ଭୁବନେଶ୍ବର: ଟେଣ୍ଡର ବାତିଲ୍ ପରେ ଓଡ଼ିଶାରେ ମେଟ୍ରୋ ଚାଲିବା ନେଇ ମଉଳି ଯାଇଥିବା ଆଶା ପୁଣିଥରେ ଉଜ୍ଜୀବିତ ହୋଇଛି। ରାଜ୍ୟ ସରକାର ଆଜି ଏକ ବୈଠକରେ ପ୍ରକଳ୍ପର ରୂପରେଖ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ମେଟ୍ରୋ ପ୍ରକଳ୍ପର ସିଏମ୍ପି(କମ୍ପ୍ରେହେନ୍ସିଭ୍ ମୋବିଲିଟି ପ୍ଲାନ୍) ପ୍ରସ୍ତୁତ କରାଯାଇଛି। ମେଟ୍ରୋ ପ୍ରକଳ୍ପର ରୂପରେଖ ଉପରେ ରିପୋର୍ଟ ଦେବାକୁ ଏକ ବୈଷୟିକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଦଳ ମେଟ୍ରୋ ଚାଲୁଥିବା ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଉଭୟ ବୈଷୟିକ କମିଟି, ସ୍ବତନ୍ତ୍ର ଦଳ ପ୍ରକଳ୍ପ ଉପରେ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ଉପରେ ଆଜି ମନ୍ତ୍ରୀସ୍ତରୀୟ ସବ୍କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ, ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ସହ ସଂପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ନୂଆ ଢାଞ୍ଚାରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ହେବ। ମେଟ୍ରୋ ପାଇଁ ଗଠନ ହେବାକୁ ଥିବା ବୈଷୟିକ କମିଟିରେ ଅଧିକାରୀଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ରହିବେ। ଏହି କମିଟି ମେଟ୍ରୋର ରୂପରେଖ କ’ଣ ରହିବ, କେଉଁ ରାସ୍ତା ଦେଇ ମେଟ୍ରୋ ଟ୍ରାକ୍ ଯିବ, କେଉଁଠି ପାର୍କିଂ ରହିବ, ସେ ସଂପର୍କିତ ରିପୋର୍ଟ ଦେବେ। ପ୍ରକଳ୍ପ ଉପରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ ଗ୍ରହଣ କରାଯିବ।
ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଆରମ୍ଭ କରିଥିବା ପୁରୁଣା ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇଯାଇଛି। ପୂର୍ବ ସ୍ଥିରୀକୃତ ପଥରେ ମେଟ୍ରୋ କାମ ପାଇଁ ପରୀକ୍ଷାନିରୀକ୍ଷା ବେଳେ ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଥିଲା। ମାଟି ପରୀକ୍ଷା ବେଳେ ଟ୍ରାଫିକ୍ ଜାମ୍ ହେଉଥିବାରୁ ସେହି ରାସ୍ତାରେ କାମ ହେଲେ ଅବସ୍ଥା ଅସମ୍ଭାଳ ହୋଇଥାଆନ୍ତା। ଗଠନ ହେବାକୁ ଥିବା ବୈଷୟିକ କମିଟି ଯାହା ରିପୋର୍ଟ ଦେବେ, ସେହି ଅନୁସାରେ ମେଟ୍ରୋ କାମ ହେବ।
ଗଠନ ହେବ ବୈଷୟିକ କମିଟି
ମେଟ୍ରୋ ଚଳାଚଳ ସହରକୁ ଯିବେ ସ୍ବତନ୍ତ୍ର ଅଧିକାରୀ
ସୂଚନାଯୋଗ୍ୟ, ବିଜେଡି ସରକାର ଅମଳରେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିମି ରାସ୍ତାରେ ମେଟ୍ରୋ ଗଡ଼ିବ ବୋଲି ଘୋଷଣା ହୋଇଥିଲା। ବିଭିନ୍ନ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ କାମ ଆବଣ୍ଟନ ହୋଇଥିଲା। ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏଲିଭେଟର୍ କରିଡର, ଡବଲ୍ ଡେକର୍ ଓ ଅଣ୍ଡରଗ୍ରାଉଣ୍ଡ୍ ହେବ ବୋଲି ଅନେକ ସ୍ବପ୍ନ ଦେଖାଇଥିଲେ ସରକାର। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍(ଡିଏମ୍ଆର୍ସି) ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତି, ନିର୍ମାଣ କାର୍ଯ୍ୟ ତଦାରଖ କାର୍ଯ୍ୟ ନେଇଥିଲା। ଏହାର ଟେଣ୍ଡର ମଧ୍ୟ ଆହ୍ବାନ କରିଥିଲା। ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ ୬୨୨୫କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏହାର ନିର୍ମାଣ ପାଇଁ ରଞ୍ଜିତ ବିଲଡକନ୍ ସଂସ୍ଥାକୁ କ୍ୟାପିଟାଲ ହସ୍ପିଟାଲ୍ଛକରୁ କିଟ୍ଛକ ପର୍ଯ୍ୟନ୍ତ କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ ୧୧୮୭ କୋଟି ଟଙ୍କାର ଟେଣ୍ଡରର କାର୍ଯ୍ୟାଦେଶ ଦିଆଯାଇଥିଲା। ସୈଗଲ ଇଣ୍ଡିଆକୁ କିଟ୍ ଛକରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୮୯୯କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ସେହିପରି ସାଇଷ୍ଟ୍ରା ଏମ୍ଭିଏ କନସଲଟିଂ ଇଣ୍ଡିଆକୁ ୧୦୧୨କୋଟି ଟଙ୍କାର, ଏମ୍ଆଇଏ କନଷ୍ଟ୍ରକ୍ସନକୁ ୭୯.୭୫କୋଟି ଟଙ୍କାର ଓ ଆଇସିଟିକୁ ୧୩.୦୪କୋଟି ଟଙ୍କାର ଟେଣ୍ଡର କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ଗତମାସରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇଥିବା ଏକାଧିକ ସଂସ୍ଥାର ଟେଣ୍ଡରକୁ ଡିଏମ୍ଆର୍ସି ବାତିଲ୍ କରି ଦେଇଥିଲା। ଆଜି ମନ୍ତ୍ରୀଙ୍କ ଘୋଷଣା ପରେ ପୁଣିଥରେ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ହେବା ଆଶା ଦେଖାଦେଇଛି।