ମେଡିକାଲ ନାମଲେଖା ପାଇଁ ମେଧା ତାଲିକା : ୪୭୮୬ ଜଣଙ୍କୁ ରାଜ୍ୟ ର‍୍ୟାଙ୍କ

ଏକ ନମ୍ବର ର‍୍ୟାଙ୍କରେ ଆରାଧନା ମନସ୍ବିନୀ
ଏସ୍‌ସି ବର୍ଗରେ ଅବିନାଶ, ଏସ୍‌ଟି ବର୍ଗରେ ଶିବ ପ୍ରଥମ

ଭୁବନେଶ୍ୱର : ମେଡିକାଲ କଲେଜଗୁଡ଼ିକର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ରାଜ୍ୟ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ଆଜି ପ୍ରକାଶ ପାଇଛି। ଏହି ତାଲିକାରେ ମୋଟ ୪୭୮୬ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ଛାତ୍ରୀ ଆରାଧନା ମନସ୍ବିନୀ ସାଧାରଣ ବର୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ସର୍ବଭାରତୀୟସ୍ତରରେ ତଥା ନିଟ୍‌ରେ ୨୬୧ତମ ରୢାଙ୍କ ହାସଲ କରିଥିଲେ। ସେହିପରି ୫୭୮ ନିଟ୍‌ ରୢାଙ୍କଧାରୀ ଛାତ୍ରୀ ମଧୁସ୍ମିତା ପଣ୍ଡା, ୮୩୭ତମ ରୢାଙ୍କରେ ଥିବା ସଏଦ୍‌ ସରିମ୍‌ ହବିବ୍‌, ୯୭୪ ରୢାଙ୍କଧାରୀ ଦିବ୍ୟାଦର୍ଶନ ପାଣିଗ୍ରାହୀ ଓ ୧୦୫୦ ନିଟ୍‌ ରୢାଙ୍କଧାରୀ ବିକାଶ ଅଗ୍ରୱାଲ୍‌ ଯଥାକ୍ରମେ ଦ୍ବିତୀୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି। ଅନୁସୂଚିତ ଜାତି ବର୍ଗରେ ଅବିନାଶ ବେହେରା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସୁନୀଲ୍‌ କୁମାର ସା ଦ୍ବିତୀୟ, ପ୍ରୀତମ୍‌ କୁମାର ସେଠୀ ତୃତୀୟ, ସବ୍ୟସାଚ୍ଚୀ ସୀତାକାନ୍ତ ଜେନା ୪ର୍ଥ, ଦିବ୍ୟରଞ୍ଜନ ବେହେରା ୫ମ ସ୍ଥାନରେ ରହିଛନ୍ତି। ଅନୁସୂଚିତ ଜନଜାତି ବର୍ଗରେ ଶିବ କୁମାର ମାରାଣ୍ଡି ପ୍ରଥମ ସ୍ଥାନରେ ଅଛନ୍ତି।

ମେଧା ତାଲିକା ପ୍ରକାଶ ସହ ଆଜି ପୂର୍ବାହ୍ନ ୧୦ଟାରୁ ଚଏସ୍‌ ଫିଲିଂ ଓ ଲକିଂ ଆରମ୍ଭ ହୋଇଛି। ୨୭ ତାରିଖ ତଥା ଶୁକ୍ରବାର ରାତି ୧୧ଟା ୫୯ ମଧ୍ୟରେ ମେରିଟ୍‌ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଓ ଲକିଂ କରିବାକୁ କୁହାଯାଇଛି। ୨୯ ତାରିଖରେ ପ୍ରଥମ ରାଉଣ୍ଡ୍‌ ନାମଲେଖା ତାଲିକା ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ଆଲଟ୍‌ମେଣ୍ଟ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ନଭେମ୍ବର ୩୦ ପୂର୍ବାହ୍ନ ୧୧ଟାରୁ ଡିସେମ୍ବର ୨ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ସିଟ୍‌ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ ସହ ପ୍ରୋଭିଜନାଲ ନାମଲେଖା ଲେଟର୍‌ ଡାଉନ୍‌ଲୋଡ୍‌ କରିବେ।

୧୧ଟି ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ମୋଟ ୧୫୫୩ ସିଟ୍‌ ରହିଛି। ସେଥିମଧ୍ୟରୁ ରାଜ୍ୟ କୋଟାରେ ୧୩୩୦ ସିଟ୍‌ରେ ନାମଲେଖା ଲାଗି ଓଜେଇଇ କାଉନସେଲିଂ କରୁଛି। ୧୧ଟି କଲେଜ ମଧ୍ୟରୁ ୮ଟି ସରକାରୀ ହୋଇଥିବା ବେଳେ ୩ଟି ଘରୋଇ ମେଡିକାଲ କଲେଜ ରହିଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ସର୍ବଭାରତୀୟ ସ୍ତରରେ ଅଲ୍‌ ଇଣ୍ଡିଆ କୋଟା (ଏଆଇକ୍ୟୁ)ରୁ ଡିସେମ୍ବର ୨ରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ଗୁଡ଼ିକ ଫେରିବା ପରେ ୩ ତାରିଖରେ ଖାଲି ସିଟ୍‌ ତାଲିକା ପ୍ରକାଶ କରାଯିବ। ଏଥିଲାଗି ପୁଣିଥରେ କାଉନସେଲିଂ ହେବ। ଡିସେମ୍ବର ୪ ପୂର୍ବାହ୍ନ ୧୧ଟାରୁ ୫ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଦ୍ବିତୀୟ ରାଉଣ୍ଡ୍‌ ନାମ ପଞ୍ଜୀକରଣ ଓ ଅନ୍‌ଲାଇନ୍‌ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୬ ତାରିଖ ଅପରାହ୍‌ଣ ୩ଟାରେ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ। ୬ ତାରିଖ ସନ୍ଧ୍ୟା ୭ଟାରୁ ୭ ତାରିଖ ରାତି ୧୧ଟା ୫୯ ମିନିଟ୍‌ ମଧ୍ୟରେ ନୂତନ ଭାବେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ଡିସେମ୍ବର ୯ରେ ଦ୍ବିତୀୟ ରାଉଣ୍ଡ ଆଲଟମେଣ୍ଟ ସହ ଛାତ୍ରଛାତ୍ରୀ ଆଲଟ୍‌ମେଣ୍ଟ ଲେଟର ଡାଉନ୍‌ଲୋଡ୍‌ କରିପାରିବେ। ୧୦ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ ତାରିଖ ରାତି ୧୧ଟା ୫୯ ସୁଦ୍ଧା ସିଟ୍‌ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରି ପ୍ରୋଭିଜନାଲ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ଡିସେମ୍ବର ୧୫ରେ ସ୍ପଟ୍‌ ରାଉଣ୍ଡ୍‌ କାଉନସେଲିଂ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର