ଭୁବନେଶ୍ବର: ରାତିର ତାପମାତ୍ରା ଧୀରେ ଧୀରେ ତଳ ମୁହାଁ ହେଉଛି। ଅଭ୍ୟନ୍ତରୀଣ ଓଡ଼ିଶାରେ ପାରଦ କମିବା ସହ ଶୀତ ଅନୁଭୂତ ହେଉଛି। ସ୍ଥାନେ ସ୍ଥାନେ ଘନ କୁହୁଡ଼ି ମଧ୍ୟ ଲାଗିରହିଛି। ୨୦ ଓ ୨୧ ତାରିଖ ବେଳକୁ ରାତିର ତାପମାତ୍ରା ଚଳିତବର୍ଷର ସର୍ବନିମ୍ନ ସ୍ତରକୁ ଖସିବା ନେଇ ଆକଳନ କରାଯାଇଛି। ୧୮ ଓ ୧୯ ତାରିଖରେ ରାତିର ତାପମାତ୍ରା ଆଜି ପରି ପ୍ରାୟତଃ ସମାନ ରହିବ। ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ୧୫ ଡିଗ୍ରି ଉପରେ ରହିପାରେ। ନ ହେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପାରଦ ୧୫ ଡିଗ୍ରି ତଳେ ରହିବ। ୨୦ ଓ ୨୧ ତାରିଖ ବେଳକୁ ସୁନ୍ଦରଗଡ଼, ଅନୁଗୁଳ, କୋରାପୁଟ, ଫୁଲବାଣୀ, କେନ୍ଦୁଝରଗଡ଼, ବାରିପଦା ପ୍ରଭୃତି ସ୍ଥାନରେ ପାରଦ ୯ ଡିଗ୍ରି କିମ୍ବା ତା’ଠାରୁ ତଳକୁ ଖସି ଆସିବ। କେବଳ ପୁରୀ ଓ ମାଳକାନଗିରି ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ରାତିର ତାପମାତ୍ରା ୧୩ ଡିଗ୍ରିଠାରୁ କମ୍‌ ରହିବା ସହ ପ୍ରଥମ ଥଣ୍ଡା ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Advertisment

ସୋମବାର ସକାଳ ସୁଦ୍ଧା କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ସକାଳ ମଧ୍ୟରେ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ପଡ଼ିବ। ଦିନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, କନ୍ଧମାଳ ଜିଲ୍ଲା ସମେତ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ସହ କଳାହାଣ୍ଡି ଓ କେନ୍ଦୁଝରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ହଲୁକା କୁହୁଡ଼ି ପଡ଼ିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସୁନ୍ଦରଗଡ଼ର କିରେଇରେ ୮.୨, ଜି.ଉଦୟଗିରିରେ ୮. ୬, ରାଉରକେଲାରେ ୮. ୮, ଅନୁଗୁଳରେ ୯, ରାଣୀତାଲରେ ୯.୪, ଦାରିଙ୍ଗବାଡି ଓ ସୁନ୍ଦରଗଡ଼ରେ ୯.୫, କେନ୍ଦୁଝର ଓ କୋରାପୁଟରେ ୯.୬, ଝାରସୁଗୁଡାରେ ୯.୮ ଡିଗ୍ରି ରହିଥିଲା। ଏହାବ୍ୟତୀତ ସୋନପୁରରେ ୧୦.୯, ବାରିପଦା ଓ ଭବାନୀପାଟଣାରେ ୧୧, ବଲାଙ୍ଗୀରରେ ୧୨, ସମ୍ବଲପୁରରେ ୧୨.୬, କଟକରେ ୧୩.୪, ଭୁବନେଶ୍ବରରେ ୧୩.୫ ଡିଗ୍ରି ରେକର୍ଡ ହୋଇଛି। ମାଲକାନଗିରି, ରାୟଗଡ଼ା, ପାରଳାଖେମୁଣ୍ଡି, ପୁରୀ, ଗୋ‌ପାଳପୁର ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା।