ଭୁବନେଶ୍ବର/ସମ୍ବଲପୁର: ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)ର ଏକ ଗବେଷଣା ଶାଖା, ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ (ଏନବିଆରଆଇ) ଦ୍ୱାରା ବିକଶିତ ଏକ ପଲିହାଉସରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଦେଶୀ ୟୁଷ୍ଟୋମା ଫୁଟିଛି। 

Advertisment

ଓଡ଼ିଶାରେ ଏପର୍ଯ୍ୟନ୍ତ କେବଳ ଆମଦାନୀ ମାଧ୍ୟମରେ ମିଳୁଥିବା ଫୁଲ ୟୁଷ୍ଟୋମା, ପ୍ରଥମ ଥର ପାଇଁ ସ୍ଥାନୀୟ ଭାବରେ ଫୁଟିଛି - ଯାହା ଚାଷୀମାନଙ୍କ ପାଇଁ ଏହି ବିଦେଶୀ ଫୁଲଗଛ ଚାଷ କରିବା ଏବଂ ଲାଭ ଅର୍ଜନ କରିବାର ସୁଯୋଗ ଫିଟିଛି।


ଲକ୍ଷ୍ନୌର ନିଜର କ୍ୟାମ୍ପସରେ ୟୁଷ୍ଟୋମାକୁ ସଫଳତାର ସହିତ ଚାଷ କରିବା ପରେ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)ର ଏକ ଗବେଷଣା ଶାଖା, ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ  ଓଡ଼ିଶାରେ ମେକ୍ସିକୋ ଏବଂ ଆମେରିକାର ମୂଳଜାତୀୟ ଏହି ଫୁଲଚାଷ କରି ଏକ ସଫଳତା ହାସଲ କରିଛି।

ସମ୍ବଲପୁର ଜିଲ୍ଲାର ସନାତନପାଲିରେ ଏନବିଆରଆଇ ଦ୍ୱାରା ବିକଶିତ ଏକ ପଲିହାଉସରେ ଏହି ଫୁଲ ଫୁଟିଛି। ଏନବିଆରଆଇ ପ୍ରୟାସରେ ଓଡ଼ିଶାରେ ବିଦେଶୀ ୟୁଷ୍ଟୋମା ଫୁଟିଛି।

ଫୁଲଚାଷୀଙ୍କ ପାଇଁ ଏହା ଏକ ନୂତନ ରାସ୍ତା ଖୋଲିଛି। ଏହା ସହିତ ସେମାନଙ୍କର ଜୀବିକା ନିର୍ବାହ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି ବୋଲି  ଏନବିଆରଆଇ ନିର୍ଦ୍ଦେଶକ ଡକ୍ଟର ଅଜିତ କୁମାର ଶାସନୀ କହିଛନ୍ତି।

ମାସ ମାସ ଧରି  ବୈଜ୍ଞାନିକମାନେ ଗରମ ପରିସ୍ଥିତିରେ ଗଛଟି ବଞ୍ଚିପାରିବ କି ନାହିଁ ତାହା ପରୀକ୍ଷା କରିବା ପାଇଁ ନିଷ୍ଠାର ସହିତ ଗବେଷଣା କରିଥିଲେ। ଯଦି ୟୁଷ୍ଟୋମା ସମ୍ବଲପୁରରେ ବଢ଼ିପାରିବ, ତେବେ ଚାଷୀମାନେ ଏହାକୁ ସେମାନଙ୍କ କ୍ଷେତରେ ଚାଷ କରିପାରିବେ ବୋଲି ଏନବିଆରଆଇ ନିର୍ଦ୍ଦେଶକ କହିଛନ୍ତି।

ଏହା ଓଡ଼ିଶାରେ ହାଇ-ଟେକ୍ ଫୁଲ ଚାଷ ପାଇଁ ଏକ ପ୍ରମୁଖ ସୁଯୋଗ ବୋଲି ସେ କହିଛନ୍ତି। ଏହି ପଦକ୍ଷେପ କୃଷକମାନଙ୍କ ପାଇଁ ନୂତନ ରାସ୍ତା ଖୋଲିବ। ଫଳରେ ସ୍ଥାନୀୟ ବଜାରରେ ବିଦେଶୀ ଫୁଲ ବିକ୍ରି ହୋଇପାରିବ।


ଏନବିଆରଆଇ ଅନୁଯାୟୀ,ଇୟୁଷ୍ଟୋମା ବର୍ଷକୁ ଦୁଇଥର ଅମଳ କରାଯାଇପାରିବ। ଋତୁ ପିଛା ପ୍ରତି ଏକରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳି ପାାରିବ।। ସନାତନପାଲି ସାଇଟ୍ ହେଉଛି ଏନବିଆରଆଇ ଦ୍ୱାରା ସାରା ଭାରତରେ ବିକଶିତ ପ୍ରାୟ ୪୦୦ କ୍ଲଷ୍ଟର ମଧ୍ୟରୁ ଗୋଟିଏ।

ୟୁଷ୍ଟୋମା ସହିତ,ସିଏସଆଇଆର-ଏନବିଆରଆଇ ମାରିଗୋଲ୍ଡ, ଜସ୍ମିନ୍, ଜର୍ବେରା, ଟ୍ୟୁବୋଜ, ଗ୍ଲାଡିଓଲସ୍ ଏବଂ ପଦ୍ମ ପାଇଁ ରୋପଣ ସାମଗ୍ରୀ ତଥା ପ୍ରଯୁକ୍ତିବିଦ୍ୟା ଯୋଗାଇଥାନ୍ତି। ଏହା ସହିତ ଚାଷୀମାନଙ୍କୁ ତାଲିମ ଏବଂ ବିପଣନ  ସହାୟତା ଯୋଗାଇ ଦେଇଥାନ୍ତି।

ରାଜ୍ୟର ସ୍ଥାନୀୟ ବଜାରରେ ୟୁଷ୍ଟୋମାର କାରବାର ପାଇଁ ବଡ଼ ସମ୍ଭାବନା ରହିଛି।  ଏହା ଗୋଲାପର ସ୍ଥାନ ନେଇ ପାରିବ। ୟୁଷ୍ଟୋମାର ସତେଜତା ଅଧିକ ସମୟ ପାଇଁ ବଜାୟ ରହିଥାଏ।

ଏନେଇ ରାଜ୍ୟର ଚାଷୀମାନଙ୍କୁ ତାଲିମ ଦିଆଯିବ। ଏନବିଆରଆଇ ଏବେ କୋରାପୁଟ ଭଳି ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ବିଦେଶୀ ଫୁଲ ଚାଷକୁ ବିସ୍ତାର କରିବାକୁ ଯୋଜନା କରୁଛି, ଯାହା ଚାଷୀମାନଙ୍କୁ ଅତିରିକ୍ତ ଆୟ ସୁଯୋଗ ପ୍ରଦାନ କରିପାରିବ।