ବାଲିଅନ୍ତା: ସ୍ଥାନୀୟ ସରକଣା ମା’ମଙ୍ଗଳାଙ୍କ ପୀଠରେ ଏକ ସପ୍ତାହ ଧରି ଚାଲିଥିବା ପ୍ରସିଦ୍ଧ ଫୋଡ଼ା ପାଟୁଆ ଯାତ୍ରା ଆଜି ଶେ‌ଷ ହୋଇଛି। ପଣା ସଂକ୍ରାନ୍ତି ଅବସରରେ ପାଟୁଆମାନେ କଠୋର ତପ ସାଧନ କରି ଏହି ବ୍ରତ ଶେଷ କରିଛନ୍ତି। କାଳିସୀ ଓ ବଡ଼ପାଟୁଆଙ୍କ ସମେତ ୧୫ ବ୍ରତଧାରୀ ଫୋଡ଼ା ପାଟୁଆମାନେ ଚରକିରେ ବୁଲିବା ପରେ ଏହି ଯାତ୍ରା ଶେ‌ଷ ହୋଇଛି। ବିଧି ଅନୁସାରେ ଆଜି ଅପରାହ୍ନରେ ମା’ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ଏକ ଶୋଭାଯାତ୍ରାରେ ନେଇ ପାଟୁଆମାନେ ପୋଖରୀକୂଳସାହିସ୍ଥିତ ନୂଆ ପୋଖରୀଠାରେ ପହଞ୍ଚିଥିଲେ।

Advertisment

ସେଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହେବା ସହ ପାଟୁଆମାନଙ୍କ ପିଠିରେ ୮ଇଞ୍ଚର ଲୁହା କଣ୍ଟା ଫୋଡ଼ା ହୋଇଥିଲା। ସେଠାରୁ ବଟେଶ୍ବର ଓ ଭଗବତୀଙ୍କୁ ଦର୍ଶନ ସାରି ପାଟୁଆମାନେ ଶୋଭାଯାତ୍ରାରେ ଯାତ୍ରା ପଡ଼ିଆ ଅଭିମୁ‌ଖେ ବାହାରିଥିଲେ। ଘଣ୍ଟ, ଘଣ୍ଟା, ଢୋଲ ମହୁରୀ ବାଜାର ତାଳେ ତାଳେ ନାଚି ନାଚି କାଳିସୀ ଓ ପାଟୁଆମାନେ ଶୋଭାଯାତ୍ରାରେ ଆସି ଯାତ୍ରା ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ପୋତା ହୋଇଥିବା ଚରକି ଖମ୍ବରେ ମା’ଙ୍କ କାଷ୍ଠ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ପୂଜାର୍ଚ୍ଚନା ପରେ ପାଟୁଆମାନଙ୍କ ପିଠିରେ ଫୋଡ଼ା ଯାଇଥିବା କଣ୍ଟାକୁ ଚରକିରେ ଖଞ୍ଜି ପାଟୁଆମାନଙ୍କୁ ଝୁଲାଇ ଦିଆଯାଇଥିଲା। ବିଧି ଅନୁଯାୟୀ କାଳିସୀ ଗଙ୍ଗାଧର ବେହେରା ପ୍ରଥମେ ଚରକିରେ ବୁଲିଥିଲେ। ପରେ ବଡ଼ ପାଟୁଆ ଭରତ ଭୋଇଙ୍କ ସମେତ ୧୫ଜଣ ପାଟୁଆ ଚରକିରେ ବୁଲିଥିଲେ। ରାତି ୯ଟା ସୁଦ୍ଧା ଚରକି ବୁଲା ଶେଷ ହୋଇଥିଲା। ଏହା ପରେ ପାଟୁଆମାନଙ୍କ ପିଠିରୁ ଲୁହାକଣ୍ଟା ବାହାର କରାଯାଇଥିଲା।

ଦୁଇଘଣ୍ଟା ବିଳମ୍ବରେ ଚରକି ବୁଲିଲେ ପାଟୁଆ

ଫୋଡ଼ା ପାଟୁଆ ଯାତ୍ରାର ଖାଇଖୁମ୍ବର ଗୋଟିଏ ପଟ କାନ୍ଧି ଭାଙ୍ଗିଯିବାରୁ ଠାକୁରାଣୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନଥିଲା। ସାନି ଖୁମ୍ବରେ କାନ୍ଧି ଖୋଳାଯାଇ ମୂର୍ତ୍ତି ସ୍ଥାପନ ହୋଇଥିଲା। ତେଣୁ ପାଟୁଆମାନେ ଚରକି ବୁଲିବାରେ ଦୁଇଘଣ୍ଟା ବିଳମ୍ବ ହୋଇଥିଲା। ରାତି ୯ଟା ସମୟ ସୁଦ୍ଧା ଖୁମ୍ବରେ ସାନି କାନ୍ଧି ଖୋଳା ଶେଷ ହେବା ପରେ ପାଟୁଆ ଚରକି ବୁଲିଥିଲେ। କରୋନା କଟକଣା ଯୋଗୁ ଫୋଡ଼ା ପାଟୁଆ ଯାତ୍ରା ଦୁଇବର୍ଷ ହେଲା ବନ୍ଦ ରହିଥିଲା। ତେଣୁ ଖାଇଖୁଣ୍ଟ ପରିବର୍ତ୍ତନ ନହେବା ଯୋଗୁଁ ଭାଙ୍ଗି ଯାଇଥିବା ଜଣାପଡ଼ିଛି।