ସୁନ୍ଦରଗଡ଼ ଭେଷଜ ମହାବିଦ୍ୟାଳୟକୁ ମେଧାବୀଙ୍କ ନାପସନ୍ଦ!

ସର୍ବଭାରତୀୟ କୋଟାର ୧୫ରୁ ଜଣେ ବି ଆସିଲେନି, ପ୍ରଥମ ପର୍ଯ୍ୟାୟ ନାମଲେଖା ଶୂନ୍

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଭେଷଜ ମହାବିଦ୍ୟାଳୟ (ମେଡିକାଲ କଲେଜ)ରେ ୨୦୨୨-୨୩ ଶିକ୍ଷାବର୍ଷରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ୧୦୦ ଆସନରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ସର୍ବଭାରତୀୟ କୋଟାରେ ୧୫ ଓ ରାଜ୍ୟ କୋଟାରେ ୮୫ଟି ଆସନ ରହିଛି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ପ୍ରକାଶିତ ପ୍ରଥମ ପର୍ଯ୍ୟାୟ ଆଲଟ୍‌ମେଣ୍ଟ ତାଲିକା ଅନୁସାରେ, ସର୍ବଭାରତୀୟ କୋଟାର ୧୫ ଜଣ ଅକ୍ଟୋବର ୩୦ ତାରିଖ ସୁଦ୍ଧା ମହାବିଦ୍ୟାଳୟରେ ନାମ‌ ଲେଖା‌ଇବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ, ଏହା ଏଯାଏ ଶୂନ୍‌ ରହିଛି। ଅର୍ଥାତ୍‌ ସର୍ବଭାରତୀୟ କୋଟାର ଜଣେ ବି ମହାବିଦ୍ୟାଳୟରେ ରିପୋର୍ଟିଂ କରିନାହାନ୍ତି। ଅବଶ୍ୟ ନିୟମ ଅନୁସାରେ, ସେହି ୧୫ ଆସନ ଖାଲି ରହିବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ‌ସେଗୁଡ଼ିକରେ ଅନ୍ୟମାନଙ୍କୁ ନାମଲେଖାଇବାକୁ ସୁଯୋଗ ଦିଆଯିବ ବୋଲି ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନାମଲେଖା ପାଇଁ ଅକ୍ଟୋବର ୨୧ ତାରିଖରୁ ଚଏସ ଫିଲିଂ ଓ ଲକିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଆଲଟ୍‌ମେଣ୍ଟ ତାଲିକା ପ୍ରକାଶ ପାଇଥିଲା। ଅକ୍ଟୋବର ୩୦ରୁ ନଭେମ୍ବର ୪ ମଧ୍ୟରେ ପ୍ରୋଭିଜନାଲ ନାମଲେଖା, ଶୁଳ୍କ ଦାଖଲ ଓଜେଇଇ ସେଲ୍‌ରେ କରାଯିବାକୁ ନିର୍ଦ୍ଦେଶ ଥିଲା। ସେହିପରି ନଭେମ୍ବର ୬ରେ ଖାଲି ସିଟ୍‌ ତାଲିକା ପ୍ରକାଶ ସହ ୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଜୀକରଣ, ୧୨ରେ ରାଜ୍ୟ ମେଧା ତାଲିକା ପ୍ରକାଶ ସହ ୧୨ରୁ ୧୪ ମଧ୍ୟରେ ପଞ୍ଜିକୃତ ନୂଆପିଲା ଚଏସ୍‌ ଫିଲିଂ ଓ ଲକିଂ କରିବେ। ୧୬ରେ ଦ୍ବିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ୍‌ ପ୍ରକାଶ ଓ ୧୯ରୁ ୨୧ ଯାଏ ନାମଲେଖା ହେବ। ଡିସେମ୍ବର ୬ରେ ସ୍ପଟ୍‌ ରାଉଣ୍ଡ କାଉନସେଲିଂ କରାଯିବ ବୋଲି ଓଜେଇଇରେ ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟସେବାରେ ସବା ପଛୁଆ ସୁନ୍ଦରଗଡ଼ ଜିଲ୍ଲାର ଏହି ଭେଷଜ ମହାବିଦ୍ୟାଳୟରେ ପ୍ରଥମ କରି ଏମବିବିଏସ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀଙ୍କ ନଜର ତା’ ଉପରେ କେନ୍ଦ୍ରୀଭୂତ ହୋଇଛି।

ସମ୍ବନ୍ଧିତ ଖବର