ପ୍ରଦୀପ କୁମାର ଜେନା
ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଦେଇଥିବା ବିସ୍ଥାପିତ ପରିବାର ଏବେ ରାଜରାସ୍ତାରେ। ପେଟ ପାଇଁ କିଏ ଚା’ ବିକୁଛନ୍ତି ତ କିଏ ଜଳଖିଆ ଦୋକାନ କରିଛନ୍ତି। ନା ଅଛି ଚାକିରି, ନା ଚାଲୁଛି କାରଖାନା। କଳିଙ୍ଗନଗରରେ ଶିଳ୍ପାୟନର ସ୍ବପ୍ନ ଦେଖାଇଥିବା ପ୍ରଥମ ଶିଳ୍ପ ମେସ୍କୋ କାରଖାନା ୬ ବର୍ଷ ଧରି ବନ୍ଦ ରହିବା ପରେ କର୍ମଚାରୀଙ୍କ ଦୁଃଖ ବଢ଼ିଯାଇଛି। ବାରମ୍ବାର କାରଖାନା ଚାଲିବାର ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ୧୯୯୨ ମସିହାରେ ମେସ୍କୋ କାରଖାନା ପ୍ରଥମ ଶିଳ୍ପସଂସ୍ଥା ଭାବେ ଯାଜପୁର ଜିଲ୍ଲାର ଦାନଗଦୀ ତହସିଲର କଳିଙ୍ଗନଗରରେ ପାଦ ଥାପିଥିଲା। ସେତେବେଳେ ବିଜୁବାବୁ ବିଶିଷ୍ଟ ଶିଳ୍ପପତି ସ୍ୱରାଜ ପଲଙ୍କୁ ଆଣି ଯଖପୁରାଠାରେ କଦମ୍ବ ଗଛ ଲଗାଇ ଶିଳ୍ପ ପ୍ରତିଷ୍ଠାର ମୂଳଦୁଆ ପକାଇଥିଲେ। ବିଜୁବାବୁଙ୍କ ସ୍ୱପ୍ନର କଳିଙ୍ଗନଗରରେ ଆଜି ଆହୁରି ୧୦ରୁ ଊର୍ଦ୍ଧ୍ବ ବୃହତ ଶିଳ୍ପ ମୁଣ୍ଡ ଟେକିଛି। କିନ୍ତୁ ମେସ୍କୋ ଦୁର୍ଦ୍ଦିନ ମଧ୍ୟକୁ ଚାଲିଯାଇଛି। ତା’ ସହିତ ଶହଶହ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଝୁଲୁଛି। ୨୦୧୯ ଫେବ୍ରୁଆରି ମାସରୁ ମେସ୍କୋ ବନ୍ଦ ହେବା ପରେ ଏଠାରେ କାର୍ଯ୍ୟରତ ଶ୍ରମିକ/କର୍ମଚାରୀ ଭୋକ ଉପାସରେ। ଅନ୍ୟପଟେ କମ୍ପାନି ମାଲିକ କାରଖାନାର ରେଳ ସାଇଡିଂକୁ ଏକ ପରିବହନ ସଂସ୍ଥାକୁ ଭଡ଼ାରେ ଦେଇ ଯଥେଷ୍ଟ ଆୟ କରୁଛନ୍ତି। କର୍ମଚାରୀ ଓ ବିସ୍ଥାପିତଙ୍କୁ ମାସକୁ ମାତ୍ର ୮ ହଜାର ଟଙ୍କା ଦେଇ ଭୁଆଁ ବୁଲାଇ ଚାଲିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ କାରଖାନା ଚାଲିବା ନେଇ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇନଥିବାରୁ ବିସ୍ଥାପିତ ପ୍ରଜା କ୍ଷୋଭ ପ୍ରକାଶ କରିଛନ୍ତି।
ମେସ୍କୋ ପାଇଁ ବିସ୍ଥାପିତ ହୋଇଥିବା ନୀଳକଣ୍ଠପୁର ଗ୍ରାମର ଆନନ୍ଦ ସାହୁ ୨୦୦୬ରେ ପାଣି ପମ୍ପ ଅପରେଟର୍ ଭାବେ ନିଯୁକ୍ତି ପାଇଥିଲେ। ମାସକୁ ସେ ୪୦ ହଜାର ଟଙ୍କା ବେତନ ପାଉଥିଲେ। କାରଖାନା ବନ୍ଦ ପରେ ସେ ଦାନଗଦୀ ବଜାରରେ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ସେହିପରି ସିଆରିଆ ଗ୍ରାମର ବାଉରିବନ୍ଧୁ ସାହୁ କାରଖାନାରେ ଚାକିରି କରି ମାସକୁ ୪୨ ହଜାର ଟଙ୍କା ପାଉଥିଲେ। ବର୍ତ୍ତମାନ ସେ ଯାଜପୁରରୋଡ୍ ଗୋପବନ୍ଧୁ ଛକଠାରେ ଜଳଖିଆ ଦୋକାନୀ। ଆଉ କେତେଜଣ ବିସ୍ଥାପିତ ଦାନଗଦୀ ବଜାର ରାସ୍ତାକଡ଼ରେ ପରିବା ବିକୁଛନ୍ତି। କଳିଙ୍ଗନଗରରେ ଶିଳ୍ପାୟନର ସ୍ବପ୍ନ ଦେଖାଇ ଲୋକଙ୍କ ଚାଷଜମି ଓ ଭିଟାମାଟି ହାତେଇଥିବା ମେସ୍କୋ କେବେ ଚାଲିବ ତାହା ଏକ ବଡ଼ ପ୍ରଶ୍ନ। କିନ୍ତୁ ଏହାର ଉତ୍ତର କାହା ପାଖରେ ନାହିଁ। ବିସ୍ଥାପିତମାନେ ସର୍ବସ୍ବ ହରାଇ ଜୀବିକା ଅର୍ଜନ ପାଇଁ ବାରଦୁଆର ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ଦୃଷ୍ଟି ପଡୁନାହିଁ।