ଗଡ଼ିଶାଗୋଦା: ପୁରୀ ଜିଲ୍ଲା କଣାସ ବ୍ଲକରେ ପ୍ରବାହିତ ହେଉଥିବା ମୁଖ୍ୟ ନଦୀ ଦୟା ଓ ତାର ଶାଖା ରାଜୁଆ, ମକରା ନଦୀରେ ହଜାର ହଜାର ସଂଖ୍ୟାରେ ମାଛ ସମେତ ଅନ୍ୟାନ୍ୟ ଜଳଜୀବ ମରି ଭାସୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ନଦୀଜଳକୁ ବ୍ୟବହାର କରୁଥିବା ନଦୀକୂଳିଆ ଗାଁ ଲୋକେ ବିଭିନ୍ନ ଜଳବାହିତ ରୋଗରେ ବାରମ୍ବାର ଆକ୍ରାନ୍ତ ହେଉଥିଲେ। ଏବେ ଗୃହପାଳିତ ପଶୁମାନେ ମଧ୍ୟ ନଦୀ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଦୟାନଦୀ ଅବବାହିକା ଅଞ୍ଚଳରେ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଭୁବନେଶ୍ୱର ସହରରୁ ବିଷାକ୍ତ ଡ୍ରେନ ପାଣି ତଥା ଆବର୍ଜନା ଗଙ୍ଗୁଆ ନାଳ ଦେଇ ଦୟାନଦୀକୁ ନିଷ୍କାସନ ହେଉଛି। ତାହା ଦୟା ଓ ତାହାର ଶାଖା ରାଜୁଆ,ମକରା ନଦୀରେ ପ୍ରବେଶ କରି ସଂପୂର୍ଣ୍ଣ ଜଳାଧାରକୁ ବିଷାକ୍ତ କରିପକାଇଛି। ଫଳରେ ନଦୀଗୁଡ଼ିକର ଜଳ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି।

Advertisment

ଉଦ୍‌ବେଗଜନକ କଥା ହେଲା, ପାନୀୟ ଜଳ ବିଭାଗ ଦୟା ଓ ରାଜୁଆ ନଦୀର ଗଡ଼ବଡ଼ପୁଟ, ପାଣ୍ଡିଆକେରା, ଚୁପୁରିଙ୍ଗି, ସୁନାଖଳା, ବଡ଼ାଲ, ଗୋପିନାଥପୁର,ସାହସପୁର,ଗଡିଶାଗୋଦା ଠାରେ ପାଇପ୍ ଜରିଆରେ ଏହି ବିଷାକ୍ତ ଜଳକୁ ଜନସାଧାରଣଙ୍କ ଘରୋଇ ବ୍ୟବହାର ପାଇଁ ଯୋଗାଇ ଦେଉଛି। ଏ ସଂପର୍କରେ ଦୟା ସୁରକ୍ଷା ମଞ୍ଚର ପକ୍ଷରୁ ଅଶୋକ ପ୍ରଧାନ, ସୁକାନ୍ତ କିଶୋର ସାମନ୍ତରାୟ, ଶ୍ରୀକାନ୍ତ ପାଟ୍ଟଯୋଶୀ ପ୍ରମୁଖ ଗଙ୍ଗୁଆ ନାଳ ଜଳକୁ ଦୟାନଦୀକୁ ନ ଛାଡିବା ପାଇଁ ବାରମ୍ବାର ଦାବିକରି ଆସୁଥିଲେ ମଧ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।