ସମ୍ବଲପୁର : ସମ୍ବଲପୁର ମାଝିପାଲିସ୍ଥିତ ଓଡ଼ିଶା କଲେଜ ଅଫ୍ ହୋମିଓପାଥିରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ରାଗିଂ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ କଲେଜର ଏକ ସ୍ବତନ୍ତ୍ର କମିଟି ଦୁଇଦିନ ହେଲା ତଦନ୍ତ ଚଲାଇଛି। ତେବେ, ଏହାର ଚେର ଛାତ୍ରୀନିବାସ ମେସ୍ ବିବାଦ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ହୋମିଓପାଥି କଲେଜର ଛାତ୍ରୀନିବାସ ମେସ୍ ଦାୟିତ୍ବ ଅନ୍ତେବାସିନୀମାନଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥାଏ। କଲେଜର ୪ ଜଣ ବରିଷ୍ଠ ଛାତ୍ରୀ ଏବେ ଦାୟିତ୍ବରେ ରହିଛନ୍ତି। ‘ମେନୁ’ ଅନୁଯାୟୀ ଖାଦ୍ୟ ଦିଆନଯିବା, ନିମ୍ନମାନର ଖାଦ୍ୟ ପରିବେଷଣ ସଂକ୍ରାନ୍ତରେ ଅନ୍ୟ ଛାତ୍ରୀମାନେ ଅଭିଯୋଗ କରି ଆସୁଥିଲେ। ତେବେ, ୩୧ ତାରିଖ ଦିନ ଏହାକୁ ନେଇ ବିବାଦ ତୀବ୍ର ହୋଇଥିଲା। ମେସ୍ ପରିଚାଳନା ଦାୟିତ୍ବରେ ଥିବା ୪ଜଣ ଛାତ୍ରୀଙ୍କ ବିରୋଧରେ ଅନ୍ୟମାନେ ମିଳିତ ଭାବେ କଲେଜ ଅଧ୍ୟକ୍ଷଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ତେବେ, ୧ ତାରିଖ ଅପରାହ୍ଣରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ନେସ୍ନାଲ ଆଣ୍ଟି ରାଗିଂ ସେଲ୍,ଦିଲ୍ଲୀକୁ ଫୋନ୍ କରି ସେମାନେ ରାଗିଂର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ। ୫ ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ମିଶି ସେମାନଙ୍କୁ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା, କମେଣ୍ଟ ମାରିବା ଏବଂ ସର୍ବସମ୍ମୁଖରେ କପଡ଼ା ଖୋଲିବାକୁ କହିବା ଭଳି ସାଂଘାତିକ ଅଭିଯୋଗ ତଦନ୍ତ କରିବାକୁ ଆଣ୍ଟି ରାଗିଂ ସେଲ୍ କଲେଜ କତ୍ତୃର୍ପକ୍ଷଙ୍କୁ ନିର୍ଦେଶ ଦେଇଥିଲେ।
ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ସିଂହଙ୍କୁ ପଚାରିବାରୁ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ୪ଜଣିଆ କମିଟି ଗଠନ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଆବାହକ ଏବଂ ଅନ୍ୟ ୩ ଜଣ ସଦସ୍ୟ ରହିଛନ୍ତି। ସ୍ଥାନୀୟ ପୁଲିସର ଉପସ୍ଥିତିରେ ଗତ ଦୁଇଦିନ ହେଲା ତଦନ୍ତ ଚାଲିଛି। ଛାତ୍ରୀନିବାସର ଅନ୍ତେବାସିନୀଙ୍କଠାରୁ ଆରମ୍ଭ କରି ରୋଷେଇ କରୁଥିବା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ସରିଥିଲେହେଁ ରିପୋର୍ଟ ହସ୍ତଗତ ହୋଇନାହିଁ। ପାଚେରି ଓ ଗେଟ୍ ଆଦି ଥିବାରୁ ଛାତ୍ରୀନିବାସ ଭିତରକୁ ଯିବା ଛାତ୍ରମାନଙ୍କ ପାଇଁ ସମ୍ଭବ ନୁହେଁ। ତେବେ, ଯେଉଁ ଛାତ୍ର ଜଣକ ନାମରେ ଅଭିଯୋଗ ଆସିଛି, ସେ ଘଟଣା ଦିନ କଲେଜ କ୍ୟାମ୍ପସରେ ନଥିଲେ। ହୋଲି ତଥା ଅନ୍ୟ ଛୁଟିଥିବାରୁ ସେ ନିଜ ଗାଁକୁ ପଳାଇଥିଲେ। ତାଙ୍କ ନାମରେ ଅଭିଯୋଗ ହୋଇଥିବାରୁ ଆଜି ତାଙ୍କୁ ତଦନ୍ତ ପାଇଁ ଡକାଯାଇଥିଲା। ତେବେ, ତଦନ୍ତ ରିପୋର୍ଟ ଆସିବା ପରେ ହିଁ ରାଗିଂ ଅଭିଯୋଗର ବାସ୍ତବ ଚିତ୍ର ମିଳିପାରିବ ବୋଲି ସେ କହିଛନ୍ତି।