ମାଲକାନଗିରି: ଜିଲ୍ଲାପାଳଙ୍କ ବିରୋଧରେ ଅଫିସ କାନ୍ଥରେ ଲେଖିଲେ ଦୃବୁର୍ତ୍ତ । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଳାରେ ଆପତ୍ତିଜନକ ମନ୍ତବ୍ୟ ଦୃବୁର୍ତ୍ତ ଲେଖିଛନ୍ତି । ଦୁର୍ବୃତଙ୍କ ଅଭିଯୋଗ ମୁତାବକ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଦୁର୍ନୀତିଗ୍ରସ୍ତ ହୋଇଥିବାରୁ ତାଙ୍କ ପାଇଁ ହିଁ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ଏବେ ସେହି ଲେଖାକୁ ଜିଲ୍ଲାପାଳଙ୍କ ଅଫିସ ତରଫରୁ ଲିଭାଇ ଦିଆଯାଇଛି । ଏଠାରେ ସୂଚନା ଥାଉ କି ମାଲକାନଗିରି ଜିଲ୍ଲାପାଳଙ୍କ ପିଏ(ବ୍ୟକ୍ତିଗତ ସହାୟକ)ଙ୍କର ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଥିଲା |
ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା | ସେଠାରୁ ତାଙ୍କର ମୋଟର ସାଇକେଲ ଏବଂ ହେଲମେଟ୍ ବି ମିଳିଥିଲା | ସୂଚନାଯୋଗ୍ୟ, ସୋମବାର ଦିନ ୧ଟାରୁ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ନିଖୋଜ ଥିବାନେଇ ପରିବାର ଲୋକଙ୍କ ପକ୍ଷରୁ ମାଲକାନଗିରି ଥାନାରେ ଅଭିଯୋଗ ହୋଇଥିଲା|
ମଙ୍ଗଳବାର ସକାଳେ ପ୍ରଥମେ ସତୀଗୁଡ଼ା ଡ୍ୟାମ ନିକଟରେ ଦେବ ନାରାୟଣ ପଣ୍ଡାଙ୍କର ମୋଟର ସାଇକେଲ ଓ ହେଲମେଟ୍ ମିଳିଥିଲା |ଏହାପରେ ସେଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଅବଶେଷରେ ସତୀଗୁଡ଼ା ଡ୍ୟାମ ନିକଟରୁ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।