ଭୁବନେଶ୍ବରରେ ଚାଲିବ ମେଟ୍ରୋ ଟ୍ରେନ୍; କଟକ-ଭୁବନେଶ୍ବର-ପୁରୀ-ଖୋର୍ଦ୍ଧାକୁ ଗଡ଼ିବ

ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଯୁଦ୍ଧକାଳୀନ ଭିତ୍ତିରେ ଡିପିଆର୍ ପ୍ରସ୍ତୁତ

ଭୁବନେଶ୍ବର : ଖୁବ୍‌ ଶୀଘ୍ର ଓଡ଼ିଶାରେ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ। କଟକ-ଭୁବେନଶ୍ବର-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ କଟକର ତ୍ରିଶୁଳିଆରୁ ଭୁବନେଶ୍ବର ବିମାନବନ୍ଦର ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ପ୍ରକଳ୍ପ କରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାରେ ମେଟ୍ରୋ ରେଳ ଚଳାଚଳ ନେଇ ପ୍ରତିଶ୍ରୁତି ଦେଇଥିଲା। ଆଉ ନିର୍ବାଚନର ୪ବର୍ଷ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହାସହ ଓଡ଼ିଶା ଦିବସ ଅବସ‌ରରେ ନୂଆ ଓଡ଼ିଶା ଗଠନ ନେଇ ଏହି ନୂଆ ପ୍ରକଳ୍ପ ବୋଲି ଘୋଷଣା କରି କହିଛନ୍ତି।

ଏହି ମେଟ୍ରୋ ରେଳ ପ୍ରକଳ୍ପ ତ୍ରିଶୁଳିଆର ସୁବାସ ବୋଷ ସେତୁ ନିକଟରୁ ଆରମ୍ଭ ହୋଇ ଭାୟା ନନ୍ଦନକାନନ, ପଟିଆ, ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ହୋଇ ବିମାନବନ୍ଦର ପର୍ଯ୍ୟନ୍ତ ଯିବ। ପରେ ଏହାକୁ ଖୋର୍ଦ୍ଧା ଏବଂ ପୁରୀକୁ ସମ୍ପ୍ରସାରଣ କରାଯିବ।
ଏହି ରୁଟ୍‌ରେ ମେଟ୍ରୋ ଚଳାଚଳ ନେଇ ବିଭିନ୍ନ ସଂସ୍ଥା ଦ୍ବାରା ପ୍ରସ୍ତୁତ ଫିଜିବିଲିଟି ଷ୍ଟଡି ରିପୋର୍ଟକୁ ରାଜ୍ୟ ସରକାର ଦେଖିବା ପରେ ଏ‌ହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଏହି ପ୍ରକଳ୍ପ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଡିପିଆର୍ ପ୍ରସ୍ତୁତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ସ୍ବତନ୍ତ୍ର ବ୍ରିଜ୍ (ଏଲିଭେଟେଡ୍ କରିଡର) କରି ନିଆଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସର୍ବଦା ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛୁ। ଏହି ନୂଆ ପ୍ରକଳ୍ପ ଘୋଷଣା ସହ ଆମେ ରାଜ୍ୟବାସୀଙ୍କୁ ସର୍ବୋତ୍ତମ ମେଟ୍ରୋ ସୁବିଧା ଯୋଗାଇଦେବା ପାଇଁ ଏକ ନୂତନ ଓଡ଼ିଶା ଆଡ଼କୁ ଆଉ ଏକ ପଦକ୍ଷେପ ନେଉଛୁ। ଏହା କେବଳ ଏକ ଉଦୀୟମାନ ତଥା ଆକାଂକ୍ଷୀ ଓଡ଼ିଶା ପାଇଁ ବିଶ୍ୱସ୍ତରୀୟ, ପରିବେଶ ଅନୁକୂଳ ସହରାଞ୍ଚଳ ପରିବହନ ପ୍ରଦାନ କରିବ ନାହିଁ, ବରଂ ଅର୍ଥନୈତିକ କାର୍ଯ୍ୟକଳାପକୁ ଉତ୍ସାହିତ କରିବ ଏବଂ ଭୁବନେଶ୍ୱର, କଟକ, ପୁରୀ ଏବଂ ଖୋର୍ଦ୍ଧାକୁ ନେଇ ଗଠନ ହୋଇଥିବା ସହରାଞ୍ଚଳକୁ ସମ୍ପ୍ରସାରଣ କରିବ। ଏକ ଆଧୁନିକ ଏବଂ ଯୋଜନାବଦ୍ଧ ସିଟି କ୍ଲଷ୍ଟର ଲୋକଙ୍କୁ ଆକର୍ଷଣ କରିବା ସହ ପୁଞ୍ଜିନିବେଶ, ବାଣିଜ୍ୟ, ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଏହା ୫-ଟି ନୀତି ବ୍ୟବହାର କରି କାର୍ଯ୍ୟକାରୀ ହୋଇଥିବା ଏକ ପ୍ରକୃତ ପରିବର୍ତ୍ତନଶୀଳ ପ୍ରକଳ୍ପ ହେବ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଘୋଷଣା କରିଥିଲେ ହେଁ ଆଜି ସକାଳୁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ୫-ଟି ସଚିବ ଭି.କେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍‌ ବିମାନ ବନ୍ଦରରୁ ରେଳ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପୂର୍ବରୁ ମେଟ୍ରୋ ରେଳ, ଏମ୍‌ଆରଟିଏସ୍ ଚଳାଇବା ପାଇଁ ଫିଜିବିଲିଟି ଷ୍ଟଡି କରିବା ସହ ଡିପିଆର୍ ପ୍ରସ୍ତୁତ କରିଥିଲେ। ହେଲେ ଏହାକୁ ପରିବହନ ବିଭାଗ ଖାରଜ କରିଦେଇଥିଲା।

ସମ୍ବନ୍ଧିତ ଖବର