Advertisment

ଖୋର୍ଦ୍ଧା: ଖୋର୍ଦ୍ଧା ଉପସାହିରେ ଶନିବାର ପବିତ୍ର ଦଣ୍ଡ ଓ ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଦଣ୍ଡୁଆ ଭକ୍ତମାନେ କଣ୍ଟା ଉପରେ ଗଡ଼ି ନିଜର ଶ୍ରଦ୍ଧା ଏବଂ ଭକ୍ତି ଦେଖାଇଛନ୍ତି। ପାଞ୍ଚ ଦିନିଆ ଦଣ୍ଡ ଉତ୍ସବରେ କଣ୍ଟାଗଡ଼ା ଉତ୍ସବ ସମାପନ ହୋଇଥିବା ବେଳେ ରବିବାର ନିଆଁରେ ଚାଲିବା ପର୍ବ ଅନୁଷ୍ଠିତ ହେବାକୁ ଯାଉଛି।

ସୂଚନା ମୁତାବକ, ଏ ଉତ୍ସବ ଉପରସାହିର କାମନା ମନ୍ଦିର ସମ୍ମୁଖରେ ଆଜି ହୋଇଥିଲା। ଏ ଉତ୍ସବ ପାଞ୍ଚ ଦିନ ତଳୁ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଦିନ ମଧ୍ୟାହ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୬୦ଜଣ ଦଣ୍ଡ ଭକ୍ତମାନେ ଏକାଠି ହୋଇ ଧୂଳିଦଣ୍ଡ, ପାଣି ଦଣ୍ଡ କରୁଥିଲେ। ଆଜି ପବିତ୍ର ମେରୁ ଉପଲକ୍ଷ କଣ୍ଟାଗଡ଼ା ଉତ୍ସବ ଆୟୋଜନ ହୋଇଥିଲା। ଉତ୍ସବର ନିୟମ ଅନୁସାରେ କାମନା ମନ୍ଦିର ସମ୍ମୁଖରେ ବାଲି ବିଛା ଯାଇଥିଲା। ତା’ ଉପରେ ତୀକ୍ଷ୍ମ କଣ୍ଟା ଗଛମାନ ସବୁ ବିଛାଯାଇଥିଲା। ସବୁ ପ୍ରକାର ପୂଜାର୍ଚ୍ଚନା ସରିବା ପରେ ଜଣକ ପରେ ଜଣେ ଶ୍ରଦ୍ଧାଳୁ ସେ କଣ୍ଟା ଗଛ ଉପରେ ହାତ ଯୋଡି ଶୋଇ କରି ଗଡ଼ିବା ଆରମ୍ଭ କରିଥିଲେ। ଧାଡ଼ି କରି ଜଣକ ପରେ ଜଣେ କଣ୍ଟାଗଛ ଉପରେ ଗଡ଼ିବାର ଦୃଶ୍ୟ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ଲୋକଙ୍କର ଭିଡ଼ି ସେଠି ଜମା ହୋଇଥିଲା। ହରିବୋଲ ଓ ହୁଳହୁଳିରେ ସ୍ଥାନୀୟ ଅଞ୍ଚଳ ବେଶ୍ ପ୍ରକମ୍ପିତ ହୋଇ ଉଠିଥିଲା। କଣ୍ଟାଗଡ଼ା ଉତ୍ସବ ପରେ ଦଣ୍ଡୁଆମାନେ ସ୍ନାନ କରି ଓଘର ତପ କରିଛନ୍ତି। ନିଆଁ ସମ୍ମୁଖରେ ଗୋଡ଼ ଉପରକୁ ମୁଣ୍ଡ ତଳକୁ କରି ନିଜର ଭକ୍ତିଭାବ ପ୍ରଦର୍ଶନ କରିଛନ୍ତି। ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରୁ ସନ୍ଧ୍ୟା ଯାଏ ଏ ଯାତ୍ରା ଚାଲୁ ରହିଥିଲା।

publive-image

ଆଜିର କଣ୍ଟାଗଡ଼ା ଉତ୍ସବ ପରେ ଆସନ୍ତାକାଲି ଖୋର୍ଦ୍ଧାରେ ଝାମୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦଣ୍ଡୁଆମାନେ ଆସନ୍ତାକାଲି ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ସମୟରେ ସାମନ୍ତରାପୁର ସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିର ସମ୍ମୁଖରେ ଝାମୁ ଯାତ୍ରା ପ୍ରଦର୍ଶନ କରିବାକୁ ଯାଉଛନ୍ତି। ସେଥିପାଇଁ ଦଣ୍ଡୁଆମାନେ ହଳଦି ଲଗା ଲୁଗା ପିନ୍ଧି ମଙ୍ଗଳାଙ୍କ ପୀଠକୁ ଯିବେ। ତା’ ସହିତ ଆଖିରେ କଜଳ, ମୁଣ୍ଡରେ ସିନ୍ଦୂର ପିନ୍ଧିବେ। ସେଠି ନିଆଁ ଉପରେ ଚାଲି ମା’ଙ୍କ ସମ୍ମୁଖରେ ନିଜର ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରିବାକୁ ଯାଉଛନ୍ତି।