଳୀ ଅନୁଯାୟୀ ସ୍ଥିତିର ଅନୁଧ୍ୟାନ କରାଯିବ ତାହା ସଂପର୍କରେ ତାଲିମ୍ ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟରେ ନବଜାତକ ମୃତ୍ୟୁ ୨୮ ରହିଛି। ଜାତୀୟସ୍ତରରେ ଏହା ୨୫। ରାଜ୍ୟରେ ଅଧିକାଂଶ ନବଜାତକ ଜନ୍ମର ୨୧ଦିନ ଭିତରେ ହିଁ ପ୍ରାଣ ହରାଉଛନ୍ତି। ପରିବାରରେ ସଚେତନତାର ଅଭାବ ପାଇଁ ଏଭଳି ସ୍ଥିତି ଉପୁଜୁଛି। ନବଜାତକ ମୃତ୍ୟୁ ରୋକିବା ଲାଗି ସରକାର ଗୃହଭିତ୍ତିକ ଓ ସ୍ବାସ୍ଥ୍ୟାନୁଷ୍ଠାନ ଭିତ୍ତିକ ନବଜାତକ ଯତ୍ନ ଦେଉଛନ୍ତି। ଗୃହଭିତ୍ତିକ ନବଜାତକ ଯତ୍ନ ପାଇଁ ଆଶା କର୍ମୀ ସଂପୃକ୍ତ ଶିଶୁଙ୍କ ଘରକୁ ୬/୭ଥର ପରିଦର୍ଶନ କରି ସ୍ଥିତି ସଂପର୍କରେ ଅନୁଧ୍ୟାନ କରୁଛନ୍ତି। ଏହାସହ ମାତୃ ମୃତ୍ୟୁ ହାର ମଧ୍ୟ ରାଜ୍ୟରେ ଜାତୀୟହାରଠାରୁ ଅଧିକ ରହିଛି। ଏହି ଦୁଇ ସ୍ଥିତିରେ ସୁଧାର ଆଣିବା ଲାଗି ରାଜ୍ୟସ୍ତରୀୟ ମେଣ୍ଟର ଗ୍ରୁପ୍ ପ୍ରତିଷ୍ଠା ହୋଇଛି। ସରକାରୀ ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ସ୍ଥିତି, କିଭଳି ଅଲଟ୍ରାସାଉଣ୍ଡ କରାଯାଉଛି ତାହାର ସ୍ଥିତି ସଂପର୍କରେ ଗ୍ରୁପ୍ ଅନୁଧ୍ୟାନ କରିବ। ବର୍ଷକୁ ୪ଥର ଏହି ଗ୍ରୁପ୍ ପରିଦର୍ଶନ କରିବ। ସ୍ଥିତି ଅନୁଧ୍ୟାନ ସଂପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।