ଭୁବନେଶ୍ବର: ‘ମୋ ସରକାର’ଙ୍କ ୫-ଟି ଅଧୀନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ରେଳପଥ ନିର୍ମାଣ ପାଇଁ ଆସନ୍ତାକାଲି ଜନପଥରେ ସର୍ଭେ ହେବାକୁ ଯୋଜନା ହୋଇଛି। ଏଥିରେ ରାସ୍ତାର ମେଡିଆନ୍ରେ ଥିବା ବିଦ୍ୟୁତ୍ ଖୁଣ୍ଟ ହଟାଯିବ। ଏହାସହିତ ପାଣି ପାଇପ୍, ଟେଲିଫୋନ୍ ଲାଇନ୍, ଗ୍ୟାସ୍ପାଇପ୍ ଲାଇନ୍ ସମେତ ସମସ୍ତ ‘ୟୁଟିଲିଟି’ ହଟାଯିବ। ଏଥିପାଇଁ ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସମେତ ଏକ ସ୍ବତନ୍ତ୍ର ଟିମ୍ ସର୍ଭେ କରିବ। ଟିମ୍ରେ ବିଏମ୍ସି, ବିଡିଏ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍), ଟିପିସିଓଡିଏଲ୍, ଗେଲ୍, ବିଏସ୍ଏନ୍ଏଲ୍, ୱାଟ୍କୋ ଓ କମିସନରେଟ୍ ଟ୍ରାଫିକ୍ର ପ୍ରତିନିଧି ରହିବେ। ଏନେଇ ରେଳ ନିଗମ ପକ୍ଷରୁ ସମସ୍ତ ଏଜେନ୍ସିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ପ୍ରବଳ ଖରା ହେଉଥିବାରୁ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ସର୍ଭେ ହେବାକୁ ଯୋଜନା ହୋଇଛି।
ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ୫.୫କିମିର ସ୍ମାର୍ଟ ଜନପଥ ରହିଛି। ଏହି ଜନପଥର ମେଡିଆନ୍ରେ ୨୫ ମିଟର ବ୍ୟବଧାନରେ ଏକ ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି। ଏହି ହିସାବରେ ୨୨୦ ବିଦ୍ୟୁତ ଖୁଣ୍ଟ ଥିବ ବୋଲି ଆକଳନ କରାଯାଇଛି। ତେବେ ଆସନ୍ତାକାଲି ବିଧିବଦ୍ଧ ଭାବରେ ସର୍ଭେ ହେବା ପରେ ନିର୍ଦ୍ଦିଷ୍ଟ ସଂଖ୍ୟା ଜଣାପଡ଼ିବ। ସର୍ଭେ ପରେ ଖୁଣ୍ଟଗୁଡ଼ିକ ହଟାଇବା ପାଇଁ ହେବାକୁଥିବା ଖର୍ଚ୍ଚ ବାବଦରେ ଟିପିସିଓଡିଏଲ୍ ଏଷ୍ଟିମେଟ୍ କରିବ। ଏଷ୍ଟିମେଟ୍ ଅର୍ଥ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଟିପିସିଓଡିଏଲ୍ରେ ଦାଖଲ କରିବା ପରେ ଖୁଣ୍ଟ ହଟାଯିବ। ଏହି ଖୁଣ୍ଟ ହଟାଇବା ପାଇଁ ଦୀର୍ଘ ଦିନ ଲାଗିପାରେ। ଏଣୁ ଜନପଥରେ ଟ୍ରାଫିକ୍ ସମସ୍ୟା ଉପୁଯିବ। ସେଥିପାଇଁ ଟ୍ରାଫିକ୍ ପୁଲିସ ଏକ ସ୍ବତନ୍ତ୍ର ଟ୍ରାଫିକ୍ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସବୁ କାମ ପ୍ରାୟତଃ ରାତିରେ କରାଯିବ।
କେବଳ ବିଦ୍ୟୁତ୍ ଖୁଣ୍ଟ ନୁହେଁ, ଟେଲିଫୋନ୍ ତାର, ପାଣି ପାଇପ୍ ଓ ଗ୍ୟାସ୍ ପାଇପ୍ ଲାଇନ୍ ମଧ୍ୟ ହଟିବ। ସେଥିପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ଅବଗତ କରାଯାଇଛି। ବିଦ୍ୟୁତ ଖୁଣ୍ଟ ସହ ସେମାନେ ସମାନ୍ତରାଳ ଭାବରେ ଏସବୁ ସ୍ଥାନାନ୍ତର କରିବେ। ଜନପଥରେ ବଡ଼ ବଡ଼ ବ୍ୟାବସାୟିକ ପେଣ୍ଠସ୍ଥଳ ସହ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ ରହିଥିବାରୁ ପ୍ରବଳ ଜନ ଗହଳି ହୋଇଥାଏ। ଜନସାଧାରଣ ଯେଭଳି ହଇରାଣ ହେବେନାହିଁ, ତାହାକୁ ଦୃଷ୍ଟିରେ ରଖି କାମ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗାଡ଼କଣରେ ଡିପୋ ହେବ। ରେଳ ମରାମତି ପାଇଁ ମଧ୍ୟ ବ୍ୟବସ୍ଥା ହେବ। ସେଥିପାଇଁ ବିଡିଏ ସେଠାରେ ୧୫ ଏକରରୁ ଅଧିକ ଜାଗା ଚିହ୍ନଟ କରିଛି। ଦୁଇଦିନ ତଳେ ସେଠାରେ ଥିବା କେତେକ ଛୋଟ ଛୋଟ ଜବରଦଖଲ ବିଡିଏ ହଟାଇଛି। ଆଉ କେଉଁଠି ଜମି ଆବଶ୍ୟକ ହେଲେ ତୁରନ୍ତ ଯୋଗାଇବାକୁ କୁହାଯାଇଛି। ସୂଚନାଯୋଗ୍ୟ, ୬୨୫୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ମେଟ୍ରୋ ରେଳ ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ। ଏହା ମଧ୍ୟରେ ୨୦ଟି ଷ୍ଟେସନ ରହିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/metro-rail.jpg)