କଟକ: ଓଡ଼ିଶାରେ ଭଡ଼ାରେ ରହିଥିଲେ କାନ୍ଦାହାର ବିମାନ ଅପହରଣ କରିଥିବା ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ। ଲସ୍କର୍-ଏ-ତୋଏବା ଆତଙ୍କବାଦୀ ସଂଗଠନର ଖାସ୍ ସହଯୋଗୀ ବି ଏଠି ରହିଛନ୍ତି। ଷ୍ଟୁଡେଣ୍ଟ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ତିଆ ଥିବା ବେଳେ ଜମାତ୍-ଉଲ୍-ମୁଜାହିଦ୍ଦିନ୍ ବାଂଲାଦେଶ ଭଳି ଆତଙ୍କବାଦୀ ସଂଗଠନର ସଦସ୍ୟ ଏବେ ବି ଓଡ଼ିଶାରେ ଘର ଭଡ଼ା ନେଇ ଥିବା କୁହାଯାଉଛି। ଏମାନେ ମୁଖ୍ୟତଃ କଟକର ଲାଲ୍ବାଗ ଥାନା ଅନ୍ତର୍ଗତ ଓଡ଼ିଆବଜାର, ଜଗତସିଂହପୁର ଜିଲ୍ଲା କୁଜଙ୍ଗ, ପାରାଦୀପ ବନ୍ଦର ସମେତ କେନ୍ଦ୍ରାପଡ଼ା ଟାଉନ୍, ଯାଜପୁରର ନେଉଳପୁର ଓ ଚଣ୍ଡୀଖୋଲ, ଭଦ୍ରକର ନଙ୍ଗାମହଲା, ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ସମୁଦ୍ର କୂଳ, କଶାଫଳ, ଅରଡ଼ବଜାର, ସୁନାହାଟ, ରାଉରକେଲାର ନାଲାରୋଡ୍, ସମ୍ବଲପୁର ଇତ୍ୟାଦି ଅଞ୍ଚଳକୁ ଆଶ୍ରୟ ପାଇଁ ସୁରକ୍ଷିତ ସ୍ଥାନ ଧରିନେଇଛନ୍ତି। ଶନିବାର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ସୟଦ ଇଶାନ୍ ବୁଖାରୀ ଭଡ଼ା ଘରୁ ଧରାପଡ଼ିବା ପରେ ପୁଣି ଥରେ ରାଜ୍ୟରେ ଭଡ଼ାଟିଆ ଆତଙ୍କବାଦୀ ଗୋଷ୍ଠୀଙ୍କ ଗତିବିଧିକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଅଲ୍-କାଏଦା ଆତଙ୍କବାଦୀ ସ˚ଗଠନର ପ୍ରମୁଖ ସଦସ୍ୟ କଟକ ଜଗତପୁର ପଶ୍ଚିମକଚ୍ଛର ଅବଦୁର୍ ରହେମାନ୍କୁ ୨୦୧୫ ଡିସେମ୍ବର ୧୫ରେ ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ଗିରଫ କରିଥିଲା। ରହେମାନ୍ ନିଜ ସ˚ଗଠନର ୫ ପାକିସ୍ତାନୀ ଆତଙ୍କବାଦୀଙ୍କୁ କଟକ ଲାଲ୍ବାଗ ଥାନା ଅନ୍ତର୍ଗତ ଓଡ଼ିଆବଜାର ମସ୍ଜିଦ୍ ପାଖ, କୁଜଙ୍ଗ ଓ କେନ୍ଦ୍ରାପଡ଼ାରେ ଭଡ଼ା ଘରେ ଆଶ୍ରୟ ଦେଇଥିଲା। ଏହି ଆତଙ୍କବାଦୀମାନେ ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣାରେ ସମ୍ପୃକ୍ତ ଥିଲେ। ୨୦୧୬ ଫେବ୍ରୁଆରି ୧୬ ରେ ରାଉରକେଲା କ୍ବେରେସି ମହଲ୍ଲାରେ ଭଡ଼ା ଘରେ ଆଶ୍ରୟ ନେଇଥିବା ଜଣେ ମହିଳା ଆତଙ୍କବାଦୀଙ୍କ ସମେତ ୫ ଜଣ ଫେରାର୍ ଷ୍ଟୁଡେଣ୍ଟ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ତିଆ ଆତଙ୍କବାଦୀଙ୍କୁ ତେଲେଙ୍ଗାନା କାଉଣ୍ଟର୍ ଇଣ୍ଟେଲିଜେନ୍ସ ସେଲ୍ ଗିରଫ କରିଥିଲା। ଏହି ଗୋଷ୍ଠୀ ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ୧୭ ବୋମା ବିସ୍ଫୋରଣ ମାମଲାରେ ମଧ୍ୟପ୍ରଦେଶର ଖଣ୍ଡଵା ଜେଲରୁର ଫେରାର ଥିଲେ। ଏମାନେ ରାଉରକେଲା ଆସିବା ପୂର୍ବରୁ ପ୍ରଥମେ ଭଦ୍ରକ ନଙ୍ଗାମହଲାରେ ସାର କମ୍ପାନି କର୍ମଚାରୀ ପରିଚୟରେ ଭଡ଼ାରେ ରହୁଥିଲେ। ୨୦୧୮ ଅଗଷ୍ଟ ୫ ରେ ଲସ୍କର୍-ଏ-ତୋଏବା ଆତଙ୍କବାଦୀ ସ˚ଗଠନର ସଦସ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ତାକୁଡ଼ା ପ˚ଚାୟତ ମୀର୍ ମହଲା ଅଞ୍ଚଳର ହବିବୁର୍ ରହେମାନ୍କୁ ଏନ୍ଆଇଏ ଗିରଫ କରିଥିଲା। ଆତଙ୍କବାଦୀଙ୍କୁ ବାଂଲାଦେଶ ସୀମାରେ ପଶ୍ଚିମବଙ୍ଗ ଦେଇ ଭାରତକୁ ପ୍ରବେଶ କରାଇବା ଅଭିଯୋଗରେ ସମ୍ପୃକ୍ତ ସ˚ଗଠନର ପ୍ରମୁଖ ସଦସ୍ୟ ତଥା ହବିବୁର୍ର ଖାସ୍ ଶେଖ ଅବ୍ଦୁଲ୍ ନଇମ୍ ଓରଫ ନୋମିକୁ ମଧ୍ୟ ୨୦୦୬ରେ କଟକ ଓଡ଼ିଆବଜାରରେ ଥିବା ଏକ ବସ୍ତିରେ ଭଡ଼ାଘରେ ରଖିଥିଲା ହବିବୁର୍। ୨୦୨୩ ଡିସେମ୍ବର ୧୬ରେ ଯାଜପୁର ଜିଲ୍ଲା ନେଉଳପୁର ମିଲତ୍ ନଗରରେ ଭଡ଼ାଘରେ ରହୁଥିବା ଆତଙ୍କବାଦୀ ଏଜେଣ୍ଟ ଇଶାନ ବୁଖାରୀର କାର୍ନାମା ସାମ୍ନାକୁ ଆସିଥିଲା। ତେବେ ସେ ମିଲତ୍ ନଗରରେ ୨୦୧୬ ପରଠାରୁ ଭଡ଼ାରେ ରହିଆସୁଥିଲା। ସେଠାରେ ସେ କଶ୍ମୀରର ଆର୍ମି ଡାକ୍ତର ପରିଚୟ ଦେଉଥିବା ବେଳେ ୨୦୧୮ରେ ମିଲତ୍ ନଗର ଅଞ୍ଚଳର ସେହେନାଜ୍ ପରବିନ୍ ଓରଫ ପାରୋଙ୍କୁ ବିବାହ କରି ୪ ବର୍ଷର ଝିଅର ଏବେ ସେ ବାପା।
ଏନ୍ଆଇଏ ନିର୍ଦ୍ଦେଶକ ଯୋଗେଶ ଚନ୍ଦ୍ର ମୋଦି ୨୦୧୯ ଅକ୍ଟୋବର ୧୪ ରେ ଏକ କାର୍ଯ୍ୟକ୍ରମରେ ଜମାତ୍-ଉଲ୍-ମୁଜାହିଦ୍ଦିନ୍ ବାଂଲାଦେଶ(ଜେଏମ୍ବି) ଆତଙ୍କବାଦୀଙ୍କ ଓଡ଼ିଶାରେ ଉପସ୍ଥିତି ଥିବା ଓଡ଼ିଶା ପୁଲିସକୁ ସତର୍କ କରାଇଥିଲେ। ୧୨୫ ସଦସ୍ୟ ଓଡ଼ିଶା ସମେତ, ଆସାମ, ଝାଡ଼ଖଣ୍ଡରେ ଥିବା ତାଲିକା ଦେଇଥିଲେ। ସେହିପରି ୨୦୨୧ ଜୁଲାଇ ୧୧ରେ କଲିକତା ଏସ୍ଟିଏଫ୍ ୩ ଜଣ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ପରେ ୧୦ ଆତଙ୍କବାଦୀ ଗୋଷ୍ଠୀ ଓଡ଼ିଶା ସମେତ ବିହାର ଓ କଶ୍ମିର୍କୁ ଯାଇଥିବା ସତର୍କ କରାଇଥିଲା। ଓଡ଼ିଶାକୁ ରାଜ୍ୟ ବାହାରର ତଦନ୍ତକାରୀ ସଂସ୍ଥା ବାରମ୍ବାର ଚେତାବନୀ ଦେଉଥିବା ସତ୍ତ୍ବେ ଇଶାନ୍ ଭଳି ଆତଙ୍କବାଦୀ ଗୋଷ୍ଠୀ ବର୍ଷ ବର୍ଷ ଧରି ଆଡ଼ା ଜମାଇ ରହିବା ଘଟଣା ଚକିତ କରିଛି। ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକ୍ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀ ଓଡ଼ିଶା ପୁଲିସର ରାଡାର୍ରେ ରହୁନାହାନ୍ତି। ଏମାନଙ୍କ ଉପରେ ଓଡ଼ିଶା ପୁଲିସର ଏତେଟା ଧ୍ୟାନ ଯାଉ ନାହିଁ। ଓଡ଼ିଶାରେ ରାଉରକେଲା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ସମ୍ବଲପୁର ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ହୋଇଆସିଛି। ଏଥିପ୍ରତି କଡ଼ା ନଜର ରଖିବାର ଆବଶ୍ୟକତା ଥିବା ଶ୍ରୀ ମାରିକ୍ ସୂଚନା ଦେଛଇନ୍ତି।