ୟୁଜି ଓ ପିଜି ପରୀକ୍ଷା ନେଇ କୁଳପତି ଓ ଅଧ୍ୟକ୍ଷଙ୍କ ସହ ବୈଠକ: ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା

ସୁରୁଖୁରୁ ପରୀକ୍ଷା ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବ
ଅନ୍ୟ ସେମିଷ୍ଟାର ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି

ଭୁବନେଶ୍ବର : ସରକାରୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷବର୍ଷ ବା ଫାଇନାଲ ସେମିଷ୍ଟର୍‌ ପରୀକ୍ଷା କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହେବ। ଛାତ୍ରଛାତ୍ରୀ ଯେପରି ସୁବିଧାରେ ଓ ସୁରୁଖୁରୁରେ ପରୀକ୍ଷା ଦେଇପାରିବେ, ସେ ଦିଗରେ ପଦକ୍ଷେପ ନିଆଯିବା ସହ ମେଣ୍ଟରିଂ ବ୍ୟବସ୍ଥା କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି ମହାବିଦ୍ୟାଳୟର ୟୁଜି ଓ ପିଜି ଫାଇନାଲ ବର୍ଷ/ଫାଇନାଲ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟର୍‌ ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ପରୀକ୍ଷା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଆଲୋଚନା ପାଇଁ ମନ୍ତ୍ରୀ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଶ୍ବବିଦ୍ୟାଳୟ କୁଳପତି, ପରୀକ୍ଷା ନିୟନ୍ତ୍ରକ, ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ, ସରକାରୀ ଡିଗ୍ରି ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟକ୍ଷମାନେ ଯୋଗଦେଇ ପରୀକ୍ଷା ଆୟୋଜନର ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ।

ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ମହାବିଦ୍ୟାଳୟ ଅଧ୍ୟାପକମାନେ ମେଣ୍ଟର୍‌ ଭାବେ ୟୁଜି ଓ ପିଜି ଶେଷବର୍ଷ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଦାୟିତ୍ବରେ ରହିବେ। ଛାତ୍ରଛାତ୍ରୀଙ୍କ ସହ ନିୟମିତ ଟେଲିଫୋନ୍‌ରେ ଯୋଗାଯୋଗ କରିବେ। ନିଜ ଗ୍ରୁପ୍‌ର ଛାତ୍ରଛାତ୍ରୀଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ମେଣ୍ଟର ଅଧ୍ୟାପକ ଅବଗତ ହୋଇ ସେମାନେ କିପରି ସୁବିଧାରେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇପାରିବେ, ସେନେଇ ଆବଶ୍ୟକ ପଦକ୍ଷେପ ନେବେ। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ମେଣ୍ଟର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମେଣ୍ଟର ଅଧ୍ୟାପକ କେଉଁ ସବୁ ଛାତ୍ରଛାତ୍ରୀଙ୍କ ଦାୟିତ୍ବରେ ରହିବେ, ତାହାର ତାଲିକା, ଟେଲିଫୋନ୍‌ ନମ୍ବର ଆଦି ପ୍ରସ୍ତୁତ କରି କଲେଜ ୱେବ୍‌ସାଇଟ୍‌ରେ ଜୁନ୍‌ ୩୦ ସୁଦ୍ଧା ଉପଲବ୍ଧ କରାଇବେ। ସବୁ ଛାତ୍ରଛାତ୍ରୀ ଯେପରି ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଛାତ୍ରଛାତ୍ରୀ ନିଜ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନ୍‌ଲାଇନ୍‌ ପରୀକ୍ଷା ଦେଇପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କ ଇଣ୍ଟରନେଟ୍‌ ସୁବିଧା ନାହିଁ, ସେମାନେ ନିକଟସ୍ଥ ଡିଗ୍ରି ମହାବିଦ୍ୟାଳୟକୁ ଆସି ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ପୂର୍ବରୁ ଏକ ମକ୍‌-ଟେଷ୍ଟ କରାଯାଇ ଅନ୍‌ଲାଇନ୍‌ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରାଯିବ।

ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ସହଯୋଗ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କୁହାଯାଇଛି। ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ଅନ୍‌ଲାଇନ୍‌ରେ ପରୀକ୍ଷା ସମ୍ବନ୍ଧରେ ବିସ୍ତୃତ ବିବରଣୀ ଅନୁବନ୍ଧିତ ମହାବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ। ପରୀକ୍ଷା ସମ୍ବନ୍ଧରେ କୌଣସି ଦ୍ବନ୍ଦ୍ବ ଥିଲେ, ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ସମ୍ପୃକ୍ତ କୁଳପତି କିମ୍ବା ପରୀକ୍ଷା ନିୟନ୍ତ୍ରକଙ୍କ ସହିତ ତୁରନ୍ତ ଯୋଗାଯୋଗ କରିବେ। ୟୁଜି ଓ ପିଜିର ଅନ୍ୟ ସେମିଷ୍ଟର୍‌ ପରୀକ୍ଷା ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର କହିଛନ୍ତି। ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଅଗଷ୍ଟ/ସେପ୍ଟେମ୍ବର ମାସରେ ପ୍ରକାଶ ପାଇବ। ଏହି ଛାତ୍ରଛାତ୍ରୀଙ୍କର ଯଦି କିଛି ପୂର୍ବ ସେମିଷ୍ଟର୍‌/ବର୍ଷର ପରୀକ୍ଷା ବାକି ଅଛି କିମ୍ବା ଯଦି ବ୍ୟାକ୍‌ପେପର ରହିଛି, ସେହି ସବୁ ପରୀକ୍ଷା ମଧ୍ୟ ଜୁଲାଇ/ଅଗ‌ଷ୍ଟ ସୁଦ୍ଧା ଶେଷ ହେବ।

ସମ୍ବନ୍ଧିତ ଖବର