ପାଠ ପାଇଁ ମୂଲ ଲାଗୁଛନ୍ତି ମେଧାବୀ ଛାତ୍ରୀ

ହାଟଡିହି : ଅଭାବ ଭିତରେ ହଜିଯାଇଛି ମାଟ୍ରିକ୍‌ ସଫଳତାର ଖୁସି। ରାତି ପାହିଲେ ଘାରୁଛି ପେଟ ଚିନ୍ତା। ପରିବାର ପ୍ରତିପୋଷଣ ପାଇଁ ସକାଳୁ ସକାଳୁ ସାଇକଲ ଧରି ମୂଲ ଲାଗିବାକୁ ଯାଉଛନ୍ତି ମାଟ୍ରିକ ପରୀକ୍ଷାରେ ୫୧୧ (୮୫ ପ୍ରତିଶତ) ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଢେଙ୍କା ପଞ୍ଚାୟତ ସଂଗମ ଗ୍ରାମର ସ୍ବର୍ଗତ ସାଲଖାନ ହେମ୍ବ୍ରମ ଏବଂ ସୁଠା ହେମ୍ବ୍ରମଙ୍କ ଝିଅ ରାଣୀ। ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖି ଏବେ ପାଠ ପଢ଼ିବା ପାଇଁ ଅର୍ଥ ଯୋଗାଡ଼ରେ ଲାଗିଛନ୍ତି। ଏଥିପାଇଁ ସେ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି।

ରାଣୀ ସୁନ୍ଦରାପାଳ ଗଡ଼ଚଣ୍ଡୀ ହାଇସ୍କୁଲ୍‌ରୁ ଚଳିତବର୍ଷ ମାଟ୍ରିକ୍‌ ପାସ୍‌ କରିଛନ୍ତି। ପୂର୍ବରୁ ସେ ଅନେକ ବୃତ୍ତି ପରୀକ୍ଷାରେ ମଧ୍ୟ ସଫଳତା ହାସଲ କରିଥିଲେ। ଦଶମ ଶ୍ରେଣୀରେ ଅର୍ଥାଭାବରୁ ପରିବାର ଲୋକେ ତାଙ୍କୁ ପାଠ ପଢ଼ାଇବାକୁ ଚାହୁଁ ନଥିଲେ। ସ୍କୁଲ୍‌ର ଶିକ୍ଷକମାନେ ତାଙ୍କ ନାମଲେଖାଇବା ସହ ପାଠପଢ଼ିବା ପାଇଁ ଉତ୍ସାହିତ କରିଥିଲେ। ଶିକ୍ଷକମାନଙ୍କ ଉଦ୍ୟମ ଯୋଗୁଁ ସେ ପାଠ ପଢ଼ିବା ସହ ପରୀକ୍ଷାରେ ସଫଳତାର ସହ ପାସ୍‌ କରିଛନ୍ତି।

ରାଣୀ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ବାପାଙ୍କ ଦେହାନ୍ତ ପରେ ମା’ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବାରୁ ପରିବାର ଚଳିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ସେ ପାଠ ପଢ଼ିବା ପରିବର୍ତ୍ତେ ବିଧବା ମା’, ଭାଇଭଉଣୀଙ୍କ ମୁହଁରେ ଦାନା ଦେବାପାଇଁ ମୂଲ ଲାଗୁଛନ୍ତି। ଗାଁ ଗାଁ ବୁଲି ବାଲି, ସିମେଣ୍ଟ କାମ କରୁଛନ୍ତି। ହାତରେ ଖାତା, କଲମ ବଦଳରେ କୋଡ଼ି, କୋଦାଳ ଧରୁଛନ୍ତି। ସେ ସୋସୋ ଗାଁକୁ କାମ କରିବାକୁ ଯାଇଥିବାବେଳେ ହାଟଡିହି ବ୍ଲକ୍‌ ଅଙ୍ଗନବାଡ଼ି ସୁପରଭାଇଜର ନିରୁପମା ରାଉତ ତାଙ୍କ ସମ୍ପର୍କରେ ଶୁଣିବାକୁ ପାଇଥିଲେ। ରାଣୀଙ୍କ ନିକଟରୁ ଅଭାବ ଅନଟନର କାହାଣୀ ଶୁଣିବା ପରେ ସେ କିପରି ଉଚ୍ଚଶିକ୍ଷା ପାଇବେ ସେନେଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ତାଙ୍କୁ ସହାୟତା ଯୋଗାଇଦେବାକୁ ଶ୍ରୀମତୀ ରାଉତ ସରକାରଙ୍କୁ ନିବେଦନ କରିଛନ୍ତି।

ସେହିପରି ସୁନ୍ଦରାପାଳ ଗଡ଼ଚଣ୍ଡୀ ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ଶରତ କୁମାର ଶାସିନୀ କହିଛନ୍ତି, ରାଣୀ ସାଇକଲରେ ୭/୮ କିଲୋମିଟର ଦୂରରୁ ଆସି ପାଠ ପଢ଼ୁଥିଲେ। ପରିବାରର ବିରୋଧ ସତ୍ତ୍ୱେ ତାଙ୍କର ପାଠ ପଢ଼ିବା ପାଇଁ ପ୍ରବଳ ଇଚ୍ଛା ଥିବାରୁ ଆମେ ସବୁ ପ୍ରକାର ସହାୟତା କରିଥିଲୁ। ସେ ୮୫ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏପରିକି ରାଣୀ ପୂର୍ବରୁ ଏନ୍‌ଆର୍‌ଟିଏସ୍‌ ଓ ଏନ୍‌ଏମ୍‌ଏସ୍‌ ପରୀକ୍ଷାରେ ମଧ୍ୟ ସଫଳତା ହାସଲ କରି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ବୋଲି ଶ୍ରୀ ଶାସିନୀ କହିଛନ୍ତି। ତେବେ ପରିବାର ଆର୍ଥିକ ଅନଟନ ଏବଂ ଉଚ୍ଚଶିକ୍ଷା ପାଇଁ ନାମଲେଖା ଓ ପାଠ୍ୟ ଉପକରଣ କିଣିବାକୁ ଅଧିକ ଅର୍ଥ ଆବଶ୍ୟକ। ସେଥିପାଇଁ ସେ ମୂଲ ଲାଗି ଟଙ୍କା ଯୋଗାଡ଼ କରୁଛନ୍ତି। ସରକାର କିମ୍ବା କୌଣସି ଅନୁଷ୍ଠାନ ତାଙ୍କୁ ସହାୟତା କ‌ଲେ ସେ ପାଠପଢ଼ି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ବୋଲି ରାଣୀ କହିଛନ୍ତି।

ସମ୍ବନ୍ଧିତ ଖବର