ବିଭିନ୍ନ ସ୍ଥାନରେ ମେରୁ ଯାତ୍ରା ଉଦ୍‌ଯାପିତ

ଖୋର୍ଦ୍ଧା/ସିକୋ: ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ବିଭିନ୍ନ ସ୍ଥାନରେ ଚାଲିଥିବା ମେରୁ ଯାତ୍ରା ମେଷ ସଂକ୍ରାନ୍ତିରେ ପାରଂପରିକ ରୀତିନୀତି ଅନୁସାରେ ଉଦ୍ୟାପିତ ହୋଇଯାଇଛି ।
ଗତ ଦୁଇ ବର୍ଷ ଧରି କରୋନା କଟକଣାରେ ମେରୁଯାତ୍ରାର ସେଭଳି ଯାକଜମକରେ ପାଳିତ ହୋଇପାରିନଥିଲା । ଚଳିତବର୍ଷ ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହର ସହକାରେ ଏହାପାଳିତ ହେବା ସହ ଗତକାଲି ମେରୁ ସଂକ୍ରାନ୍ତିରେ ଏହା ଉଦ୍ୟାପିତ ହୋଇଯାଇଛି । ଗତକାଲି ୱିଲ୍କିନ୍ସନ ନଗରର ପ୍ରତିଷ୍ଠିତ ଦେବୀ ମା’ ଅଁଳାଇ ପୀଠରେ ଅନୁଷ୍ଠିତ ଝାମୁଯାତ୍ରାରେ ହଜାର ହଜାର ଭକ୍ତ ଯୋଗ ଦେଇଥିଲେ । ରାତିରେ କାଳିସୀ ହାତରେ ଛୋଟପିଲାଙ୍କୁ ଭଗବତୀଙ୍କ ଆଶୀର୍ବାଦ ପାଇବା ପାଇଁ ଖାଲିପାଦରେ ରଡ଼ ନିଆଁରେ ଚାଲିବା ଦୃଶ୍ୟ ଅଲୌକିକ ଥିଲା । କାର୍ଯ୍ୟକ୍ରମକୁ ପୁରୋହିତ ବିଶ୍ୱନାଥ ନନ୍ଦ, ଗ୍ରାମସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ସନାତନ ବିଶ୍ୱାଳ, ସୁଦର୍ଶନ ବଳିଆରସିଂହ, ଗୋକୁଳ ପ୍ରଧାନ, ପ୍ରଦୀପ୍ତ ସାହାଣୀଙ୍କ ସହ ଗ୍ରାମର ଯୁବକମାନେ ପରିଚାଳନା କରିଥିଲେ ।


ସେହିଭଳି ବେଗୁନିଆ ବ୍ଲକ ସିକୋର ବହୁମାନ୍ୟତା ପ୍ରାପ୍ତ ଠାକୁର ବାବା ଚନ୍ଦ୍ରଶେଖର ଦେବଙ୍କ ପୀଠରେ ଗତ ୯ ଦିନ ଧରି ଅନୁଷ୍ଠିତ ହୋଇଥିବା ଝାମୁ ଯାତ୍ରା ଗତକାଲି ଉଦ୍ୟାପିତ ହୋଇଛି । ଚୈତ୍ରମାସର ପାପନାଶିନୀ ଏକାଦଶୀରେ ଏହା ଆରମ୍ଭ ହୋଇଥିଲା । ଠାକୁରଙ୍କ ଚଳନ୍ତି ପ୍ରତିମା ୯ ଦିନ ଧରି ବିଭିନ୍ନ ଗାଁ ଦାଣ୍ଡ ପରିକ୍ରମା କରିଥିଲେ । ମାନସିକଧାରୀ ଭୋଗତାମାନଙ୍କ ଦ୍ୱାରା ପାରଂପରିକ ରୀତିନୀତିରେ ଧୂଳି, ନିଆଁ, ପାଣିଦଣ୍ଡ ଆଦି ମାନସିକ କର୍ମ କରାଯାଇଥଇଲା । ପଣ୍ଡିତ ଦାଶରଥୀ ମିଶ୍ରଙ୍କ ରଚିତ ଲିଙ୍ଗପୁରାଣ ଆଧାରିତ ଯାତ୍ରା ବାବା ତାରକେଶ୍ୱର ପାଟ ଅଗଣାରେ ପରିବେଶଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୀତାରାମ ବାରିକ, ସହଦେବ ସାହୁ, କାହ୍ନୁଚରଣ ମହାରଣା ପରିଚାଳନା କରିଥିଲେ । ରିଙ୍କ ମହାପାତ୍ର, ସସ୍ମିତା ପ୍ରଧାନ, ଗୀତାଂଜଳି ପ୍ରଧାନ, ଶ୍ରଦ୍ଧାଂଜଳି ମୁଦୁଲି, ମାମୁନି ବାରିକ ପ୍ରମୁଖଙ୍କ ଅଭିନୟ ମନୋମୁଗଧକର ଥିଲା । ପଣ୍ଡିତ ମିଶ୍ରଙ୍କ ନାତି ଜଗନ୍ନାଥ ମିଶ୍ର ଅତିଥି ଭାବେ ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର