ଶୀତ ଲହରିକୁ ନେଇ ସତର୍କ କଲା ପାଣିପାଗ କେନ୍ଦ୍ର, ୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିଛି। ଏଥିସହ ରାତି ପାରଦ ମଧ୍ୟ ତଳମୁହାଁ ହେବାରେ ଲାଗିଛି। ଆସନ୍ତା ୨ ଦିନରେ ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ କହିଛି। ଏଥିସହ ଆସନ୍ତା ୨ ଦିନ କିଛି କିଛି ସ୍ଥାନରେ ପ୍ରବଳ ଶୀତ ଲହରିକୁ ଦୃଷ୍ଟିରେ ରଖି ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ରାତିରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ଶୀତ ଲହରିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୪ ତାରିଖ ଦିନ ପାଇଁ ମଧ୍ୟ ଏହି ୪ ଜିଲ୍ଲା ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତ ୨୪ ଘଣ୍ଟାରେ ଅନୁଗୁଳ, ଗଜପତି, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ସମତଳ ଅଞ୍ଚଳ ମଧ୍ୟରେ କେନ୍ଦୁଝରରେ ରାତି ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରି ରେକର୍ଡ ହୋଇଛି ଓ ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୮ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟରେ ଧୀରେଧୀରେ ରାତି ତାପମାତ୍ରା ହ୍ରାସ ପାଇବାରେ ଲାଗିଥିବା ବେଳେ କେନ୍ଦୁଝରରେ ସର୍ବାଧିକ ୩.୪ ଡିଗ୍ରି ହ୍ରାସ ପାଇଛି। ସେହିଭଳି ବାରିପଦାରେ ୨.୬ ଡିଗ୍ରି, ଭବାନୀପାଟଣାରେ ୨.୪ ଡିଗ୍ରି, ଚାନ୍ଦବାଲିରେ ୨.୧ ଡିଗ୍ରି, ଭୁବନେଶ୍ବରରେ ୧.୪ ଡିଗ୍ରି ଓ କଟକରେ ୧.୮ ଡିଗ୍ରି ଲେଖାଏ ତାପମାତ୍ରା ହ୍ରାସ ଘଟିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Facebook

ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ନିୟାମକ ନଥିବାରୁ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଅନୁଗୁଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ। ତେବେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାପରେ ତାପମାତ୍ରା ସ୍ଥିର ରହିବ ଓ ଏଥିରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର