ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ପୁଣିଥରେ ହ୍ରାସ ପାଇଛି। ସୁନ୍ଦରଗଡ଼ ଜିଲ୍ଲା କିରେଇରେ ସର୍ବନିମ୍ନ ତାପମାତ୍ରା ୬.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୯.୧, ସୁନ୍ଦରଗଡ଼ରେ ୯.୨, ରାଉରକେଲାରେ ୯.୯, ଜି ଉଦୟଗିରିରେ ୧୦.୪, କୋରାପୁଟ‌ରେ ୧୧.୨, କେନ୍ଦୁଝରରେ ୧୧.୫ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ତାପମାତ୍ରାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୧ ଓ ୧୨ ତାରିଖରେ ନୂଆପଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ।