ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ସବ୍ କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜିର ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ କିଛି ଠୋସ୍ ନିଷ୍ପତ୍ତି ହୋଇପାରିନି। ଏପରିକି ମେଟ୍ରୋ ରେଳ ଏଲିଭେଟର କରିଡରରେ ହେବ କି ଅଣ୍ଡରଗ୍ରାଉଣ୍ଡ ହେବ, କେଉଁ ଅଞ୍ଚଳକୁ ମେଟ୍ରୋ ଚାଲିବ ସେନେଇ କିଛି ନିଷ୍କର୍ସ ବାହାରିନି। ଏହି ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପ ଉପରେ ଯେତିକି ଆଲୋଚନା ହୋଇନଥିଲା ତା’ଠାରୁ ଅଧିକ ଭୁବନେଶ୍ବରର ଭିଡ଼ କମାଇବା, ସୁଗମ ଟ୍ରାଫିକ ପରିଚାଳନା ନିମନ୍ତେ ସମନ୍ବିତ ଗମନାଗମନ ଯୋଜନା, ରେଳ-ସଡ଼କ ପରିବର୍ତ୍ତନ ପଥ, ପୂର୍ତ୍ତ ବିଭାଗ ପକ୍ଷରୁ ଭୁବନେଶ୍ବରରେ ହେବାକୁ ଥିବା ଏବଂ ନିର୍ମାଣାଧୀନ ଥିବା ବିଭିନ୍ନ ସଡ଼କ, ଫ୍ଲାଏଓଭର ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ଆଗାମୀ ୨୦ବର୍ଷକୁ ନଜରରେ ରଖି କିପରି ଗମନାଗମନ ଭିତ୍ତିଭୂମି ନିର୍ମାଣ ହେବ ସେନେଇ ଚର୍ଚ୍ଚା ହୋଇଥିଲା।
ମନ୍ତ୍ରୀସ୍ତରୀୟ ସବ୍ କମିଟିର ପ୍ରଥମ ବୈଠକ ବସିଲା
ସମନ୍ବିତ ଗମନାଗମନ ଯୋଜନା ଓ ନୂଆ ଢାଞ୍ଚା ଉପରେ ଆଲୋଚନା
ସେହିପରି ଆଜିର ବୈଠକରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ କର୍ତ୍ତୃପକ୍ଷ ସେମାନଙ୍କ ଡିପିଆର୍ ଉପସ୍ଥାପନ କରିଥିଲେ। କେତେ କାମ ଆଗେଇଛି, କ’ଣ ହେବାର ଥିଲା ସେନେଇ ବିସ୍ତୃତ ସୂଚନା ଦେଇଥିଲେ। ହେଲେ ପୁରୁଣା ପ୍ରକଳ୍ପର ଡିଜାଇନ୍ ବଦଳରେ ଆଉ କେଉଁ ଡିଜାଇନ୍ର ମେଟ୍ରୋ କରିଡର ହେବ ସେନେଇ ତାଙ୍କୁ କିଛି କୁହାଯାଇନି। ବୈଠକ ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଆଜି ମେଟ୍ରୋ ରେଳ ପ୍ରକଳ୍ପ ନେଇ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ବସିଲା। ଏଥିରେ ମେଟ୍ରୋ ରେଳ ପାଇଁ ଏଲିଭେଟର କରିଡର କି ଅଣ୍ଡରଗ୍ରାଉଣ୍ଡ କରିଡର ହେବ ସେନେଇ କିଛି ନିଷ୍ପତ୍ତି ହୋଇନି। ଭୁବନେଶ୍ବରର ଭିଡ଼ କମାଇବା ଏବଂ ଲୋକଙ୍କ ହିତକୁ ନଜରରେ ରଖି ଆଗାମୀ ଦିନରେ ପଦକ୍ଷେପ ନିଆଯିବ। ବୈଠକରେ ପୂର୍ତ୍ତ ମନ୍ତ୍ରୀଙ୍କ ସମେତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।